mobile header

ରୁଚିକାଙ୍କୁ ନ୍ୟାୟ ପାଇଁ ଆନ୍ଦୋଳନ: ପୁଲିସ୍‌-ଆନ୍ଦୋଳନକାରୀ ଧସ୍ତାଧସ୍ତି, ୫୦ ଅଟକ

ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବା ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌ ଓ ନବନିର୍ମାଣ ଯୁବଛାତ୍ର ସଂଗଠନ କର୍ମକର୍ତ୍ତା। ଆଜି ରାଜଧାନୀରେ ସଙ୍ଗଠନର ଶତାଧୀକ କର୍ମକର୍ତ୍ତା ପିକେଟିଂ କରୁଥିବା ବେଳେ ପୁଲିସ୍‌ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ଏପରିକି ପୁଲିସ୍‌ ସଙ୍ଗଠନ ସଭାପତିଙ୍କ ସମେତ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କମକର୍ତ୍ତାଙ୍କୁ ଉଠାଇ ନେଇଥିବା ଜଣାଯାଇଛି।ରୁଚିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶା ବନ୍ଦ ପାଳନ ଅବସରରେ ବିଶାଳ ରାଲି କରାଯାଇ ଏଥିରେ ଶତାଧୀକ କର୍ମକର୍ତ୍ତା ସାମିଲ ହୋଇଥିଲେ। ରାଲି ସହର ପରିକ୍ରମା କରିବା ବେଳେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପୁଲିସ୍‌ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ପୁଲିସ୍‌ ବହୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିବା ବେଳେ ଗର୍ଜିଛନ୍ତି ସଙ୍ଗଠନ ସଭାପତି ଅଲ୍ଲି ।ଏନେଇ ସେ କହିଛନ୍ତି, ଶାନ୍ତିପୂର୍ଣ୍ଣ ଭାବେ ରାଲି କରାଯାଉଛି। ପୁଲିସ୍‌ ଦୋଷୀକୁ ଧରିପାରୁ ନଥିବା ବେଳେ ନିଜ ଦୋଷକୁ ଘଣ୍ଟ ଘୋଡ଼ାଉଛି। ଗୋଟିଏ ଝିଅର ନ୍ୟାୟ ପାଇଁ, ସମ୍ମାନ ପାଇଁ ଆମେ ଭୁବନେଶ୍ୱର ବୁଲୁଛୁ। ଆମେ ଅହିଂସା ଉପାୟ ଆପଣାଇଛୁ। ହେଲେ ପୁଲିସ୍‌ ଆମକୁ ଦମନ କରିବାକୁ ଚେଷ୍ଟା ଚଳାଇଛି। ପୁଲିସ୍‌ ଗୁଣ୍ଡାରାଜ ଚଳାଇଛି। ଆମେ ଗୁଳି ଖାଇବୁ ପଛେ ପଛକୁ ହଟିବୁ ନାହିଁ ।ପୁଲିସ୍‌ ଆମକୁ ଉଠାଇ ନେଲେ ବି ଆମ ସ୍ୱରକୁ ଚାପି ପାରିବନି। ଆଗାମୀ ଦିନରେ ନବୀନ ନିବାସ ତାଲା ପଡ଼ିବ । ଶିକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ, ଶିକ୍ଷା ସଚିବ ଯୁଆଡ଼େ ଯିବେ ବିରୋଧ କରାଯିବ ବୋଲି କହିଛନ୍ତି ଅଲ୍ଲୀ।ଏହାବାଦ ରାଜ୍ୟର ବିଭିନ୍ନ ସ୍ଥାନରେ ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ବନ୍ଦ ପାଳନ କରାଯାଉଛି। ଭଦ୍ରକ ସହର ଓ ୧୬ ନମ୍ବର ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସଂଗଠନର କର୍ମକର୍ତ୍ତା । ସେହିପରି ରୁଚିକାଙ୍କ ଗାଁ ଅଠଗଡ଼ର କଖଡ଼ିରେ ବି ବନ୍ଦ ପାଳନ କରାଯାଉଛି ରାସ୍ତାରୋକ ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱରରେ ମଧ୍ୟ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ଛାତ୍ର କଂଗ୍ରେସ।

Leave A Reply

Your email address will not be published.