କର୍ମଚାରୀଙ୍କ ଲାଗି କ୍ଵାର୍ଟର ଅଭାବସୁରକ୍ଷା ପ୍ରଦାନକାରୀଙ୍କ ଅସୁରକ୍ଷିତ ଜୀବନ

ଖୁଣ୍ଟା – ସରକାରଙ୍କ ବିଚିତ୍ର ନୀତି | କେଉଁଠି କର୍ମଚାରୀମାନଙ୍କ ରହିବା ଲାଗି ମାଳମାଳ କ୍ଵାଟାର ନିର୍ମାଣ ହେଉଛି , ମାତ୍ର ରହିବାକୁ କର୍ମଚାରି ନାହାଁନ୍ତି । ତ କେଉଁଠି କର୍ମଚାରୀ ମାନଙ୍କୁ ରହିବାକୁ କ୍ଵାଟରର ଅଭାବ ରହିଛି । ଯଦି ବା କର୍ମଚାରୀଙ୍କ ପାଇଁ କ୍ବାଟର ରହିଛି ତାହା ପୁଣି ଜରାଜିର୍ଣ୍ଣ ଅବସ୍ଥାରେ । ଏହି ସରକାରୀ ଗୃହ ରେ ନିଜେ ଓ ନିଜର ପରିବାରର ଜୀବନକୁ ବାଜି ଲଗାଇ ବାଧ୍ୟ ହୋଇ ରହିବାକୁ ପଡ଼ୁଛି । ସରକାରୀ କର୍ମଚାରୀଙ୍କ ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପରିସରରେ କର୍ମଚାରୀଙ୍କ ଲାଗି ଉଦିଷ୍ଟ ଥିବା ବେରେକ ବା ବାସଗୃହ ଗୁଡିକ କ୍ଷେତ୍ରରେ । ଖୁଣ୍ଟା ଥାନା ସ୍ଥାପନ ହେବାର ଇତି ମଧ୍ୟରେ ୧୦୪ ବର୍ଷ ଅତିକ୍ରାନ୍ତ ହୋଇଗଲାଣି । ଥାନା ରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ରହିବା ଲାଗି ଦୀର୍ଘ ବର୍ଷ ପୂର୍ବେ ଥାନା ପରିସରରେ କେତେକ ବାସଗୃହ ନିର୍ମାଣ ହୋଇଥିଲା । ତେବେ ସଠିକ ସମୟରେ ଉକ୍ତ ବାସଗୃହଗୁଡ଼ିକର ଆବଶ୍ୟକତା ଅନୁଯାୟୀ ମରାମତି ଅଭାବରୁ ଏବେ ସେଗୁଡିକ ବିପଦ ସଂଙ୍କୁଳ ଅବସ୍ଥାରେ ରହିଛି । ସେମଧ୍ଯରୁ କେତେକ ବାସଗୃହର କାନ୍ଥ ଫାଟି ଆଁ କଲାଣିତ , କେତେକ ଆଜବେଷ୍ଟସ୍ ଗୁଡିକ ଫାଟି ସୂର୍ଯ୍ୟ , ଚନ୍ଦ୍ର ଆଦି ଦୃଶ୍ୟମାନ ହେଲେଣି । ବର୍ଷା ଦିନ ଆସିଲେ ପରିବାରର ଦୁଃଖ ଦୁର୍ଦ୍ଧସା ବଢ଼ିଯାଏ । ଆଜବେଷ୍ଟସ ରୁ ପାଣିଗଳି ଗୃହ ମଧ୍ୟରେ ବର୍ଷାପାଣି ଢ଼େଉ ଖେଳିଥାଏ । ପାଣି ଦାଉରୁ ବଞ୍ଚିବା ଲାଗି ଫାଟିଯାଇଥିବା ଅଜବେଷ୍ଟସ ଉପରେ ପାଲ କିମ୍ବା ଜରି ଟାଙ୍ଗି କର୍ମଚାରୀମାନଙ୍କୁ ଜୀବନ ଅତିବାହିତ କରିବାକୁ ପଡେ । ଏହି ଗୃହ ରେ ଯେ ବର୍ଷାପାଣି ଗଳିବା ଏକ ମୁଖ୍ୟ ସମସ୍ୟା ତାହା ନୁହେଁ ଗୃହଗୁଡ଼ିକର ଫାଟିଯାଇବା କାନ୍ଥ ରୁ ବିଷଧର ସାପମାନଙ୍କର ଅବିର୍ଭାବ ରୁ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ । ଜନସାଧାରଣଙ୍କ ଧନଜୀବନ କୁ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ ହୋଇଥିବା ବେଳେ ବିପଦ ସଂଙ୍କୁଳ ଅବସ୍ଥାରେ ରହୁଥିବା ତାଙ୍କର ପରିବାରର ସୁରକ୍ଷାକୁ ନେଇ କର୍ମଚାରୀମାନେ ଚିନ୍ତିତ ହୋଇପଡ଼ିଛନ୍ତି । ଏପରି ସ୍ଥଳେ କେବେ କେହି ପୋଲିସ କର୍ମଚାରୀଙ୍କ ର ଉକ୍ତ ଥାନାକୁ ବଦଳି ହୋଇ ଆସିଲେ , କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଆଗେ ରହିବା ଚିନ୍ତା ଘାରିଥାଏ । ଏଭଳି ଦୟନୀୟ ସ୍ଥିତିରେ ପୋଲିସ କର୍ମଚାରୀ ମାନେ ବର୍ଷ ବର୍ଷ ଧରି କାଳତିପାତ କରୁଥିଲେ ମଧ୍ୟ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ପଡୁନଥିବା ବିଡମ୍ବନା ର ବିଷୟ । ଏଥିପ୍ରତି ଜିଲ୍ଲା ଓ ରାଜ୍ୟର ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.