mobile header

ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା ପରିଚାଳନା ପାଇଁ ଜିଲା ପ୍ରଶାସନର ଚୂଡାନ୍ତ ବୈଠକ

ବୌଦ୍ଧ,୨୯ା୬ : ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଠିକ୍ ସମୟରେ ଠାକୁରମାନଙ୍କ ସମସ୍ତ ନିତି ସଂପର୍ଣ୍ଣ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । ରଥଯାତ୍ରା ଦିନ ଦର୍ଶନ ପାଇଁ ଆସୁଥିବା ହଜାର ହଜାର ସଂଖ୍ୟାରେ ଭକ୍ତ ଯେପରି ଶୃଙ୍ଖଳାର ସହିତ ଠାକୁରମାନଙ୍କ ଦର୍ଶନ କରିପାରିବେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଜରୂରୀ ସେବା ଯୋଗାଇଦେଉଥିବା ବିଭାଗ ଗୁଡିକର ଅଧିକାରୀମାନେ ଯାତ୍ରା ପାଇଁ ଜିଲା ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ରଥଯାତ୍ରା ଦିନ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ନୁଆସାହି ଛକ ପର୍ଯ୍ୟନ୍ତ ବଡଦାଣ୍ଡକୁ ସଂପୁର୍ଣ୍ଣ ଟ୍ରାଫିକ ମୁକ୍ତ ରଖିବାକୁ ନିଷ୍ପତି ଗ୍ରହଣ କରାଯାଇ କୌଣସି ଯାନବାହାନ ଚଳାଚଳକୁ ନିଷିଧ କରାଯାଇଛି । ମୁଖ୍ୟ ଡାକଘରଛକ,ମାଉସୀ ମା ମନ୍ଦିର ଓ ମୀନାବଜାର ନିକଟରେ ଜନସ୍ୱାସ୍ଥ୍ୟ ବିଭାଗ ଓ ଏନଏସି ପକ୍ଷରୁ ପାନୀୟଜଳ ଯୋଗାଇବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାତ୍ରା ସମୟରେ ନିମ୍ନ ମାନର ଖାଦ୍ୟ ବିକ୍ରୟ ନକରିବାକୁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ନିବଦେନ କରାଯାଇଛି । ଫୁଡ ଇନିସପେକ୍ଟର ଯାତ୍ରା ସମୟରେ ଖାଦ୍ୟରେ ଅପମିଶ୍ରଣ ଉପରେ ନଜର ରଖିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଯାତ୍ରା ସମୟରେ ପକେଟମାରଙ୍କ ପ୍ରତି ସାବଧାନ ରହିବାକୁ ଜନସାଧାଣଙ୍କୁ ନିବେଦନ କରାଯାଇଥିବାବେଳେ କୌଣସି ସୁନା ଅଳଙ୍କାର ପିନ୍ଧି ଯାତ୍ରାକୁ ନଆସିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏଥିସହିତ ଜନଗହଳି ସ୍ଥାନମାନଙ୍କରେ ବିଶେଷ ଭାବରେ ମାଉସୀ ମା ମନ୍ଦିର,ମୀନା ବଜାର ଆଦି ସ୍ଥାନରେ ପୋଲିସ ମୃତୟନ ସହିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବାକୁ ଜିଲା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଜରୂରୀ ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ମୀନା ବଜାର ନିକଟରେ ସର୍ବଦା ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଦେଶ ଓ ରାଜ୍ୟରେ ପୁନର୍ବାର କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଯାତ୍ରା ସମୟରେ ସମସ୍ତଙ୍କ ପାଇଁ ମାସ୍କ(ତୁଣ୍ଡି) ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । କୌଣସି ବ୍ୟକ୍ତିଙ୍କଠାରେ କୋଭିଡ ଲକ୍ଷଣ ଥିବାର ସନ୍ଦେହ ହେଲେ ସେମାନେ ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଜନଗହଳି ଠାରୁ ଦୂରରେ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏହି ବୈଠକରେ ଦେବତ୍ତୋର ଅଧିକାରୀ ତଥା ଉପଜିଲାପାଳ ସନତ କୁମାର ନାଏକ,ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଏଡିଏମଓ ମେଡିକାଲ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ,ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.