
ବାରିପଦା ପୌରପାଳିକା ଅଧିନ ୨୨ ନମ୍ବର ୱାର୍ଡରେ ଆମ୍ ଆଦମୀ ପାର୍ଟି ତରଫରୁ ୨୦୦ ଇଉନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଦେୟ ଛାଡ ପାଇଁ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟୁତ୍ ଆନ୍ଦୋଳନର ବାରିପଦା ସହର ସଂଯୋଜକ ଶ୍ରୀ ସୁକୁମାର ରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ଏହି ଅଭିଯାନ ପରିଚାଳିତ ହୋଇଛି। ଦସ୍ତଖତ ଦେବା କାଳରେ ଲୋକମାନେ ତାଙ୍କର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅବଗତ କରାଇଥିଲେ। ସେମାନେ ରାସ୍ତା, ବିଦ୍ୟୁତ୍ ଦେୟ ବୃଦ୍ଧି, ଆକାଶଛୁଆଁ ଦରଦାମ୍, ବେକାର ସମସ୍ୟା ଉପରେ ମଧ୍ଯ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଆଧିକାଂଶ ଲୋକ ଦିଲ୍ଲୀର ସୁଶାସନ ଓ ବିଦ୍ୟୁତ୍ ଦେୟ ଛାଡ ସମ୍ବନ୍ଧରେ ଅବଗତ ଅଛନ୍ତି ଏବଂ ଓଡିଶାରେ ଯେଉଁଠାରେ ବଳକା ବିଦ୍ୟୁତ୍ ଉତ୍ପାଦନ ହେଉଛି ସେଠାରେ ବିଦ୍ୟୁତ ଦେୟ ଛାଡ ନହେବ କାହିଁକି ବୋଲି ପାଲଟା ପ୍ରଶ୍ନ କରିଥିଲେ। ଲୋକମାନେ ସ୍ଵତଃପ୍ରବୃତ୍ତ ଭାବେ ଏହି ଅଭିଯାନରେ ସାମିଲ ହୋଇଥିଲେ। ତେବେ ଆପ ର ଏହି ଅଭିଯାନରେ ଅଧ୍ୟାପକ ଗୋପବନ୍ଧୁ ମହାନ୍ତ, ଶ୍ରୀ ଚନ୍ଦନ କିସ୍କୁ, ଶ୍ରୀ ନନ୍ଦ କୁମାର ମହାପାତ୍ର, ବାଦଲ ହେମ୍ବ୍ରମ, କାଶୀନାଥ ମାହାନା, ସଇଦା ବିବି, ମହମ୍ମଦ ନୌସାଦ୍, ଏସ୍ କେ ନାଜିମୁଦ୍ଦିନ୍, ଏସ କେ ରାଜା ପ୍ରମୁଖ ସାମିଲ ଥିଲେ।
