ମାଳିପଦର ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣାକୁ ବିରୋଧ କରି ମାଓ ସଙ୍ଗଠନ ପକ୍ଷରୁ ପ୍ରେସ ବିବ୍ରୁତି ଜାରି

ମାଲକାନଗିରି,୧୪।୧୧ : କୋରାପୁଟ ଜିଲ୍ଲା ମାଳିପଦର ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣାରେ ଯବାନଙ୍କ ଗୁଳିରେ ୨ ମାଓବାଦୀ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ କୁହା ଯାଉଥିବା ବେଳେ, ଏହି ଏନକାଉଣ୍ଟରରେ ମାଲକାନଗିରି ଜିଲ୍ଲାର ଜଣେ ସାଧାରଣ ବ୍ୟକ୍ତିର ମୃତ୍ୟୁ ହୋଇଥିବା ସହ ଏହା ଏକ ମିଥ୍ୟା ଏନକାଉଣ୍ଟର ବୋଲି ଅଭିଯୋଗ ହୋଇଥିଲା । ତେବେ ଏହାକୁ ନେଇ ମାଓ ସଙ୍ଗଠନ ନିଜର ମୁଁହ ଖୋଲିଛି ଏବଂ ଏହି ଏନକାଉଣ୍ଟରକୁ ମିଥ୍ୟା କହି ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ମାଓ ସଙ୍ଗଠନ ଦାବି କରି ଆସନ୍ତା ୧୮ ତାରିଖ ଦିନ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସୂଚନା ଅନୁଯାୟୀ ମାଲକାନଗିରି-କୋରାପୁଟ ସୀମା ମାଓବାଦୀ ଡିଭିଜନ କମିଟିର ସଚିବ ରାକେଶ ଆଜି ତେଲୁଗୁ ଭାଷାରେ ଲେଖା ଥିବା ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି ଯେ, ମାଳିପଦର ଠାରେ ପୋଲିସର ମିଥ୍ୟା ଏନକାଉଣ୍ଟରରେ ଦୁଇ ଜଣ ନିରୀହ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି। ୨ ଜଣ ସାଧାରଣ ଶ୍ରମିକଙ୍କ ହତ୍ୟାକୁ ମାଓ ସଙ୍ଗଠନ ଦୃଢ ନିନ୍ଦା କରୁଛି, ଆମେ ଏହି ଘଟଣାର ତୁରନ୍ତ ତଦନ୍ତ ଏବଂ ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରୁଛୁ। ଏହା ସହ ଏହି ଅମାନୁଷିକ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ୧୮ ତାରିଖରେ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ବନ୍ଦ ପାଳନ କରିବାକୁ ସେ ଏହି ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.