ଅମାନବିକତା ଦେଖାଇଲେ, ପୋଲିସ ହାତରେ ଧରାପଡ଼ିଲେ ଇନ୍ସପେକ୍ଟର୍ ମାଡାମ୍‌

ଦ୍ରୁତଗାମୀ କାର ଆଉ ରାସ୍ତାରେ ଛିଡ଼ା ହୋଇଥିବା ଯାତ୍ରୀବାହୀ ଅଟୋ । ଉଭୟଙ୍କ ମଧ୍ୟରେ ମୁହାଁମୁହିିଁ ଧକ୍କା ପରେ ଭୟଙ୍କର ଦୁର୍ଘଟଣା ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ, ୬ ଗୁରୁତର । ସୋନପୁର-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବଡ଼ବାହାଲି ଛକ ନିକଟରେ ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ପରେ ପରେ ଉତ୍ୟକ୍ତ ଲୋକଙ୍କ ଟାର୍ଗେଟକୁ ଆସିଯାଇଥିଲା ଏକ କାର । କାରଣ ଏ କାରରେ ଯାଉଥିଲେ ଜଣେ ପୋଲିସ ଇନସ୍ପେକ୍ଟର, ଯିଏ କି ଆକ୍ସିଡେଣ୍ଟ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ଘଟଣା ପରେ ସ୍ଥାନୀୟ ଲୋକେ ଓ ପୋଲିସ ଆହତଙ୍କୁ ଉଦ୍ଧାର କରିବା ବେଳେ କାର ଭିତରୁ ମିଳିଥିଲା ଏହି ପୋଲିସ ଡ୍ରେସ୍ । ଯେଉଁଥିରେ ଥିବା ନେମ୍ ପ୍ଲେଟ୍‌ରେ ଲେଖାଅଛି, ସ୍ନିଗ୍ଧାରାଣୀ ସୁନା, ଇନସ୍ପେକ୍ଟର୍‌ ଅଫ୍ ପୋଲିସ । ତେଣେ କାରର ମାଲିକ ମଧ୍ୟ ନିଜେ ସ୍ନିଗ୍ଧାରାଣୀ ବୋଲି ଜାଣିବାକୁ ପାଇଛି ପୋଲିସ । ସୋନପୁରର ଏସପିଙ୍କ ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ ସ୍ନିଗ୍ଧାରାଣୀ ପୁରୀରୁ ରଥ ଡ୍ୟୁଟି ସାରି ଭୋରରୁ ଫେରୁଥିଲେ । ତାଙ୍କ ଡ୍ରାଇଭର କାର ଚଳାଉଥିଲା । ବଡ଼ବାହାଲି ଛକ ନିକଟରେ ସାମ୍ନାପଟୁ ଆସୁଥିବା ଏକ ଅଟୋକୁ ରଙ୍ଗ୍ ସାଇଡକୁ ଯାଇ କାର୍‌କୁ ଧକ୍କା ଦେଇଥିବା କହିଛନ୍ତି ସୋନପୁର ଏସ୍ପିି ।

ଏ ଦୁର୍ଘଟଣାରେ ସମସ୍ତ ମୃତାହତ ଗରିବ ଓ ଦିନ ମଜୁରିଆ ଶ୍ରେଣୀର ସବୁଦିନ ଭଳି ଆଜି ବି ବଲାଙ୍ଗିର ରାଘବପାଲି ଅଞ୍ଚଳରୁ ପନିପରିବା ଚାରା ବିକ୍ରି ପାଇଁ ସୋନପୁର ଯାଉଥିଲେ । ହେଲେ ଅଧା ରାସ୍ତାରେ ସେମାନଙ୍କୁ ଅପେକ୍ଷା କରି ରହିଥିଲା ମୃତ୍ୟୁ । ଅଟୋ ନିକଟରେ ଛିଡ଼ା ହୋଇଥିବା ଜଣେ ବାଇକ ଆରୋହୀ ମଧ୍ୟ ଏ ଦୁର୍ଘଟଣାର ଶିକାର ହୋଇଛନ୍ତି । ୬ ଗୁରୁତରଙ୍କୁ ସୋନପୁର, ବଲାଙ୍ଗିର ଓ ଜଣେ ଅତି ସଙ୍କଟାପନ୍ନଙ୍କୁ ବୁର୍ଲା ସ୍ଥାନାନ୍ତ କରାଯାଇଥିଲା ।

ଏପଟେ ପୋଲିସ ଅଧିକାରୀଙ୍କ ଗାଡ଼ି ଏ ଦୁର୍ଘଟଣା ଘଟାଇଥିବା ଏବଂ ୩ ଜଣଙ୍କ ପରିବାର ଉଚ୍ଛନ୍ନ ହୋଇଥିବାରୁ ଉତ୍ତ୍ୟକ୍ତ ହୋଇଉଠିଥିଲେ ସ୍ଥାନୀୟ ଲୋକେ । କ୍ଷତିପୂରଣ ଦାବି ଓ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଆନ୍ଦୋଳନକୁ ଓହ୍ଲାଇଥିଲେ । ଫଳରେ ପ୍ରାୟ ୪ ଘଣ୍ଟା ଧରି ଠପ୍ ହୋଇଯାଇଥିଲା ଜାତୀୟ ରାଜପଥରେ ଗାଡ଼ି ଚଳାଚଳ । ସୋନପୁର ଉପଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳକୁ ଆସି ଲୋକଙ୍କୁ ବୁଝାସୁଝା ପରେ ଆନ୍ଦୋଳନ ହଟିଥିଲା ।

ଏ ଦୁର୍ଘଟଣା ପରେ ପୋଲିସର ମାନବିକତାକୁ ନେଇ ଉଠିଛିି ପ୍ରଶ୍ନ । ନୀତି ଓ ନିୟମର ରକ୍ଷାକର୍ତ୍ତା ହୋଇ ବି ଦୁର୍ଘଟଣାରେ ୬ ଜଣ ଗୁରୁତରଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ରାସ୍ତାରେ ଯନ୍ତ୍ରଣାଶିକ୍ତ ଅବସ୍ଥାରେ ଛାଡ଼ି ଦେଇ ପୋଲିସ ଅଧିକାରୀ ଜଣକ ଚାଲିଗଲେ କେମିତି? ତେବେ ଏ ଚର୍ଚ୍ଚା ଭିତରେ ସଂପୃକ୍ତ ଲେଡି ଇନ୍ସପେକ୍ଟର ବଲାଙ୍ଗିରରୁ ଧରାପଡ଼ିଥିବା ସୂଚନା ଦେଇଛି ସୋନପୁର ପୋଲିସ । ଦୁର୍ଘଟଣା ଘଟାଇଥିବା କାରର ଡ୍ରାଇଭର ବି ଗିରଫ ହୋଇଛି ।

Leave A Reply

Your email address will not be published.