mobile header

ନବୀନଙ୍କ ବିକାଶ ମଡେଲକୁ ପ୍ରଶଂସା କଲେ ନୀତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଅରବିନ୍ଦ ପାନାଗରିଆ

ନୀତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ତଥା କଲମ୍ବିଆ ବିଶ୍ବବିଦ୍ୟାଳୟରେ ଅର୍ଥନୀତି ବିଭାଗର ପ୍ରଫେସର ଅରବିନ୍ଦ ପାନାଗରିଆ ଜାତୀୟ ଗଣମାଧ୍ୟମ ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ସଂପାଦକୀୟ ପୃଷ୍ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଏକ ପ୍ରବନ୍ଧ ଲେଖିଛନ୍ତି । ଯେଉଁଥିରେ ୨୨ ବର୍ଷର ନବୀନ ସରକାରରେ ଓଡ଼ିଶାରେ ହୋଇଥିବା ବିକାଶକୁ ସେ ଦର୍ଶାଇଛନ୍ତି । ନବୀନଙ୍କ ୨୨ ବର୍ଷର ଶାସନ ଓଡ଼ିଶା ଭଳି ରାଜ୍ୟକୁ କିପରି ଅର୍ଥନୈତିକ, କୃଷିଭିତ୍ତିକ ଓ ସମାନ୍ତରାଳ ବିକାଶ ଦିଗରେ ଆଗକୁ ବଢ଼ାଇଛି, ସେ ବିଷୟରେ ଉଲ୍ଲେଖ କରିଛନ୍ତି ପାନାଗରିଆ । ୨୦୦୦ ମସିହାର ସ୍ଥିତି ଓ ଆଜିର ସ୍ଥିତି ମଧ୍ୟରେ ଆକାଶ ପାତାଳ ତଫାତ ଦେଖିବାକୁ ମିଳିଛି । ବିକାଶ ସହିତ ଓଡ଼ିଶା କେଉଁଥିରେ ନିଜକୁ ସୁଦୃଢ଼ କରିପାରିବ, ତାକୁ ନେଇ ପରାମର୍ଶ ଦେଇଛନ୍ତି ପାନାଗରିଆ ।

ରାଜ୍ୟରେ ୪୮ ଦଶମିକ ୩ ପ୍ରତିଶତ ଶ୍ରମଜୀବୀ କୃଷି କ୍ଷେତ୍ର ସହ ଜଡ଼ିତ । ଏହି ସଂଖ୍ୟାକୁ କମାଇବାର ଆବଶ୍ୟକତା ରହିଛି । ଶିଳ୍ପ, ଆଇଟି ଭଳି ଅଧିକ ଦରମା ପାଉଥିବା ଶ୍ରମଜୀବୀଙ୍କ ସଂଖ୍ୟା ବଢ଼ାଇବାକୁ ପଡ଼ିବ । ଚାକିରିଆ ନହୋଇ ଉଦ୍ୟୋଗୀ ହେବାକୁ ପରାମର୍ଶ ଦେଇଛନ୍ତି ଡକ୍ଟର ପାନାଗରିଆ । ରାଜନୀତି ହେଉ କି ଅର୍ଥନୀତି ହେଉ, ସବୁଥିରେ ନବୀନଙ୍କୁ ଏକ ନମ୍ବର ଭାବେ ଚିତ୍ରଣ କରିଛନ୍ତି ପ୍ରଫେସର ପାନାଗରିଆ । ମହାବାତ୍ୟା ପରର ଓଡ଼ିଶାକୁ ନବୀନ କିପରି ସମ୍ଭାଳିଛନ୍ତି, ତାକୁ ମଧ୍ୟ ଉଲ୍ଲେଖ କରିଛନ୍ତି ପାନାଗରିଆ । ବିକାଶ ସହିତ ଓଡ଼ିଶା ପ୍ରତି ଥିବା ଚ୍ୟାଲେଞ୍ଜକୁ ମଧ୍ୟ ଚିତ୍ରଣ କରିଛନ୍ତି ପାନାଗରିଆ ।

ଏହି ପ୍ରବନ୍ଧରେ ଅରବିନ୍ଦ ପାନାଗାରିଆ ଲେଖିଛନ୍ତି ଯେ ୨୦୦୪-୦୫ରେ ଓଡ଼ିଶାର ଦାରିଦ୍ର୍ୟ ହାର ଥିଲା ୫୭. ୬ %, ୨୦୧୧-୧୨ ଏହା କମି ୩୨.୯ %କୁ ପହଂଚିଥିଲା | ଓଡ଼ିଶାରେ ଗ୍ରାମାଞ୍ଚଳର ଚିତ୍ର ୨୨ ବର୍ଷରେ ବଦଳିଯାଇଛି ଓ ରାଜ୍ୟର ବାର୍ଷିକ ଆୟ ବୃଦ୍ଧି ପାଇଛି | ଜନସାଧାରଣଙ୍କ ମୁଣ୍ଡପିଛା ଆୟ ମଧ୍ୟ ବୃଦ୍ଧି ପାଇଛି ଓ ରାଜ୍ୟର ଅଭିବୃଦ୍ଧି ହାର ୨୦୦୦ ମସିହା ତୁଳନାରେ ୩% ବୃଦ୍ଧି ପାଇଛି | ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କର ବିକାଶ ହୋଇଛି ଓ ଚାଷୀଙ୍କର ବାର୍ଷିକ ଆୟ ଅନ୍ୟ ରାଜ୍ୟ ତୁଳନାରେ ବୃଦ୍ଧି ପାଇଛି |

Leave A Reply

Your email address will not be published.