xmas

ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଟିତ ।

ମାଲକାନଗିରି, ୨୭।୭ ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ସରକାରଙ୍କ ବିଦ୍ୟୁତ ମନ୍ତ୍ରଣାଳୟ ଏବଂ ନବୀନ ଓ ନବୀକରଣ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଓପିଟିସିଏଲ, ଏନଟିପିସି ଓ ଟାଟା ପାୱାର ସାଉଥର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ସମାରୀ ତାଙ୍ଗୁଲ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ଓ ବିଡିଓ ଅଜୟ କୁମାର ପ୍ରଧାନ ଯୋଗ ଦେଇ ପୂର୍ବରୁ ଦେଶରେ ବିଦ୍ୟୁତର ଅଭାବ ଦେଖା ଦେଉଥିବା ବେଳେ ଗତ ୮ ବର୍ଷ ମଧ୍ୟରେ ଦେଶ ବିଦ୍ୟୁତ ଶକ୍ତି, ଅକ୍ଷୟ ଶକ୍ତି ଉତ୍ପାଦନ କରି ପ୍ରତ୍ୟେକ ଉପଭୋକ୍ତାଙ୍କୁ ନିରବିଚ୍ଛିନ୍ନ ଭାବେ ସେବା ଯୋଗାଇ ଦେଇ ଆସୁଥିବା ପ୍ରକାଶ କରିଥିଲେ । ସ୍ୱାଧିନତାର ୬୭ ବର୍ଷ ପରେ ମଧ୍ୟ ହଜାର ହଜାର ଗ୍ରାମକୁ ବିଜୁଳି ସଂଯୋଗ ହୋଇନଥିବା ବେଳେ କୋଟି କୋଟି ପରିବାର ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଆସୁଥିଲେ । କିନ୍ତୁ ବର୍ତ୍ତମାନ ଫଳରେ ପ୍ରତ୍ୟେକ ଘର ଆଲୋକିତ ହୋଇପାରିଛି ବୋଲି କହିଥିଲେ । ବର୍ତ୍ତମାନ ଲୋ ଭୋଲଟେଜ ସମସ୍ୟା, ବିଦ୍ୟୁତ କାଟ ସମସ୍ୟାରୁ ଲୋକେ ମୁକ୍ତ ହୋଇଛନ୍ତି ବୋଲି କହିଥିଲେ । ମାଲକାନଗିରି ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ସୌଭାଗ୍ୟ ଯୋଜନା ଓ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ୪୬୩୮୯ ଟି ନୂତନ ସଂଯୋଗ ଦିଆଯାଇଥିବା ବେଳେ ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା ଓ ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନାରେ ୭୮୯୬ ଟି ନୂତନ ସଂଯୋଗ ଦିଆଯାଇଛି । ସେହିଭଳି ମାଲକାନଗିରି ଜିଲ୍ଲାରେ ଗତ ୮ ବର୍ଷ ମଧ୍ୟରେ ଓପିଟିସିଏଲ ପକ୍ଷରୁ ୨୨୦/୩୩ କେଭିର ୩ ଟି ସବ ଷ୍ଟେସନ ପ୍ରତିଷ୍ଠା ସହ ୩୩/୧୧ କେଭିର ପ୍ରାଥମିକ ସବଷ୍ଟେସନ ୫ ଟି ପ୍ରତିଷ୍ଠା କରାଯାଇଛି । ଯାହାଫଳରେ ପୂର୍ବଭଳି ଲୋ ଭୋଲଟେଜ ଓ ବିଦ୍ୟୁତ କାଟ ସମସ୍ୟା ବନ୍ଦ ହୋଇଛି ବୋଲି କହିଥିଲେ । ଏ ଅବସରରେ ପଥପ୍ରାନ୍ତ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଟାଟା ପାୱାର ସାଉଥର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ସହକାରୀ ଯନ୍ତ୍ରୀ ସୁରୋଜ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓପିଟିସିଏଲରର ଡିଜିଏମ ଲକ୍ଷ୍ମୀକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଟାଟା ପାୱାର ସାଉଥର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ନିର୍ବାହୀ ଯନ୍ତ୍ରୀ ପ୍ରତାପ କେଶରୀ ନାୟକଙ୍କ ସମେତ ଏନଟିପିସିର ଅଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ଉପଭୋକ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.