mobile header

OPSC ଆଶାୟୀଙ୍କ ଆଶା ଧୂଳିସାତ୍ ! ୭୦୩୯ ଜଣଙ୍କ ଦରଖାସ୍ତ ନାକଚ କଲେ କମିଶ

ଓପିଏସ୍‌ସି ଆଶାୟୀଙ୍କ ସ୍ୱପ୍ନ ଧୁଳିସାତ । ଛୋଟ ତ୍ରୁଟି ପାଇଁ ଦରଖାସ୍ତ ବାତିଲ । ରାଜ୍ୟର ୭ ହଜାର ୩୯ ଜଣ ଓଡ଼ିଶା ସିଭିଲ୍ ସର୍ଭିସ୍ ଆଶାୟୀ ଦେଇ ପାରିବେନି ପରୀକ୍ଷା । କାରଣ କମିସନ୍ ଏମାନଙ୍କ ଫର୍ମକୁ ନାକଚ କରିଦେଇଛନ୍ତି । ଯାହାକି ଆଶାୟୀଙ୍କ ମୁଣ୍ଡରେ ଚଡକ ସଦୃଶ । ଆଶାୟୀଙ୍କ ଦାବି ତ୍ରୁଟି ସୁଧାରିବା ଲାଗି ଦ୍ୱିତୀୟ ସୁଯୋଗ ମିଳୁ । ପୂର୍ବତନ ଓପିଏସ୍‌ସି ଅଧ୍ୟକ୍ଷଙ୍କ ମତ କମିଶନ ନିଜେ ଚାହିଁଲେ ଦ୍ୱିତୀୟ ସୁଯୋଗ ଦେଇପାରିବେ । ସେପଟେ ସଚେତନ ହୋଇ ସିଭିଲ ସର୍ଭିସ ଫର୍ମ ପୂରଣ କରିବାକୁ ପରାମର୍ଶ ଦେଇଛନ୍ତି ଏକ୍ସପର୍ଟ ।

୭ ହଜାର ୩୯ ଓଡିଶା ସିଭିଲ ସର୍ଭିସ ଆକାଂକ୍ଷୀ ଦେଇପାରିବେ ନାହିଁ ପ୍ରିଲିମ ପରୀକ୍ଷା । ଛୋଟିଆ ତ୍ରୁଟି ପାଇଁ ଆବେଦନକୁ ନାକଚ କଲା ଓଡିଶା ପବ୍ଲିକ୍ ସର୍ଭିସ କମିଶନ । ଓପିଏସ୍‌ସି ଦରଖାସ୍ତ ନାକଚ୍‌ର କାରଣ ମଧ୍ୟ ଉଲ୍ଲେଖ କରିଛନ୍ତି କମିଶନ । ଦରଖାସ୍ତଗତ ତ୍ରୁଟି ଲାଗି ଏକକାଳୀନ ଏତେ ସଂଖ୍ୟକ ଆବେଦନକୁ ନାକଚ କରିଦେଇଛି ଓପିଏସ୍‌ସି । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

ତେବେ ନାକଚ୍ ଲାଗି କମିଶନ ନିଜ ୱେବସାଇଟ୍‌ରେ ଦର୍ଶାଇଥିବା କାରଣ ଗୁଡିକ ମଧ୍ୟରେ ରହିଛି; ବ୍ୟକ୍ତିଗତ ବିବରଣୀ ନଦେବା, ଠିକଣା ବିବରଣୀ ନଦେବା, ଫିଜିକାଲ ମେଜରମେଣ୍ଟ, ଶିକ୍ଷାଗତ ଯୋଗ୍ୟତା ବିବରଣୀ ନଥିବା ଓ ଅନ୍ୟ ପ୍ରମାଣ ପତ୍ର ଅନ୍ ଲାଇନ୍‌ରେ ଅପ୍‌ଲୋଡ୍‌ ହୋଇନଥିବା । ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରିଲିମ୍, ମେନ୍ ଓ ଇଣ୍ଟରଭ୍ୟୁ ଭଳି ତିନିଟି ସ୍ତରରେ ପରୀକ୍ଷା ହୋଇଥାଏ । ବର୍ଷ ବର୍ଷ ଧରି ପିଲାମାନେ ପ୍ରସ୍ତୁତି କରୁଛନ୍ତି । ବାହାରେ ରହି କୋଚିଂ ମଧ୍ୟ ନେଉଛନ୍ତି । ଏଥିଲାଗି ଆଶାୟୀ ମାନଙ୍କ ଦାବି ହେଲା ପିଲାଙ୍କୁ ପୁଣିଥରେ ସୁଯୋଗ ଦିଆଯାଉ ।

ଗତ ବର୍ଷ ସିଭିଲ ସର୍ଭିସ୍‌ର ୪୦୫ ପଦ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜାନୁଆରୀ ୧୦ରୁ ଫେବୃଆରୀ ୧୮ ଯାଏ ଆଶାୟୀ ମାନେ ଅନ୍‌ଲାଇନ୍ ଯୋଗେ ଆବେଦନ କରିଥିଲେ । ତେବେ ପୂର୍ବରୁ କେବଳ ଫି ଡିପୋଜିଟ ହୋଇନଥିବା ଆବେଦନକାରୀଙ୍କ ଫର୍ମ ବାତିଲ ହେଉଥିବା ଘଟଣା ନଜରକୁ ଆସୁଥିବାବେଳେ ଏଥର ଏକାଧିକ ଛୋଟ ଛୋଟ କାରଣ ଲାଗି ଫର୍ମ ନାକଚ୍ ହୋଇଛି ।

ଓପିଏସ୍‌ସିର ପୂର୍ବତନ ଅଧ୍ୟକ୍ଷଙ୍କ ମତ ଅନୁଯାୟୀ, ଆଶାୟୀ ଚାହିଁଲେ କମିଶନଙ୍କ ନିକଟରେ ସିଧାସଳଖ ଅପିଲ୍ କରିପାରିବେ ଏବଂ ଅପିଲ ସଂଖ୍ୟା ଓ ସମସ୍ୟାର ଗୁରତ୍ୱକୁ ବିଚାର କରି କମିଶନ ଅଧ୍ୟକ୍ଷ ପୁଣିଥରେ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇପାରିବେ । ଅନ୍ୟପଟେ ଏକ୍ସପର୍ଟଙ୍କ ମତରେ, ଆବେଦନ ସମୟରେ ଯଥେଷ୍ଟ ସତର୍କତାର ସହ ଆବେଦନ କରିବାର ଆବଶ୍ୟକତା ରହିଛି । ନଚେତ ଅନ୍‌ଲାଇନ୍ ସିଷ୍ଟମ ଫର୍ମକୁ ନାକଚ କରିଦେଇଥାଏ ।

Leave A Reply

Your email address will not be published.