
ନନ୍ଦନକାନନର ଏକମାତ୍ର ମାଈ ଜିରାଫ୍ ‘ଖୁସି’ ନାହିଁ ଖୁସିରେ। ଦୀର୍ଘ ବର୍ଷ ହେଲା ଖୁସି ଏକାକିନୀ। ନିଜ ଖୁଆଡ଼ରେ ନିଃସଙ୍ଗ ଜୀବନ ବିତାଉଛି ସେ। ଦୁଇ ଦୁଇ ଥର ନନ୍ଦନକାନନ କର୍ତ୍ତୃପକ୍ଷ ତା’ ପାଇଁ ଜୀବନ ସାଥୀଟିଏ ଆଣିବା ପାଇଁ ଉଦ୍ୟମ କରିଥିଲେ ବି ଯୋଜନା ସଫଳ ହୋଇପାରିନାହିଁ। ଦୁଇଟି ଅଣ୍ଡିରା ଜିରାଫ୍ଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷ ଆଣିଥିଲେ ବି ସେମାନେ ବଞ୍ଚିନଥିଲେ। ତେଣୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଖୁସି ଭାଗ୍ୟରେ ଖୁସି ଦେଇପାରିନାହିଁ।୨୦୧୨ ଜୁଲାଇ ୧୧ରେ ବିହାର ପାଟନା ଚିଡ଼ିଆଖାନାରୁ ୪ ବର୍ଷ ବୟସର ଖୁସିକୁ ଏଠାକୁ ଅଣାଯାଇଥିଲା। ଦୁଇ ସିମ୍ପାଞ୍ଜି ଛୁଆ କାର୍ତ୍ତିକ ଓ ସୁଭଦ୍ରା ବଦଳରେ ତାକୁ ପାଟନା ଚିଡ଼ିଆଖାନା କର୍ତ୍ତୃପକ୍ଷ ଦେଇଥିଲେ। ଏବେ ଖୁସିର ବୟସ ୧୪ ବର୍ଷ। ମାଈ ଜିରାଫ୍ ୫ ବର୍ଷରୁ ୬ ବର୍ଷ ବୟସ ମଧ୍ୟରେ ମା’ ହୋଇପାରେ। ମାଈ ଜିରାଫ୍ ଗର୍ଭ ଧାରଣର ୧୫ ମାସରେ ଛୁଆ ଜନ୍ମ ଦିଏ। ତେଣୁ ଠିକ୍ ସମୟରେ ଖୁସି ମା’ ହୋଇଥିଲେ, ବର୍ତ୍ତମାନ ସୁଦ୍ଧା ନିହାତି ୩/୪ ଛୁଆର ମା’ ହୋଇସାରନ୍ତାଣି। ୨୦୦୮ ମସିହାରେ ନନ୍ଦନକାନନ କର୍ତ୍ତୃପକ୍ଷ ୪ଟି ବାଘ (୨ଧଳା ଓ ୨ ନାଲି)ଙ୍କ ସମେତ ମୋଟ ୨୨ ବିରଳ ପ୍ରଜାତି ଜୀବ ପ୍ରତିବଦଳରେ କୋଲକାତା ଅଲ୍ଲୀପୁର ଚିଡ଼ିଆଖାନାରୁ ଏକ ଅଣ୍ଡିରା ଜିରାଫ୍ ଆଣିଥିଲେ। ଖୁସି ପାଇଁ ସାଥୀ ଯୋଗାଡ଼ କରିବା ଓ ନନ୍ଦନକାନନରେ ଜିରାଫ୍ ବଂଶ ବଢ଼ାଇବା ଉଦ୍ଦେଶ୍ୟରେ ଏହି ବଡ଼ ଯୋଜନା କରାଯାଇଥିଲା। ମାତ୍ର ଉଭୟ ଖୁସି ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦୁର୍ଭାଗ୍ୟ ଥିଲା। ବାଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତା’ର ମୃତ୍ୟୁ ହୋଇଥିଲା। ନା ଖୁସି ପାଇଲା ସାଥୀ, ନା ନନ୍ଦନକାନନରେ ହୋଇପାରିଲା ଜିରାଫ୍ ବଂଶ ବୃଦ୍ଧି।ସେହିଭଳି ୨୦୧୬ ଫେବ୍ରୁଆରି ୨୪ରେ କୋଲକାତା ଅଲ୍ଲୀପୁର ଚିଡ଼ିଆଖାନାରୁ ୬ ବର୍ଷ ବୟସର ଅଣ୍ଡିରା ଜିରାଫ୍ ‘ଜୟ’କୁ ଅଣାଯାଇଥିଲା। ଏଥର ବେଶ୍ ସତର୍କରେ ଜୟକୁ ଆଣି ନନ୍ଦନକାନନରେ ପହଞ୍ଚାଇ ଦିଆଗଲା। ଖୁସିର ଜୀବନସାଥୀ ହୋଇଥାଆନ୍ତା ଜୟ। ମାତ୍ର ଜୟ ନନ୍ଦନକାନନରେ ରହିବାର ୫ ଦିନରେ ଅର୍ଥାତ୍ ଫେବ୍ରୁଆରି ୨୯ ତାରିଖ ଦିନ ହଠାତ୍ ଆଖି ବୁଜିଦେଲା। ସୂକ୍ଷ୍ମ ରକ୍ତ କୃମିଜନିତ ସଂକ୍ରମଣରେ ତା’ର ମୃତ୍ୟୁ ହୋଇଥିଲା ବୋଲି କୁହାଗଲା। ସେବେଠୁ ଖୁସି ଏକାକିନୀ। ଏବେ ପୁଣି ତା’ ପାଇଁ ସାଥୀ ଆଣିବାକୁ ଯୋଜନା କରାଯାଉଛି।