ଅତିରିକ୍ତ ପୋଲିସ ଡିଜି ଆଇନ ଶୃଙ୍ଖଳାଙ୍କ ଅଧ୍ୟକ୍ଷତାରେ ରଥ ଯାତ୍ରା ସମୀକ୍ଷା ବୈଠକ

ପୁରୀ ।। ଜୁଲାଇ ୧ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ଶ୍ରୀଜୀଉଙ୍କ ରଥ ଯାତ୍ରା । ଦୁଇ ବର୍ଷ ପରେ ରଥ ଯାତ୍ରା ଅନୁଷ୍ଠିତ ହେଉ ଥିବାରୁ ପୂର୍ବ ଅପେକ୍ଷା ଦୁଇ ଗୁଣ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି । ଆକଳନ ଅନୁସାରେ ପ୍ରାୟ ପନ୍ଦର ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବ ବୋଲି ଭିଡ଼ ହେବ । ମହାପ୍ରଭୁଙ୍କ ସ୍ନାନଯାତ୍ରା ସଫଳତା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଡିଜି ପୋଲିସ, ଆଇନ ଓ ଶୃଙ୍ଖଳା ଶ୍ରୀଯୁକ୍ତ ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି। ବଡଦାଣ୍ଡର ୨୨ ଟି ସ୍ଥାନକୁ ଚିହ୍ନଟ କରାଯାଇ କଡା ସୁରକ୍ଷା ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଭକ୍ତଙ୍କ ଗହଣରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବା ପରେ ଏବେ ବଡ ଚ୍ୟାଲେଞ୍ଜ ହୋଇଛି ଭକ୍ତଙ୍କୁ ନେଇ ରଥଯାତ୍ରା ସୁପରିଚାଳନା କରିବା । ଆଉ ଖାସ୍ ଏଥି ପାଇଁ ପୋଲିସ ପ୍ରଶାସନ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେ ନେଇ ପୋଲିସ ପ୍ରଶାସନ ସବୁ ଦିଗକୁ ଦୃଷ୍ଟି ଦେଇ ନିଜର ପ୍ରସ୍ତୁତି କରୁଛି।ଏସପିଙ୍କ ସମ୍ମିଳନୀ କକ୍ଷରେ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ତିନି ଜୋନର ଆଇଜିଙ୍କ ସହ ବରିଷ୍ଠ ପୋଲିସ ପଦାଧିକାରୀମାନେ ଯୋଗଦେଇ ଏ ସମସ୍ତ ଦିଗ ଉପରେ ବିଶେଷ ଆଲୋଚନା କରିଛନ୍ତି। ବିଶେଷ କରି ଶ୍ରୀମନ୍ଦିର ଭିତରେ ଓ ବାହାରେ, ଗୁଣ୍ଡିଚା ମନ୍ଦିର ଭିତର ଓ ବାହାର, ତିନି ରଥର ଇନର ଓ ଆଉଟଡୋର କର୍ଡନ, ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ପ୍ରମୁଖ ସାହି ଓ ଗଳିକନ୍ଦି, ଜନଗହଳି ନିୟନ୍ତ୍ରଣ, ରଥଟଣା, ଭିଭିଆଇପିଙ୍କ ସୁରକ୍ଷା ଓ ଦର୍ଶନ ନେଇ ଆଲୋଚନା ହୋଇଛି। ଏହି ସମୀକ୍ଷା ବୈଠକରେ ପହଣ୍ଡି ସମୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, କେଉଁ କେଉଁ ସ୍ଥାନରେ କେତେ ପୋଲିସ ମୁତୟନ ରହିବେ, ଷ୍ଟ୍ରାଇକିଙ୍ଗ ଫୋର୍ସ ଓ ସେକ୍ଟର ସ୍ତରୀୟ ଅଧିକାରୀ ନିୟୋଜିତ ନେଇ ଆଲୋଚନା ହୋଇଥିଲା। କେବଳ ଶ୍ରୀମନ୍ଦିର ଭିତରେ ୧୩ ଟି ସେକ୍ଟରରେ ବିଭକ୍ତ କରାଯିବ। ଆଇନ ଶୃଙ୍ଖଳା ଏଡିଜି ଖୋଦ୍ ନିଜେ ପୋଲିସ ସୁରକ୍ଷା ବ୍ୟବସ୍ଥା ଦାୟିତ୍ବରେ ରହିବେ। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଶ୍ରୀମନ୍ଦିର ଭିତରେ, ଆଇଜି ହେଡ କ୍ବାଟର ଏସ୍. ଦେବଦତ ସିଂ ଓ ଏସଟିଏଫ ଡିଆଇଜି ଜେ.ଏନ୍. ପଙ୍କଜ ରଥଟଣା ଓ କର୍ଡନ ପରିଚାଳନା ଦାୟିତ୍ଵରେ ରହିବେ। ଏମାନଙ୍କୁ ସହଯୋଗ କରିବା ପାଇଁ ନୋଡାଲ ଅଧିକାରୀ ଭାବେ ଅତିରିକ୍ତ ଏସପି, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ନିୟୋଜିତ ରହିବେ। ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ପ୍ଲାନ ହେବା ସହ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ। ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି ଅତିରିକ୍ତ ଡିଜି ସୂଚନା ଦେଇଛନ୍ତି। ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇଜି ଅମିତାଭ ଠାକୁର, ନରସିଂହ ଭୋଳ, ସତ୍ୟବ୍ରତ ଭୋଇ, ଏସ. ଦେବଦତ୍ତ ସିଂହ, ଡିଆଇଜି ଅନିରୁଦ୍ଧ କୁମାର ସିଂହ, ଜେ.ଏନ.ପଙ୍କଜ ସହ ପୁରୀ ଏସପି କନୱର ବିଶାଳ ସିଂ ଉପସ୍ଥିତ ଥିଲେ।

Leave A Reply

Your email address will not be published.