xmas

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦାବି କଲେ ବିଜୟ ମହାପାତ୍ର । କହିଲେ, ପୂର୍ବରୁ ୩ ଥର ଖୋଲା ହେଇଛି, ଏବେ ଖୋଲିଲେ ଅସୁବିଧା କେଉଁଠି?

ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରେସମିଟ୍ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ତୁରନ୍ତ ରାଜ୍ୟ ସରକାର ରତ୍ନଭଣ୍ଡାରକୁ ଖୋଲନ୍ତୁ ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି, ୧୯୭୮,୧୯୮୨,୧୯୮୫ ମସିହାରେ ୩ ଥର ରତ୍ନଭଣ୍ଡାର ଖୋଲା ଯାଇଥିଲା । ରତ୍ନଭଣ୍ଡାର କମିଟି ଗଠନ ହୋଇଥିଲା । ୧୯୮୫ର ରିପୋର୍ଟ ଅନୁଯାୟୀ ରତ୍ନଭଣ୍ଡାରରେ ୧୨, ୮୩୮ ଭରି ସୁନା ଅଛି । ଯାହାକି ପ୍ରାୟ ୧୦୦ କୋଟି ଟଙ୍କାର ସମ୍ପତ୍ତି ହେବ । ତେବେ ରତ୍ନଭଣ୍ଡାରରେ ୨୨,୦୦୦ ଭରି ରୁପା ଥିଲା, ଯାହା ଏବେ ଅଛି କି ନାହିଁ ବୋଲି ସେ କହିଛନ୍ତି ।

୧୯୮୨ଓ ୧୯୮୫ରେ ଯଦି ରତ୍ନଭଣ୍ଡାର ଖୋଲା ହୋଇ ଗଣତି ହୋଇଥିଲା, ତେବେ ଏବେ ଖୋଲି କି ଗଣତିରେ ଅସୁବିଧା କେଉଁଠି ? ଆମେ ଜାଣିବା ଦରକାର ସେଠି ସେ ଜିନିଷ ଅଛି କି ନାହିଁ । ତେଣୁ ଯେତିକି ବିଳମ୍ବ ହେବ ରାଜ୍ୟ ସରକାର ସେତିକି ସନ୍ଦେହ ଘେରକୁ ଆସିବେ । ରାଜ୍ୟ ସରକାରଙ୍କ ମୁଷ୍ଟିମେୟ ଅଫିସରଙ୍କ ଅହଙ୍କାର ପାଇଁ ହିଁ ରତ୍ନଭଣ୍ଡାର ଖୋଲିପାରୁନି ବୋଲି କହିଛନ୍ତି ବିଜୟ ମହାପାତ୍ର ।

ରତ୍ନଭଣ୍ଡାର ମାଲିକ ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ସରକାରୀ ଅଧିକାରୀ ଭାବୁଛନ୍ତି ରତ୍ନଭଣ୍ଡାର ମାଲିକ ସରକାର, ସେଥିପାଇଁ ଖୋଲୁନାହାନ୍ତି । ପ୍ରାବଧାନ ରହିଛି ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିବେ । ହେଲେ ଅନୁମତି ବିଳମ୍ବରେ ପ୍ରଦାନ କରିବା ମଧ୍ୟ ଆଇନର ଅବମାନନା । ରାଜ୍ୟ ସରକାର ଏ ଚରମ ଅବହେଳାରୁ ବଞ୍ଚିତ ହୁଅନ୍ତୁ । ତେବେ ପ୍ରସ୍ତାବର ଆବଶ୍ୟକତା ବି ନାହିଁ, ସରକାର ଚାହିଁଲେ ରତ୍ନଭଣ୍ଡାର ଖୋଲି ପାରିବେ। ଗଜପତି ମହାରାଜା ମଧ୍ୟ ଏହାର ନେତୃତ୍ୱ ନେବା ଦରକାର, ଖାଲି କହିଦେଇ ଘରେ ବସିଲେ ହେବ ନାହିଁ ବୋଲି ପ୍ରେସମିଟ କରି କହିଛନ୍ତି ବିଜୟ ମହାପାତ୍ର ।

Leave A Reply

Your email address will not be published.