xmas

ରାଜ୍ୟ ପାଇଁ ବଳିଦାନ ଦେଲେ ୪୦ ପ୍ରତିଶତ ଜନଜାତି

ସ୍ବାଧୀନତା ପରେ ହୀରାକୁଦ ଜଳଭଣ୍ଡାରର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ରାଷ୍ଟ୍ରର ବିକାଶ ପାଇଁ ସ୍ଥାନୀୟ ଲୋକଙ୍କୁ ବଳିଦାନ ପାଇଁ ଆହ୍ବାନ କରିଥିଲେ। ଦେଶରେ ଅନୁସୂଚିତ ଜନଜାତି ବର୍ଗ ହିଁ ଏହି ଆହ୍ବାନକୁ ଗ୍ରହଣ କରି ଆଜି ପର୍ଯ୍ୟନ୍ତ ବଳିଦାନ ଦେଇ ଆସୁଛି। ଏକମାତ୍ର ଓଡ଼ିଶାରେ ସମୁଦାୟ ବିସ୍ଥାପନର ୪୦ ପ୍ରତିଶତରୁ ଉର୍ଧ୍ବ ଅନୁସୂଚିତ ଜନଜାତି ବର୍ଗର ଅଟନ୍ତି। କିନ୍ତୁ ଆଜିବି ସେମାନଙ୍କ ବଳିଦାନକୁ ସମ୍ମାନ ଦିଆଯାଇ ପାରି ନାହିଁ କି ବିଭିନ୍ନ ପ୍ରକଳ୍ପରେ ବିସ୍ଥାପିତ ଏବଂ ପ୍ରଭାବିତ ଅନୁସୂଚିତ ଜନଜାତିଙ୍କୁ ଉପଯୁକ୍ତ ଭାବରେ ଥଇଥାନ କରାଯାଇ ନାହିଁ। ସମ୍ବଲପୁରଠାରୁ ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ ସବୁଠି ଏହା ଦେଖିବାକୁ ମିଳିଛି। ଏହାକୁ ଭିତ୍ତି କରି ସ୍ବାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରକଳ୍ପରେ ବିସ୍ଥାପିତ ଅନୁସୂଚିତ ଜନଜାତି ପରିବାରଙ୍କ ଥଇଥାନ ନେଇ ରିପୋର୍ଟ ତଲବ କରିଛନ୍ତି ଜାତୀୟ ଅନୁସୂଚିତ ଜନଜାତି କମିସନ। ୩୦ ଦିନ ମଧ୍ୟରେ ଏଥିସଂକ୍ରାନ୍ତରେ ଉତ୍ତର ପ୍ରଦାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ହୋଇଛି। ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଦାଖଲ ପିଟିସନକୁ ଭିତ୍ତି କରି ଏହି ରିପୋର୍ଟ ଦାଖଲ ପାଇଁ କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ୧୯୫୧ରୁ ୧୯୯୧ ମସିହା ମଧ୍ୟରେ ରାଜ୍ୟର ସମୁଦାୟ ବିସ୍ଥାପନର ୪୦ ପ୍ରତିଶତ ଏବଂ ପ୍ରଭାବିତଙ୍କ ମଧ୍ୟରୁ ୪୩.୧୪ ପ୍ରତିଶତ କେବଳ ଅନୁସୂଚିତ ଜନଜାତି ବର୍ଗର ଅଟନ୍ତି। ଅର୍ଥାତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପରେ ବିସ୍ଥାପିତ ୬ ଲକ୍ଷ ୩୨ ହଜାର ୬୩୪ ଜଣଙ୍କ ମଧ୍ୟରୁ ୨ ଲକ୍ଷ ୫୫ ହଜାର ୩୧୭, ପ୍ରଭାବିତ ୮ ଲକ୍ଷ ୩୩ ହଜାର ୨୭୫ ଜଣଙ୍କ ମଧ୍ୟରୁ ୩ ଲକ୍ଷ ୬୦ ହଜାର ୯୯୯ ଏହି ବର୍ଗର ମଣିଷ। ଜଳସେଚନ ଏବଂ ଜଳଭଣ୍ଡାର ପାଇଁ ୧ ଲକ୍ଷ ୫୩ ହଜାର ୫୪୦ (ସମୁଦାୟ ବିସ୍ଥାପନର ୩୭.୪୫%), ଶିଳ୍ପାୟନରେ ୨୫,୯୩୭(୩୬.୧୩%),ଖଣିରେ ୫୦ ହଜାର (୫୦%), ପାର୍କ ଏବଂ ନିର୍ମାଣ କାର୍ଯ୍ୟରେ ୮୪୦ ( ଶତ ପ୍ରତିଶତ), ଅନ୍ୟ ପ୍ରକଳ୍ପ ୧୧ ହଜାର (୨୨%)ଅନୁସୂଚିତ ଜନଜାତିର ଅଟନ୍ତି। ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୭ ପ୍ରମୁଖ ପ୍ରକଳ୍ପରେ ବିସ୍ଥାପିତ ୫୨ ହଜାର ୫୮୪ ବିସ୍ଥାପିତଙ୍କ ମଧ୍ୟରୁ ୧୦ ହଜାର ୪୯୮ ଜଣ ଏସଟି। ଏହି ସବୁ ପ୍ରକଳ୍ପ ଗୁଡ଼ିକ ମୁଖ୍ୟତଃ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, କୋରାପୁଟରେ ଜଳସେଚନ, ବନ୍ୟା ନିୟନ୍ତ୍ରଣ କିମ୍ବା ଜଳ ବିଦ୍ୟୁତ ଉତ୍ପାଦନ ପାଇଁ କରାଯାଇଛି। ସ୍ବାଧୀନ ଭାରତର ପ୍ରଥମ ପ୍ରକଳ୍ପ ହୀରାକୁଦର ୨୬ ହଜାର ୫୦୧ ବିସ୍ଥାପିତଙ୍କ ମଧ୍ୟରୁ ୧୬୩୬, ରେଙ୍ଗାଲିର ୧୧, ୨୮୯ ମଧ୍ୟରୁ ୧୩୨୮, ଅପରଇନ୍ଦ୍ରାବତୀର ୫୩୪୪ରୁ ୨୨୬୦, ବାଲିମେଳାର ୨୫୦୦ରୁ ୧୪୫୦, ସାଲନ୍ଦିର ୯୪୫ରୁ ୮୯୩, ମାଛକୁଣ୍ଡର ୨୯୩୮ରୁ ୧୫୦୦ କେବଳ ଅନୁସୂଚିତ ଜନଜାତି ବର୍ଗର ଅଟନ୍ତି। ପ୍ରମୁଖ ୭ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ୨୯୦୫୩ଙ୍କ ମଧ୍ୟରୁ ୧୨ ହଜାର ୪୧୫ (ସମୁଦାୟ ବିସ୍ଥାପନର ୪୨.୭୩ ପ୍ରତିଶତ), ୩୦ଟି ମଧ୍ୟମ ଜଳସେଚିତ ପ୍ରକଳ୍ପର ବିସ୍ଥାପିତ ୯୧୫୩ ମଧ୍ୟରୁ ୪୫୫୭ (୪୯.୪୭%) କେବଳ ଅନୁସୂଚିତ ଜନଜାତି ବର୍ଗର। ଏହି ପିଟିସନରେ କୋରାପୁଟ, ମୟୂରଭଞ୍ଜ, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝରର ବିସ୍ଥାପିତଙ୍କ ଥଇଥାନକୁ ଗୁରୁତ୍ବ ଦେଇ ରିପୋର୍ଟ ଦାଖଲ ପାଇଁ କୁହାଯାଇଛି। ସ୍ବାଧୀନତା ପରେ ଆଦିବାସୀ ପ୍ରଭାବିତ କୋରାପୁଟ ଜିଲ୍ଲାର ଲୋକେ ସର୍ବାଧିକ କଷ୍ଟ ପାଇଛନ୍ତି। ୧୯୬୫ରୁ ୧୯୯୦ ମସିହା ମଧ୍ୟରେ ବିଭିନ୍ନ ପ୍ରକଳ୍ପ ଯୋଗୁଁ ଅଧିଗୃହୀତ ଜଙ୍ଗଲ ମଧ୍ୟରୁ କେବଳ ୫୦ ପ୍ରତିଶତ ଏହି ଜିଲ୍ଲାର ଅଟେ। ଏଠାରେ ସ୍ଥିତ ମାଛକୁଣ୍ଡ, ଅପର କୋଲାବ, ହାଲ, ନାଲକୋ ବକ୍ସସାଇଟ ଖଣି, ଦାମନଜୋଡ଼ି, ଇନ୍ଦ୍ରାବତିର ବିସ୍ଥାପିତଙ୍କ ଥଇଥାନ ନେଇ ପ୍ରକୃତ ରେକର୍ଡହିଁ ନାହିଁ। ନାଲକୋ ଯୋଗୁଁ ବିସ୍ଥାପିତ ୨୬ଟି ଗାଁର ୫୯୭ ପରିବାର ମଧ୍ୟରୁ ୨୫୪ ଆଦିବାସୀ, ୫୬ ଦଳିତ ଅଟନ୍ତି। ସୁନାବେଡ଼ା ସ୍ଥିତ ହାଲ ସହିତ ବିଭିନ୍ନ ପ୍ରକଳ୍ପ ପାଇଁ ଟୋଟାପୁଟ, ବିଲାଇଗୁଡ଼ା, ସିନ୍ଧିପୁଟ, ସୋଲାପୁଟ, କାଟିଗାଁ, ପାଙ୍ଗିପୁଟ ପଞ୍ଚାୟତର ୨୦୦ ଗାଁ ବିସ୍ଥାପିତ ହୋଇଛନ୍ତି। ୬୦ ଦଶକରେ ସେମାନେ ଏହି କାରଖାନା ପାଇଁ ଜମି ହରାଇଲେ କିନ୍ତୁ କାହାକୁ ମଧ୍ୟ କ୍ଷତିପୂରଣ ଏପରିକି କମ୍ପାନିରେ ସ୍ଥାୟୀ ଚାକିରି ମଧ୍ୟ ଦିଆଯାଇନଥିବା ହାଲ ବିସ୍ଥାପିତ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ହାଲରେ ବିସ୍ଥାପିତ ପରିବାରଙ୍କୁ ୧୯୮୫ ମସିହାରେ କୋଲାବ ବନ୍ଧ ସମେତ ଆହୁରି କିଛି ପ୍ରକଳ୍ପ ପାଇଁ ପୁନର୍ବାର ବିସ୍ଥାପିତ କରାଗଲା।

ଓଡ଼ିଶା-ଆନ୍ଧ୍ରପ୍ରଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ମାଲକାନଗିରି ଜିଲ୍ଲାର ବାଲିମେଳା ଜଳ ପ୍ରକଳ୍ପର ବିଚ୍ଛିନ୍ନାଞ୍ଚଳ ଅଧିବାସୀଙ୍କୁ ବର୍ତ୍ତମାନ ସୁଦ୍ଧା ଆଶାର କିରଣ ଦେଖାଯାଇ ନାହିଁ। ୬୦ ଦଶକରୁ ଆଜି ପର୍ଯ୍ୟନ୍ତ ୨୦ ହଜାର ପରିବାର ଜଳବନ୍ଦୀ ମଧ୍ୟରେ ଥିଲେ। ମାଓବାଦୀଙ୍କୁ ନିୟନ୍ତ୍ରିତ କରିବା ପାଇଁ ଗତ କିଛି ବର୍ଷ ଏଠାରେ ସେତୁ ନିର୍ମାଣ ଏବଂ କିଛି ଉନ୍ନୟନମୂଳକ କାର୍ଯ୍ୟ ହେଉଛି। ଏହି ବିସ୍ଥାପିତମାନେ ୧୯୪୮ ମସିହାରେ ପ୍ରଥମେ ମାଛକୁଣ୍ଡ, ୧୯୬୪ ମସିହାରେ ବାଲିମେଳାରେ ବିସ୍ଥାପିତ ହେଲେ। ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ପ୍ରକଳ୍ପ, ଦେଓ ପ୍ରକଳ୍ପ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ଅନୁସୂଚିତ ଜନଜାତି ବିସ୍ଥାପିତଙ୍କ ଥଇଥାନ ସ୍ପଷ୍ଟ ଉଲ୍ଲେଖ ନାହିଁ। ଅନୁଗୁଳ ଜିଲ୍ଲା ରେଙ୍ଗାଲି ଜଳଭଣ୍ଡାରର ୨୮ ଗାଁ, ଗୁହିରା ଜଳଭଣ୍ଡାରର ୧୧ ଗାଁ ର ମଧ୍ୟ କ୍ଷତିପୂରଣ ପାଇବା ନେଇ ବଞ୍ଚିତ ଥିବା ନେଇ ଅଭିଯୋଗ ରହିଛି। ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଯୋଗୁଁ ୫୯୯ ଆଦିବାସୀ ପରିବାର ବିସ୍ଥାପିତ ହେବେ। ନୁଆପଡ଼ା ଜିଲ୍ଲାର ଲୋୟରଇନ୍ଦ୍ରର ପ୍ରଭାବିତ ଏବଂ ବିସ୍ଥାପିତଙ୍କୁ ଉପଯୁକ୍ତ ଥଇଥାନ ନେଇ ଆଜିବି ପ୍ରଶାସନ ବିଫଳ ରହିଥିବା ଅଭିଯୋଗ ରହିଛି। ଏଠାରେ ଥିବା କାଲିମାଟି, ଝାଲକୁସୁମ ଗାଁର ୧୩୨ ବିସ୍ଥାପିତ ପରିବାରଙ୍କୁ ଥଇଥାନ କରାଯାଇନଥିବା ନେଇ ଅଭିଯୋଗ ରହିଛି। ଏହି ପ୍ରକଳ୍ପର କୌଣସି ବିସ୍ଥାପିତଙ୍କୁ କୃଷି କିମ୍ବା ଘରବାରି ଜମି ଦିଆଯାଇ ନାହିଁ। ରାଜ୍ୟରେ ଗରିବ ଜନଜାତି ବିସ୍ଥାପିତଙ୍କ ପ୍ରତି କିଭଳି ଅନ୍ୟାୟ ହୋଇଛି ହୀରାକୁଦ ଜଳଭଣ୍ଡାର ତାର ଉଦାହରଣ। ଏହାର ୨୬ ହଜାର ୫୬୧ ବିସ୍ଥାପିତ ହୋଇଥିଲେ। ଆଜିବି ସେମାନେ ଥଇଥାନ ପାଇଁ ସଂଘର୍ଷରତ ଅଛନ୍ତି। କେନ୍ଦୁଝର ଜିଲ୍ଲାରେ ସମୁଦାୟ ୬୨ଟି ଅନୁସୂଚିତ ଜନଜାତି ଅଛନ୍ତି। ସେଥିରୁ ୧୩ଟି ଆଦିମ ଜନଜାତି। ବୈତରଣୀ ପ୍ରକଳ୍ପ ଯୋଗୁଁ ସେମାନେ ପ୍ରଭାବିତ ଅଛନ୍ତି। ବଲାଙ୍ଗୀର ଜିଲ୍ଲାର ଲୋୟରସୁକତେଲ, ସୁନ୍ଦରଗଡ଼ ଜିଲ୍ଲାର ଷ୍ଟିଲପ୍ଲାଣ୍ଟ, ମନ୍ଦିରା ଡେମ, ଏନଟିପିସି ସମେତ ବର୍ତ୍ତମାନ ଅନେକ ଖଣି ଏଠାରେ ଗଢିଉଠିଛି। ଏଥିଯୋଗୁଁ ଅନେକ ଜନଜାତି ପ୍ରଭାବିତ ଏବଂ ବିସ୍ଥାପିତ ହୋଇଛନ୍ତି। ସେମାନଙ୍କ ଥଇଥାନ କିଭଳି କରାଯାଇଛି ଏବଂ ବର୍ତ୍ତମାନ ସେମାନେ କେଉଁ ସ୍ଥିତିରେ ଅଛନ୍ତି ତାର ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କୁହାଯାଇଛି। ଆଦିବାସୀଙ୍କ ନାଁରେ ଓଡ଼ିଶାର ଅନୁସୂଚିତ ଜନଜାତି ମହିଳାଙ୍କୁ ରାଷ୍ଟ୍ରପତି ପାଇଁ ଅଣ୍ଟାଭିଡ଼ିଛନ୍ତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର। ଦେଶର ଲକ୍ଷାଧିକ ଆଦିବାସୀଙ୍କ ବିକାଶ ସରକାର ନେଇଥିବା ପଦକ୍ଷେପ ଆଜିବି ସନ୍ଦେହ ଘେରରେ ରହିଛି।

Leave A Reply

Your email address will not be published.