mobile header

ଆତଙ୍କବାଦୀଙ୍କ ସହ ବିଜେପିର ମଧୁଚନ୍ଦ୍ରିକା; ଏହି ସଂପର୍କ ସଂଯୋଗ ନା ପ୍ରୟୋଗ ବୋଲି କଂଗ୍ରେସର ପ୍ରଶ୍ନ

ଭୁବନେଶ୍ୱର ତା ୯.୭- ଦେଶରେ ନିଜକୁ ଏକମାତ୍ର ଦେଶପ୍ରେମୀ ଦଳ ବୋଲି କହି ଅନ୍ୟଉପରେ ଲଗାତାର ଦୋଷାରୋପ କରିଆସୁଥିବା ଭାରତୀୟ ଜନତାପାର୍ଟିର ଅସଲି ମୁଖା ଏବେ ଖସିବାରେ ଲାଗିଛି । ଆତଙ୍କବାଦ ଓ ସନ୍ତ୍ରାସବାଦ କାର୍ଯ୍ୟକଳାପକୁ ପୃଷ୍ଠପୋଷକତା ଦେବାରେ ଦଳ ଏବେ ରେକର୍ଡ ଭାଙ୍ଗିଛି । ଗୋଟିଏ ପରେ ଗୋଟିଏ ୮ଟି ଘଟଣାର ପ୍ରମାଣ ଦେଇ ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀର ଏଆଇସିସି ନେତ୍ରୀ ୱିଙ୍ଗ କମାଣ୍ଡର ଅନୁମା ଆଚାର୍ଯ୍ୟ ଏସବୁ ଘଟଣା ସଂପର୍କରେ ବିଜେପି ସ୍ପଷ୍ଟି କରଣ ଦେଉ ବୋଲି ଦାବି କରିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ଜାତୀୟ କଂଗ୍ରେସ ଆତଙ୍କବାଦୀ ମାନଙ୍କ ସହିତ କୌଣସି ପରିସ୍ଥିତିରେ ବି ସାଲିସ୍ କରିନାହିଁ । ଆଜି ଯେଉଁ ପରିସ୍ଥିତି ଭାରତବର୍ଷରେ ସୃଷ୍ଟି ହୋଇଛି ଏବଂ ଯେଉଁଭଳି ଭାବରେ ଗୋଟିଏ ପରେ ଗୋଟିଏ ଘଟଣା ପଛରେ ଆତଙ୍କବାଦୀ କିମ୍ବା ଅପରାଧିଙ୍କ ସହିତ ବିଜେପି ଦଳର ଅତି ଘନିଷ୍ଠ ଓ ନିବିଡ଼ ସଂପର୍କର ସମସ୍ତ ତଥ୍ୟ ପ୍ରମାଣ ମିଳୁଛି । ଏଭଳି ଏକ ସଂଗୀନ ପରିସ୍ଥିତିରେ ଏକ ଦାୟୀତ୍ୱ ସଂପନ୍ନ ରାଜନୈତିକ ଦଳ ହିସାବରେ କଂଗ୍ରେସ ଦଳ ଆଜି ବିଜେପିକୁ ଏ ପ୍ରଶ୍ନ କରୁଛି ଯେ ଆତଙ୍କବାଦୀ ଓ ଅପରାଧିମାନଙ୍କ ସହିତ କାହିଁକି ଏତେ ଘନିଷ୍ଠ ସଂପର୍କ । ଆପଣମାନଙ୍କୁ ଚିନ୍ତା ଓ ବିଚାର କରିବାର ସମୟ ଉପନୀତ ହୋଇଛି ଯେ ବିଜେପି ଦେଶପ୍ରେମ ନାମରେ ରାଷ୍ଟ୍ର ବିରୋଧରେ କିଭଳି ଅତି ଘୃଣ୍ୟ ଓ ନିଚସ୍ତରକୁ ଯାଇ ଅପରାଧ ସୃଷ୍ଟି କରିବା ଓ ଷଡ଼ଯନ୍ତ୍ର କରିବାରେ ପ୍ରୟାସ ଜାରି ରଖିଛି । କିଛିଦିନ ତଳେ ଉଦୟପୁରରେ କହ୍ନେୟାଲାଲଙ୍କ ମୁଖ୍ୟ ହତ୍ୟାକାରୀ ମହମ୍ମଦ ରିୟାଜ ଅନସରି ଭାରତୀୟ ଜନତାପାର୍ଟିର ଜଣେ କାର୍ଯ୍ୟକର୍ତା ବୋଲି ପ୍ରମାଣିତ ହେଲା । ମହମ୍ମଦ ରିୟାଜ ଅନସରି ବିିଜେପିର ନେତୃବର୍ଗଙ୍କ ଉପସ୍ଥିତିରେ ବିଜେପି ଦଳର ସଦସ୍ୟତା ଗ୍ରହଣ କରିଥିବାର ପ୍ରମାଣ ମିଳିସାରିଛି । ବିଜେପି ଦଳର ଜଣେ କାର୍ଯ୍ୟକର୍ତା ହିଁ ଥିଲା । ଏହି ବ୍ୟକ୍ତିଜଣକ ବିଜେପି ଦଳର ନେତାମାନଙ୍କ ଗହଣରେ ବିଜେପି ଦଳର ସଭ୍ୟ ହୋଇଥିଲା । ଗଣମାଧ୍ୟମ ତଥ୍ୟରୂ ଜଣାପଡ଼ିଛି ଯେ ରିୟାଜ୍ ରାଜସ୍ଥାନ ବିଧାନସଭାରେ ବିଜେପି ଦଳର ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଗୁଲାବଚନ୍ଦ କଟାରିଆଙ୍କ ଜ୍ୱାଇଁ ତଥା ପୂର୍ବତନ କର୍ପୋରେଟର ଅତୁଲ ଚଣ୍ଡାହିଆଙ୍କ କାରଖାନାରେ କାମ କରୁଥିଲା । ସେ ବିଜେପିର ଅନେକ ଗୁଡ଼ିଏ ଦଳୀୟ କାର୍ଯ୍ୟକ୍ରମରେ ବରିଷ୍ଠ ନେତାମାନଙ୍କ ସହିତ ସାମିଲ ହେଉଥିବାର ଦେଖା ଯାଉଛି । ଜାମ୍ମୁ-କାଶ୍ମିରରେ ଗ୍ରାମବାସୀଙ୍କ ଦ୍ୱାରା ଧରାଯାଇଥିବା ବା କାବୁ କରାଯାଇଥିବା ଲସ୍କର-ଏ-ତଏବାର ଦୁଇ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ “ତାଲିବ ହସେନ” ଭାଜପାର କର୍ମକର୍ତା ପ୍ରମାଣିତ ହେଲା । ବଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଏପରିକି ଦେଶର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ବି ତାର ଫଟୋ ରହିଛି । ଯେତେବେଳେ ତାଲିବ୍ ହୁସେନ ଧରାପଡ଼ିଲା ସେତେବେଳେ ସେ ପବିତ୍ର ଅମରନାଥ ଯାତ୍ରା ଲାଗି ଶ୍ରଦ୍ଧାଳୁ ମାନଙ୍କ ଉପରେ ଆକ୍ରମଣର ଯୋଜନା କରୁଥିଲା । ଗଣମାଧ୍ୟମ ସୂତ୍ରରୁ ଏ ଖବର ସମନାକୁ ଆସିଛି ଯେ ମହାରାଷ୍ଟ୍ର ଅମରାବତୀର ଔଷଧ ବ୍ୟବସାୟୀ “ଉମେଶ କୋଲ୍‌ହେ”ର ହତ୍ୟାର ମାଷ୍ଟରମାଇଣ୍ଡ ଇର୍‌ଫାନ ଖାନର ସଂପର୍କ ବିଜେପି ସମର୍ଥିତ ସ୍ୱାଧୀନ ସାଂସଦ ନବନୀତ ରାଣା ଓ ତାଙ୍କର ସ୍ୱାମୀ ସ୍ୱାଧୀନ ବିଧାୟକ ରବି ରାଣାଙ୍କ ସହ ରହିଛି । ୨୦୨୦ ମସିହାରେ ଜାମ୍ମୁ-କାଶ୍ମିରରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା କାଣ୍ଡରେ ଭାଜପାର ନେତା ତଥା ପ୍ରାକ୍ତନ ସରପଂଚ “ତାରିକ୍ ଅହମ୍ମଦ ମୀର”କୁ ଗିରଫ କରାଯାଇଥିଲା । ହିଜବୁଲ କାମାଣ୍ଡର ନବେଦ୍ ବାବୁକୁ ଅସ୍ତ୍ର ଯୋଗାଇଥିବାର ସଂଗୀନ ଆରୋପ ତାରିକ୍ ଅହମ୍ମଦ ଉପରେ ଥିଲା ଯିଏକି ଡିଏସ୍‌ପି ଦେବିନ୍ଦର ସିଂହଙ୍କ ସହ ମିଶି ଆତଙ୍କବାଦୀଙ୍କୁ ସହଯୋଗ କରି ଗିରଫ ହୋଇଥିଲା । ଏନ୍‌ଆଇଏ ସ୍ପଷ୍ଟ ଭାବେ ହକିଥିଲା ଯେ ତାରିକ ଅହମ୍ମଦ ମୀର ଡିଏସ୍‌ପି ଦେବିନ୍ଦର ସିଂହର ସହଯୋଗୀ ଅଟେ । ଯଦି ଦେବିନ୍ଦର ସିଂହ ଉପରେ ଚାଲୁଥିବା କେସ୍‌ର ସଠିକ ଯାଂଚ ହୋଇଥାଆନ୍ତା ତେବେ ସତ୍ୟ ସାମନାକୁ ଆସିଥାନ୍ତା ମାତ୍ର ଯାଂଚକୁ ମଝିରେ ରୋକିଦିଆଗଲା । ୨୦୧୭ ମସିହାରେ ମଧ୍ୟପ୍ରଦେଶରେ ବେଆଇନ ଟେଲିଫୋନ ଏକ୍ସଚେଞ୍ଜରେ ଚଢ଼ାଉ କରି ଏଟଏସ ପାକିସ୍ଥାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଯେଉଁ ୧୧ ଜଣଙ୍କୁ ଗିରଫ କରିଥିଲା ସେମାନଙ୍କ ମଧ୍ୟରେ ବିଜେପି ଆଇଟି ସେଲର ସଦସ୍ୟ ଧୃବ ସକସେନା ମଧ୍ୟ ଥିଲା । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ତାଙ୍କର ଫଟୋ ରହିଛି । ଠିକ୍ ୨ ବର୍ଷପରେ ୨୦୧୯ରେ ମଧ୍ୟପ୍ରଦେଶରେ ଟେରର ଫଣ୍ଡିଂ ସଂଗ୍ରହ କରିବା ଅଭିଯୋଗରେ ବଳରାମ ସିଂହ ଗିରଫ ହୋଇଥିଲା ଯିଏକି ବଜରଙ୍ଗ ଦଳର ନେତା ଥିଲା । ୨୦୧୭ ରେ ଆସାମର ଭାଜପା ନେତା “ନିରଞ୍ଜନ ହୋଜାଇ”କୁ ଏନ୍‌ଆଇଏର ସ୍ୱତନ୍ତ୍ର ଅଦାଲତ ଆତଙ୍କବାଦୀଙ୍କୁ ଅର୍ଥ ସାହାଯ୍ୟ କରୁଥିବା ଯୋଗୁଁ ଆଜୀବନ କାରାବାସ ଶୁଣାଇଥିଲେ । ଏହି ଅଭିଯୁକ୍ତ ପ୍ରାୟ ୧୦୦୦ କୋଟି ଟଙ୍କାର ଆର୍ଥିକ ଦୁର୍ନିତୀ ଏବଂ “ଟେରର ଫଣ୍ଡିଂ” ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ଏହି ବିପୁଳ ଅର୍ଥ ଦେଶର ସେବାରେ କାର୍ଯ୍ୟରତ ସୁରକ୍ଷାବଳ କର୍ମୀଙ୍କ ବିରୋଧରେ ବ୍ୟବହୃତ ହୋଇଥିଲା । ଏତିକିରେ ସୀମିତ ନରହି ବିଜେପି କ୍ଷମତା ପାଇଁ ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ବି ଟିକେଟ ଦେବାକୁ ପଚ୍ଛଘୁଂଚା ଦେଇନାହିଁ । ଆତଙ୍କବାଦୀ ମସୁଦ୍ ଅଜହରର ଅତି ଘନିଷ୍ଠ ମହମ୍ମଦ ଫାରୁକ୍ ଖାନ୍‌କୁ ଶ୍ରୀନର ୩୩ ନମ୍ବର ୱାର୍ଡରୁ ଦଳୀୟ ଟିକେଟ ଦେଇଥିଲା । ଯିଏକି ଜମ୍ମୁ- କଶ୍ମିର ଲିବରେସନ୍ ଫ୍ରଟ ଓ ହରକତ୍ ଉଲ୍ ମୁଜାହିଦ୍ଦିନର ସଭ୍ୟ ରହିଥିଲା । ସୂଚନା ଯୋଗ୍ୟ ଯେ ଏଥିପୂର୍ବରୁ କୁଖ୍ୟାତ ଆତଙ୍କବାଦୀ ‘ମସୁଦ୍ ଅଜହର”କୁ ଏହି ବିଜେପି ସରକାର ଛାଡ଼ି ଦେଇଥିଲା । ଯେଉଁ କାରଣରୁ ସେ ଦେଶରେ ଅନେକ ଆତଙ୍କବାଦୀ ଆକ୍ରମଣକୁ ସଂଘଠିତ କରିଥିଲେ । ପୁଲ୍‌ବାମାରେ ଯେଉଁଠି ଚଢ଼େଟିଏ ବି ଉଡ଼ିବା ଅସମ୍ଭବ ମାତ୍ର ସେଠାରେ ୩୦୦ କିଲୋ ଆରଡିଏକ୍ସ କେମିତି ମିଳିଲା? ଦେଶବାସୀ ଏପର୍ଯ୍ୟନ୍ତ ଏହାର ଜବାବ ପାଇପାରୁ ନାହାନ୍ତି । ଏହାର ଉଚ୍ଚସ୍ତରୀୟ ଯାଂଚ କାହିଁକି ଏପର୍ଯ୍ୟନ୍ତ ହୋଇ ପାରିନାହିଁ? ଏହା ଏକ ବଡ଼ ଆହ୍ୱାନ ଅଟେ । ଶେଷରେ ଆମେ ଆପଣ ସମସ୍ତଙ୍କୁ ଅନୁରୋଧ ଓ ଆହ୍ୱାନ କରୁଛୁ ଯେ ଭାଜପାର “ଛଦ୍ମ ରାଷ୍ଟ୍ରବାଦ” କୁ ଚିହ୍ନନ୍ତୁ । ରାଷ୍ଟ୍ରବାଦ ବା ଦେଶଭକ୍ତି ନାମରେ ବିଜେପି ଘୃଣିତ ଓ କୁତ୍ସିତ ଖେଳ ଖେଳି ଦେଶକୁ ଦୁର୍ବଳ କରୁଛି । ଏଥିପାଇଁ ଆମେମାନେ ସମସ୍ତେ ସର୍ତକ ଓ ସଚେତନ ରହିବା ଉଚିତ ବୋଲି ସେ ଜୋର ଦେଇ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ପୌରହିତ୍ୟ କରିଥିବା ବେଳେ ଆବାହକ ସତ୍ୟପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ମୁଖପାତ୍ର ଅମିୟ ପାଣ୍ଡବ, ରଜନୀ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ ଓ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.