mobile header

ଦ୍ରୌପଦୀ ମୁର୍ମୁଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ଅମିତ ମାଲବିୟଙ୍କ ବିରୋଧରେ ରୁଜୁ ହେଲା ଏତଲା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଅମିତ ମାଲବିୟଙ୍କ ବିରୋଧରେ ଏତଲା ରୁଜୁ କଲା କଂଗ୍ରେସ। ଦଳ ଅଭିଯୋଗ କରିଛି ଯେ, କଂଗ୍ରେସ ନେତା ଅଜୟ କୁମାର ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଦେଇଥିବା ବିବୃତିକୁ ଭୁଲ ଭାବରେ ଲୋକଙ୍କ ସାମ୍ନାକୁ ଆଣିଥିବାରୁ ଉଭୟଙ୍କ ବିରୋଧରେ ଏତଲା ରୁଜୁ କରିଛି କଂଗ୍ରେସ।

ସୋମବାର ଝାଡଖଣ୍ଡ କଂଗ୍ରେସ ମୁଖପାତ୍ର ରାଜୀବ ରଂଜନ ପ୍ରସାଦ କୋତୱାଲୀ ପୁଲିସ ଷ୍ଟେସନରେ ଅମିତ ମାଲବିୟ, ସ୍ମୃତି ଇରାନୀ ଏବଂ ପ୍ରୀତି ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ଏଫଆଇଆର ସେ ଲେଖିଛନ୍ତି ଯେ ୩ଜଣ ସୁଚିନ୍ତିତ ଷଡଯନ୍ତ୍ରର ଏକ ଅଂଶ ଭାବରେ କଂଗ୍ରେସର ଜାତୀୟ ମୁଖପାତ୍ର ଡ.ଅଜୟ କୁମାର ଏଏନଆଇକୁ ଦେଇଥିବା ପ୍ରତିକ୍ରିୟାକୁ କଦର୍ଥ କରି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏଭଳି କରି ସେମାନେ ଦଳର ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ଏହା କରି ବିଜେପି ଆଦିବାସୀ ସମାଜକୁ ଅପମାନିତ କରିବା ସହିତ ଦ୍ରୌପଦୀ ମୁର୍ମୁଜୀଙ୍କୁ ମଧ୍ୟ ଅପମାନିତ କରିଛି।

କଂଗ୍ରେସ ନେତା କହିଛନ୍ତି ଯେ ଆଦିବାସୀ ସଶକ୍ତିକରଣ କିମ୍ବା ଉନ୍ନତି ସହିତ ବିଜେପିର କୌଣସି ସମ୍ପର୍କ ନାହିଁ। ବିଜେପି ସରକାର ସମୟରେ ଆଦିବାସୀଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଇଛି। ଅତିକମରେ ୧୦,୩୦୨ ମାମଲା କୋର୍ଟରେ ବିଚାରାଧୀନ ଅଛି ଏବଂ ୮.୨୭୨ ମାମଲା ପଞ୍ଜିକୃତ ହୋଇଛି। ତେବେ ଯେଉଁ ବିବୃତିକୁ ନେଇ ଏହି ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି ସେହି ବିବୃତି କିଛି ଦିନ ପୂର୍ବରୁ କଂଗ୍ରେସ ନେତା ଅଜୟ କୁମାର ଦେଇଥିଲେ।

ସେ କହିଥିଲେ ଯେ, ଏହା କେବଳ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ନୁହେଁ। ଯଶୱନ୍ତ ସିହ୍ନା ମଧ୍ୟ ଜଣେ ଭଲ ପ୍ରାର୍ଥୀ ଏବଂ ମୁର୍ମୁ ମଧ୍ୟ ଜଣେ ଭଲ ମହିଳା। କିନ୍ତୁ ସେ ଭାରତର ଏକ କୁତ୍ସିତ ଆଦର୍ଶକୁ ପ୍ରତିନିଧିତ୍ୱ କରନ୍ତି। ଆମେ ତାଙ୍କୁ ‘ଆଦିବାସୀ’ଙ୍କ ପ୍ରତୀକ କରିବା ଉଚିତ୍ ନୁହେଁ। ଆମର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଥିବା ବେଳେ ହାଥରସ ପରି ଘଟଣା ଘଟିଗଲା। ହେଲେ ସେ ଏହି ଘଟଣାକୁ ନେଇ କିଛି ବି କହିଲେ ନାହିଁ। ଅନୁସୂଚିତ ଜାତିର ଅବସ୍ଥା ଏବେ ଦେଶରେ ବିଗିଡିବାରେ ଲାଗିଛି।

Leave A Reply

Your email address will not be published.