-ଜ୍ୟୋତ୍ସ୍ନାରାଣୀ ମହାପାତ୍ର
ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା ଓ ଭାଗବତ ଜନ୍ମ ପରଦିନ ଆଶ୍ୱିନମାସର ପ୍ରଥମଦିନଟି ପ୍ରତିପଦ ପୂର୍ବଭାଦ୍ର ମୀନ ତିଥିରେ ଆରମ୍ଭ ହୁଏ ଅପରପକ୍ଷ । ଅପରପକ୍ଷ ଶେଷ ହୋଇଥାଏ ଉତ୍ତରାଫାଃ ସିଂହ ତିଥି ମହାଳୟା ଅମାବାସ୍ୟାରେ । ମନୁଷ୍ୟର ଜନ୍ମଠାରୁ ଯେତେସବୁ କ୍ରୀୟାକର୍ମ ରହିଛି, ସେଥିମଧ୍ୟରୁ ମନୁଷ୍ୟର ଶେଷକର୍ମଟି ହେଲା ମୃତ୍ୟୁ, ଶବସତ୍କାର ବା ଶେଷକୃତ୍ୟ । ଏହି ଶେଷ କର୍ମଟିର ତାତ୍ପର୍ଯ୍ୟ ଏହାଯେ, ମୃତ ମଣିଷଟିକୁ ଉକ୍ତ କ୍ରୀୟାକର୍ମ ସାରି ତା’ର ପିତୃପୁରୁଷଙ୍କ ସହ ପରିଚିତ କରାଇବା ଅର୍ଥାତ ତାଙ୍କୁ ପିତୃପୁରୁଷରେ ଗଣାଯିବା ।
ପିତୃପକ୍ଷ ଆରମ୍ଭ ହେବା ଦିନଠାରୁ ବିଶେଷ କିଛି ବିଧିପୂର୍ବକ କାର୍ଯ୍ୟକରି ଜଳ/ତିଳ ତର୍ପଣ, ପୂଜା ବସୁଧ୍ୟ, ସୁଦ୍ଧ ସାକାହାର, କାକଙ୍କୁ ଖାଦ୍ୟ ଦେବା ସହ ମାର୍ଜିତ ଓ ସକରାତ୍ମକ ଚିନ୍ତାଧାରା ନେଇ ଶ୍ରଦ୍ଧା ପୂର୍ବକ ଦିନଚର୍ଯ୍ୟା ପାଳନ କରିବା । ମହାଳୟା ଦିନ ଶ୍ରଦ୍ଧାପୂର୍ବକ ଶ୍ରାଦ୍ଧ ଦେଇ ଅପରପକ୍ଷ ସମାପନ କରାଯାଏ । ଏଠାରେ ଗୋଟିଏ କଥାଅଛି- ଜଗୁ ଓ ରଘୁ ଦୁଇଭାଇ । ବଡ଼ଭାଇ ଜଗୁ ମହାଳୟା ଦିନ ନିଜ ଜ୍ଞାତିକୁଟୁମ୍ବଙ୍କୁ ଡାକି ଶ୍ରାଦ୍ଧର ଆଡ଼ମ୍ବରପୂର୍ଣ୍ଣ ବ୍ୟବସ୍ଥା କରିଥାଏ । ଏହାର ଉଦ୍ଦେଶ୍ୟଟି ହେଲା ଜଗୁ ଓ ତାଙ୍କ ପତ୍ନୀ ସଂସ୍କାରର ଡିଣ୍ଡିମ ପିଟୁଥିବା ଖୋଳପାଭିତରେ ନିଜର ବିଭିନ୍ନ କୁତ୍ସିତ ଓ ବିଭତ୍ସ ରୂପକୁ ଲୁଚାଇ ରଖି ବାଃ ବାଃ ନେବା । ଶ୍ରାଦ୍ଧ ଦିନ ଦେଖେଇହେବାର ବିଭିନ୍ନ ଆୟୋଜନ ମଧ୍ୟରେ ପିତୃପୁରୁଷଙ୍କୁ ଭୋଜନ ଦେବାର ବିଧିକୁ ଭୁଲି ଯାଇଥା’ନ୍ତି ଜଗୁ ଓ ତାଙ୍କ ପତ୍ନୀ । ଜଗୁଙ୍କ ପତ୍ନୀ ପେଟପୁରା ଖାଇ ନିଜର ବଡ଼ିମା ଗପିଚାଲିଥାଏ ପିତୃପୁରୁଷଙ୍କ ଭୋଜନ ବିଧିକୁ ଭୁଲି । ସେପଟେ ସାନଭାଇ ରଘୁ ଓ ତାଙ୍କ ପତ୍ନୀ ବିଧିପୂର୍ବକ କାର୍ଯ୍ୟସାରି ପିତୃପୁରୁଷଙ୍କୁ ଶୁଦ୍ଧ ଚିତ୍ତରେ ଭୋଜନ ପରଷି ମହାଳୟା ଶ୍ରାଦ୍ଧ ସମାପନ କରନ୍ତି । ପିତୃପୁରୁଷଙ୍କୁ ଖାଦ୍ୟ ଦେବା ଉଦ୍ଦେଶ୍ୟରେ ଘରବାହାରେ ଖାଦ୍ୟ ରଖିଦେଇ ଆସିଥା’ନ୍ତି । ଉକ୍ତ ଭୋଜନକୁ କାକମାନେ ଗ୍ରହଣ କରିସାରିଥାନ୍ତି । ସେତିକିବେଳେ ସ୍ୱର୍ଗରୁ ପିତୃପୁରୁଷମାନେ ମର୍ତ୍ତ୍ୟକୁ ଓହ୍ଲାଇ ଆସି ନିଜ ନିଜ ଗୃହକୁ ଶ୍ରଦ୍ଧାରେ ଶ୍ରାଦ୍ଧ ଗ୍ରହଣ କରିବାକୁ ଗଲେ । ଜଗୁ ଓ ରଘୁର ବାପା ଯାଇ ଦେଖନ୍ତି ତ ଜଗୁ ଘରେ ସମସ୍ତେ ପେଟପୁରା ଭୋଜନ ସାରି ନିଜର ବଡ଼ିମା ବଖାଣିବା ସହ ପରନିନ୍ଦା ଚର୍ଚ୍ଚାରେ ମସ୍ଗୁଲ୍ ଥାନ୍ତି । ସେଠାରୁ ପିତୃପୁରୁଷ ମନଦୁଃଖରେ ରଘୁ ଘରକୁ ଆସି ଦେଖନ୍ତି ତ ଶ୍ରଦ୍ଧା ଓ ଭକ୍ତିର ସହ ଖାଦ୍ୟ ପରଷା ହୋଇ ରହିଛି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ, ତାହା ଗ୍ରହଣ କରି ଖୁସିମନରେ ଅନେକ ଆର୍ଶୀବାଦ ଦେଇ ଫେରିଗଲେ । ଗଙ୍ଗା କୂଳରେ ସମସ୍ତ ପିତୃପୁରୁଷ ଏକତ୍ରିତ ହୋଇ ନିଜ ନିଜ ପୁତ୍ରଙ୍କ ଠାରୁ ଶ୍ରାଦ୍ଧ ଗ୍ରହଣ କରିବା କଥା ବଖାଣୁଥା’ନ୍ତି । କିନ୍ତୁ ସେତିକିବେଳେ ଜଗୁ ଓ ରଘୁର ବାପା ମଧ୍ୟ ଦୁଇ ପୁଅଙ୍କ କଥା କହିଲେ- ତାହା ଶୁଣି ସମସ୍ତ ପିତୃପୁରୁଷ ରଘୁ ଓ ତା’ ପରିବାରକୁ ବହୁ ଆର୍ଶୀବାଦ କଲେ । ରଘୁର ଘର ସୁଖଶାନ୍ତିରେ ପୁରିଉଠୁଥିବା ବେଳେ ବଡ଼ପୁଅ ଜଗୁର ଘର ଘୋର ଅଶାନ୍ତି ଦେଇ ଗତି କରୁଥାଏ । ତେଣୁ ପ୍ରତ୍ୟେକ ମନୁଷ୍ୟର କର୍ମ ଅନୁସାରେ ଫଳ ତ ନିଶ୍ଚିତ । ମନୁଷ୍ୟମାନେ ନିଜର ବଡ଼ିମା ଦେଖାଇ ହେବା ଖୋଳପାଟିକୁ ପରିତ୍ୟାଗ କରି, ନିଜ ଭୁଲ୍କୁ ସୁଧାରି ଭଲ ପ୍ରକୃତିକୁ ଆପଣାଇଲେ ପରିବାର, ପିତୃପୁରୁଷ ଓ ଭଗବାନଙ୍କର ଆର୍ଶୀବାଦ ଲାଭ କରିପାରିବା । ତେବେ ଯାଇ ପିତୃପକ୍ଷ ବା ମହାଳୟା ଶ୍ରାଦ୍ଧର ମୂଳ ଉଦ୍ଦେଶ୍ୟ ପୁରାହୋଇ ପାରିବ ।
ମୋ : ୭୫୦୪୫୮୯୬୪୫