mobile header

ଦ୍ରୌପଦୀଙ୍କୁ ସମର୍ଥନ ନକଲେ ଗାଁ ଗାଁରେ ବିରୋଧ

ଭୁବନେଶ୍ୱର : ଭାରତର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢୁଥିବା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଯେଉଁ ରାଜନୈତିକ ଦଳ ଓ ଏହାର ନେତାମାନେ ସମର୍ଥନ ନକରିବେ ସେମାନଙ୍କୁ ଗାଁ ଗାଁ ବିରୋଧ କରାଯିବ । ସମର୍ଥନ ପାଇଁ କଂଗ୍ରେସ ଖୋଲାଖୋଲି ଭାବେ ମନା କରିଦେବା ପରେ ଆଜି ଏଭଳି ଆଭିମୁଖ୍ୟ ଗ୍ରହଣ କରିଛି କଳିଙ୍ଗ ସେନା । ସେନା ସୁପ୍ରିମୋ ହେମନ୍ତ ରଥ ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରଥମଥର ପାଇଁ ଓଡିଶାରୁ ଜଣେ ଆଦିବାସୀ ମହିଳା ଦେଶର ବହୁ ବ୍ୟକ୍ତିକଙ୍କୁ ପଛରେ ପକାଇ ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିବାକୁ ନିର୍ବାଚନ ଲଢୁଛନ୍ତି । ଦଳ ମତ ନିର୍ବିଶେଷରେ ଓଡିଆ ଭାବେ ତାଙ୍କୁ ସମସ୍ତେ ସମର୍ଥନ କରିବା ଆବଶ୍ୟକ । ଏ କ୍ଷେତ୍ରରେ ପ୍ରଥମେ ମାଟି ଓ ପରେ ପାର୍ଟି କଥା ବିଚାର କରିବା ଆବଶ୍ୟକ । ହେଲେ କଂଗ୍ରେସ ଭଳି ଦଳ କିନ୍ତୁ ଦ୍ରୌପଦୀଙ୍କୁ ସମର୍ଥନ କରିବନାହିଁ ବୋଲି କହି ତାହାର ଓଡିଶା ଓ ଓଡିଆ ବିରୋଧି ମନୋଭାବକୁ ପଦାରେ ପକାଇ ଦେଇଛି । ଯଦି କଂଗ୍ରେସ ଏଭଳି ପଦକ୍ଷେପ ଗ୍ରହଣ କରିବ ତେବେ ଦଳର ୯ଜଣ ବିଧାୟକ ଓ ଜଣେ ସାଂସଦଙ୍କ ବିରୁଦ୍ଧରେ କଳିଙ୍ଗ ସେନା ଅଭିଯାନ ଆରମ୍ଭ କରିବ । ସେମାନଙ୍କ ନିର୍ବାଚନମଣ୍ଡଳୀର ଗାଁ ଗାଁରେ ବିରୋଧ କରାଯିବ ଓ ଏମାନେ ଓଡିଆ ଓ ଓଡିଶା ବିରୋଧି ବୋଲି ଖୋଲାଖୋଲି ଭାବେ ଲୋକଙ୍କୁ କୁହାଯିବ । ଶ୍ରୀ ରଥ କହିଛନ୍ତି ଯେ ଓଡିଶାରୁ ଜଣେ ମହିଳା ରାଷ୍ଟ୍ରପତି ହେବା ଆମପାଇଁ ଗର୍ବର ବିଷୟ । ଅନ୍ୟ ରାଜ୍ୟମାନେ ଯେଭଳି ନିଜ ନିଜ ରାଜ୍ୟ ପ୍ରସଙ୍ଗରେ ଏକ ହେଉଛନ୍ତି ଓଡିଶାର ନେତାମାନେ ସେଭଳି ମନୋଭାବ ଦେଖାଇବା ଆବଶ୍ୟକ । ହେଲେ ଏଠାରେ କିନ୍ତୁ କଂଗ୍ରେସ ପାର୍ଟି ସ୍ୱାର୍ଥ ପାଇଁ ମାଟି ସ୍ୱାର୍ଥ କଥା ଭୁଲି ଯାଉଛି । ଏଭଳି ଆଚରଣ ଦେଖାଇଲେ ଓଡଶାବାସୀ କଂଗ୍ରେସ ପାଦ ତଳୁ ମାଟି କାଢିନେବେ ଓ ସେତେବେଳେ ଆଉ ପାର୍ଟି ନଥିବ କି ଏହାର ନେତା ବି ନଥିବେ । ତେଣୁ ଓଡିଶାର ସ୍ୱାର୍ଥ ଓ ଓଡିଆଙ୍କ ସ୍ୱାଭିମାନ ଦୃଷ୍ଟିରୁ ପାର୍ଟିରୁ ଉର୍ଦ୍ଧରେ ରହି କଂଗ୍ରେସ ବିଧାୟକ ଓ ସାଂସଦ ମାଟି ପାଇଁ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ଶ୍ରୀ ରଥ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.