ସରକାରୀ ରେକର୍ଡରେ ପୁଅ କିନ୍ତୁ ସାମ୍ବାଦିକତା କରୁଛନ୍ତି ସରକାରୀ ଶିକ୍ଷକ

ନୟାଗଡ଼: ରାଜ୍ୟ ସରକାର ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଥାନ୍ତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ପାଇଁ । କିନ୍ତୁ ସରକାରୀ ଶିକ୍ଷକ ଥାଇ ସାମ୍ବାଦିକ ପେଷାକୁ ଆପଣାଇଛନ୍ତି । ଏହି କଥାଟି ପ୍ରତ୍ୟେକ ଜନସାଧାରଣ ଓ ପ୍ରଶାସନ ଜାଣି ମଧ୍ୟ ନଜାଣିବାର ଅଭିନୟ କରୁଥିବା ଦେଖିବାକୁ ମିଳିଛି ।

ଏହି ସରକାରୀ ଶିକ୍ଷକ ଜଣକ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଶିଖରପୁର ହାଇସ୍କୁଲରେ କାର୍ଯ୍ୟରତ ଥାଇ ମଧ୍ୟ ଅତି ଚତୁରତାର ସହ ସେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅଣଦେଖା କରି ପ୍ରଧାନ ଶିକ୍ଷକଙ୍କୁ ନିଜ ସାମ୍ବାଦିକତାର ଭୟ ଦେଖାଇ ଖୁଲମଖୁଲା ସାମ୍ବାଦିକତା କରୁଛନ୍ତି । ଏ ବିଷୟ ଜିଲ୍ଲାର ପ୍ରତ୍ୟେକ ସରକାରୀ ଓ ବେସରକାରୀ କର୍ମଚାରୀ ଜାଣି ମଧ୍ୟ କେହି ମୁହଁ ଖୋଲୁନଥିବା ଆଶ୍ଚର୍ଯ୍ୟର ବିଷୟ । ସେ ଏକ ଅଗ୍ରଣୀ ଦୈନିକ ଖବରକାଗଜର ଜିଲ୍ଲା ପ୍ରତିନିଧି ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିବା ଜଣାପଡିଛି । ଯଦି ଜଣେ ସାମ୍ବାଦିକ ଜିଲ୍ଲା ପ୍ରତିନିଧି ହୁଏ ତାହାହେଲେ ଉକ୍ତ ମିଡିଆ ସଂସ୍ଥା ପକ୍ଷରୁ ଜିଲ୍ଲାପାଳ ଅଫିସ୍‌, ଏସ୍‌ପି ଅଫିସ୍ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ନିକଟକୁ ଏକ ଚିଠି ଆସେ । କିନ୍ତୁ ଏହି ସରକାରୀ ଶିକ୍ଷକଙ୍କର କୌଣସି ଅଫିସ୍‌ରେ ଚିଠି ନଥାଇ ମଧ୍ୟ ସେ ସାମ୍ବାଦିକତା କରୁଛନ୍ତି ଓ ତାଙ୍କ ନାମରେ ଜିଲ୍ଲା ପ୍ରଶାସନର ଯେଉଁ କାର୍ଯ୍ୟକ୍ରମ ହେଉଛି ତାଙ୍କ ନିକଟକୁ ଚିଠି ପଠାଯାଉଛି । ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ଜିଲ୍ଲା ପ୍ରଶାସନର ଜାଣତରେ ଏସବୁ ହେଉଛି ନା ଜିଲ୍ଲା ପ୍ରଶାସନକୁ ସରକାରୀ ଶିକ୍ଷକ/ସାମ୍ବାଦିକ ଜଣକ ଅନ୍ଧାରରେ ରଖିଛନ୍ତି ।

ଅନ୍ୟପକ୍ଷେ ସରକାରୀ ଶିକ୍ଷକ ଜଣକ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ ଗ୍ରହଣ କରିଥିବା ନଜିର ରହିଛି । ଏଥିସହ ୨୦୧୫ ନଭେମ୍ବର ୦୮ ତାରିଖରେ ସରକାରୀ ଶିକ୍ଷକ ଜଣକ ଜନୈକ ଦୈନିକ ଖବର କାଗଜରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ହେତୁ ଉକ୍ତ ଖବରକାଗଜ ସଂସ୍ଥା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶ୍ରେଷ୍ଠ ସାମ୍ବାଦିକ ମାନପତ୍ର ଓ ଉପଢୌକନ ଗ୍ରହଣ କରୁଥିବାର ପ୍ରମାଣ ମଧ୍ୟ ରହିଛି । ନିକଟରେ ସରକାରୀ ଶିକ୍ଷକଙ୍କର ସାମ୍ବାଦିକତାର ଠୋସ୍ ପ୍ରମାଣ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥୋଚିତ ପଦକ୍ଷେପ ନେବା ପାଇଁ ଅନୁରୋଧ ।

Leave A Reply

Your email address will not be published.