mobile header

ଭରତପୁର ଜଙ୍ଗଲରେ ଜନ୍ମନେଲା ହାତୀ ଶାବକ, ନାଁ ଦିଆଗଲା ‘ଜଗା’

ଭୁବନେଶ୍ବର ୨୮।୬: ରାଜଧାନୀର ଭରତପୁର ଜଙ୍ଗଲରେ ଜନ୍ମନେଲା ଏକ ହାତୀ ଶାବକ । ମା’ କୋଳରେ ହାତୀ ଛୁଆଟିକୁ ଦେଖି ବନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ବନ କର୍ମଚାରୀମାନେ ଛୁଆ ହାତୀର ନାଁ ‘ଜଗା’ ଦେଇଛନ୍ତି । ୩ ବର୍ଷ ମଧ୍ୟରେ ୨ଟି ହାତୀ ଶାବକ ଜନ୍ମ ହେବା ଫଳରେ ଏହି କ୍ଷୁଦ୍ର ଜଙ୍ଗଲଟି ରାଜ୍ୟରେ ହାତୀ ସଂରକ୍ଷଣର ଅନନ୍ୟ ଉଦାହରଣ ପାଲଟିଛି ।ଭରତପୁର ଜଙ୍ଗଲ ଗର୍ଭବତୀ ହାତୀମାନଙ୍କ ପ୍ରସବ କରିବାକୁ ସୁରକ୍ଷିତ ମନେ କରନ୍ତି । ତେଣୁ ଭରତପୁର ଜଙ୍ଗଲକୁ ହାତୀମାନଙ୍କ ଏନ୍ତୁଡ଼ିଶାଳ ବୋଲି ମଧ୍ୟ କୁହାଯାଏ । ଏହି ଜଙ୍ଗଲ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଅଂଶବିଶେଷ । କିନ୍ତୁ ହାତୀମାନେ ତାଙ୍କ ଚିରାଚରିତ ରାସ୍ତାକୁ ଭୁଲିନାହାନ୍ତି । କଅଁଳିଆ ବାଉଁଶ, ପାଚିଲା ତାଳ ଖାଇ ଏଠି ସନ୍ତାନ ପ୍ରସବ କରିବା ଲାଗି ଧାଇଁ ଆସୁଛନ୍ତି ।୨୦୧୯ କୋଭିଡ୍‌ କଟକଣା ସମୟରେ ଏକ ୧୩ ଟିକିଆ ହାତୀ ପଲ ଭରତପୁର ଜଙ୍ଗଲ ମୁହାଁ ହୋଇଥିଲେ । ୪ଟି ଦନ୍ତା, ୫ଟି ମାଈ, ୨ଟି ଅଳ୍ପ ବୟସ୍କ ଓ ୨ ମଧ୍ୟବୟସ୍କକୁ ମିଶାଇ ଏହି ଦଳ ଜଙ୍ଗଲ ଭିତରେ ଆସ୍ଥାନ ଜମାଇଥିଲେ । ୪ ମାସ ରହଣି ପରେ ୨୦୨୦ ମସିହା ପ୍ରଥମାର୍ଦ୍ଧରେ ଏକ ମାଈ ହାତୀ ପ୍ରଥମ ଶାବକ ଜନ୍ମ କରିଥିଲା । ଜନ୍ମ ହେବାର ୨ ସପ୍ତାହ ପରେ ବନ କର୍ମଚାରୀମାନେ ତାକୁ ଦେଖିଥିଲେ । ସେହିଦିନଠାରୁ ଉକ୍ତ ଦଳ ଭରତପୁର ଜଙ୍ଗଲକୁ ନିଜର ବାସସ୍ଥାନ କରିଛନ୍ତି । ୬ ମାସ ତଳେ ଏକ ଦନ୍ତା ଓ ମାକେନା ଦଳରୁ ଛାଡ଼ି ପଳାଇ ଚନ୍ଦକା ଜଙ୍ଗଲରେ ରହୁଛନ୍ତି । ବାକିଙ୍କ ମଧ୍ୟରୁ ଚଳିତ ମାସ ଏକ ମାଈ ହାତୀ ଆଉ ଏକ ଶାବକ ଜନ୍ମ କରିଛି । ରବିବାର ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ମା’ କୋଳରେ ଆଉ ଏକ ନବଜାତ ଦେଖିଥିଲେ । ଛୁଆଟି ୧୦-୧୨ ଦିନର ବୋଲି ଅନୁମାନ କରାଯାଉଛି ।ଭରତପୁର ଜଙ୍ଗଲର ରେଞ୍ଜର ବାଉରିବନ୍ଧୁ ମହାପାତ୍ର କହିଛନ୍ତି, ନବଜାତ ହାତୀର ଲିଙ୍ଗ ନିରୂପଣ ହୋଇନାହିଁ । ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ବନ କର୍ମଚାରୀ, ଏଲିଫାଣ୍ଟ ସ୍କ୍ବାଡ୍‌ ଜଗି ରହିଛନ୍ତି । ହାତୀଙ୍କ ସୁରକ୍ଷା ପାଇଁ ଆମେ ନିରନ୍ତର ଉଦ୍ୟମ ଚଳାଇଛୁ ।

Leave A Reply

Your email address will not be published.