ଟ୍ୱିଟର ମ୍ୟାନ ରାଜେଶ

ଫୁଲବାଣୀ, ୧୪/୧୧: ଘରେ ବସି ସାମାଜିକ ସେବା କରିବା ଓ ନିଜ ଅଞ୍ଚଳ ସମସ୍ୟା ଏବଂ ଜିଲ୍ଲାରେ ଥିବା ଦୁର୍ଗମ ଅଞ୍ଚଳର ରହିଥିବା ସମସ୍ଯାକୁ କିଭଳି ସରକାରଙ୍କ ପାଖରେ ପହଁଞ୍ଚିବା ପ୍ରୟାସ କରୁଛନ୍ତି ରାଜେଶ l ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକର ବିଭିନ୍ନ ଗ୍ରାମଗୁଡିକରେ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ୪୦ ହଜାର ଟୁଇଟ୍ ଏବଂ ୫ ହଜାର ୫୦୦ ଚିଠି ପତ୍ର ଲେଖି ରେକର୍ଡ଼ ୫୦୦ରୁ ଉର୍ଦ୍ଧ୍ବ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଗ୍ରାମ ଗୁଡିକରେ ବି.ଏସ.ଏନ୍.ଏଲ୍ ଏବଂ ଜିଓ ଟାୱାର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ୩୦୦୦ରୁ ଉର୍ଦ୍ଧ୍ବ ଗାଁକୁ ସବୁ ଦିନିଆ ରାସ୍ତା ନିର୍ମାଣ ହୋଇପାରିଛି । ୪୦ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିଛି। ରେଭେନ୍ସା ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗର ଯୁବ ଗବେଷକ ରାଜେଶ କୁମାର ବଗର୍ତ୍ତୀଙ୍କ ନିଆରା ଉଦ୍ୟମ । ରେଭେନ୍ସା ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗରେ ପିଏଚଡ଼ି ଗବେଷଣା କରୁଥିବା ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକ୍ ଅନ୍ତର୍ଗତ ତଲାରିମାହା ଗ୍ରାମ ପଞ୍ଚାୟତର ଦୁର୍ଗମ ଗଟାମାହା ଗ୍ରାମର ରାଜେଶ କୁମାର ବଗର୍ତ୍ତୀ ଏବେ ଚର୍ଚ୍ଚାରେ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସହ ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକର ବିଭିନ୍ନ ଗ୍ରାମରେ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜେଶ ଗତ ୨୦୧୫ ମସିହା ଠାରୁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ରାଜ୍ୟପାଳ ଓ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଚିଠି ପତ୍ର ଲେଖି ଅବଗତ କରାଇବା ସହ ଗତ ୨୦୧୭ ମସିହା ଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ସୋସିଆଲ ମିଡ଼ିଆ ଅଭିଯୋଗ ପ୍ରକୋଷ୍ଠକୁ ଟୁଇଟ୍ କରି ବିଭିନ୍ନ ସମସ୍ୟାର ସମାଧାନ କରିଛନ୍ତି। ଆଜି ତାଙ୍କ ଟୁଇଟ୍ ସଂଖ୍ୟା ୪୦ ହଜାର ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଲେଖିଥିବା ଚିଠି ପତ୍ର ସଂଖ୍ୟା ୫ ହଜାର ୫୦୦ରେ ପହଞ୍ଚିଥିବା ବେଳେ ଉଭୟ ମିଶି ୪୫ ହଜାର ୫୦୦ ଅତିକ୍ରମ କରିଛି । କେବଳ ସେତିକିରେ ସୀମିତ ନୁହେଁ ତାଙ୍କ ପ୍ରୟାସ । ତାଙ୍କ ଟୁଇଟ୍ ଏବଂ ଚିଠିର ପ୍ରଭାବରେ ଆଜି ସୁଦ୍ଧା ସାରା ରାଜ୍ୟର ବିଭିନ୍ନ କ୍ଷେତ୍ରରେ ୪୦ ହଜାରରୁ ଉର୍ଦ୍ଧ୍ବ ସଂଖ୍ୟକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିଛି । ତାଙ୍କରି ଉଦ୍ୟମରେ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବଂ ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକର ବିଭିନ୍ନ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ପକ୍କା ରାସ୍ତା ନିର୍ମାଣ, ବିଦ୍ୟୁତ୍ ସଂଯୋଗ, ମନରେଗା ଯୋଜନାରେ ମାଧ୍ୟମରେ ରାସ୍ତା ନିର୍ମାଣ, ଟାୱାର ନିର୍ମାଣ, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା, ଗ୍ରାମୀଣ ଆଲୋକିକରଣ, ଗୋଷ୍ଠୀ ଗୃହ ନିର୍ମାଣ, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ, ଜଙ୍ଗଲ ସୁରକ୍ଷା ନିମନ୍ତେ ବନ ସଂରକ୍ଷଣ ସମିତି ଗଠନ, ଆଦିବାସୀ ମାନଙ୍କର କଳା, ସଂସ୍କୃତି, ପରମ୍ପରା ସଂରକ୍ଷଣ ନିମନ୍ତେ ଉଦ୍ୟମ, ଗରିବ ଜନସାଧାରଣଙ୍କୁ ଗ୍ରାମୀଣ ଗୃହ ଯୋଜନାରେ ଗୃହ ଯୋଗାଣ, ଲୋକଙ୍କୁ ଭତ୍ତା ଯୋଗାଣ ଜନସାଧାରଣଙ୍କୁ ଖାଉଟି କାର୍ଡ ଯୋଗାଣ ହୋଇପାରିଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ଖବରକାଗଜକୁ ପଢ଼ି ସେଇଥିରୁ ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ସମସ୍ୟା ବିଷୟରେ ଅବଗତ ହେବା ପରେ ସେ ସେହି ଗୁଡ଼ିକର ତ୍ୱରିତ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ସୋସିଆଲ ମିଡ଼ିଆ ଅଭିଯୋଗ ପ୍ରକୋଷ୍ଠ ସହ ବିଭିନ୍ନ ବିଭାଗକୁ ଟୁଇଟର ମାଧ୍ୟମରେ ଟୁଇଟ୍ କରି ଅବଗତ କରାଇଥାନ୍ତି। ଏହା ବ୍ୟତୀତ କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶରେ ଲକଡାଉନ୍ ଯୋଗୁଁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇଥିଲା । ସେହି ସମୟରେ ଗ୍ରାମୀଣ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଅବନତି ସୃଷ୍ଟି ହେବ ଏହାକୁ ହୃଦବୋଧ କରି ସେ ସେହି ସମୟ ଠାରୁ ଆଜି ପର୍ଯ୍ୟନ୍ତ ଗ୍ରାମର ପ୍ରଥମ ଠାରୁ +୨ ଶ୍ରେଣୀର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପ୍ରତିଦିନ ନିଜ ଘର ପିଣ୍ଡାରେ ନିଶୁଳ୍କରେ ଶିକ୍ଷା ଦାନ କରିବା ସହ ସେ ଛାତ୍ରବୃତ୍ତି ବାବଦରେ ଯେଉଁ ଟଙ୍କା ପାଆନ୍ତି ସେହି ଟଙ୍କାରେ ଗ୍ରାମର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ କିଣି ଯୋଗାଇ ଦେଇଥାନ୍ତି। ଉଚ୍ଚ ଶିକ୍ଷା ସହ ସାରା ରାଜ୍ୟର କୋଣ ଅନୁକୋଣର ଖବର ସମସ୍ୟାକୁ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚାଇବା ଭଳି କାର୍ଯ୍ୟ ଏବେ ତାଙ୍କର ନିଶା ପାଲଟି ଯାଇଛି । ତାହା ସହ ଫୁଲବାଣୀର ସ୍ୱୟଂଚାଳିତ ମହାବିଦ୍ୟାଳୟରେ ସେ ଅତିଥି ଶିକ୍ଷକ ଭାବେ କାର୍ଯ୍ୟରତ ରହି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି l ରାଜେଶଙ୍କ ଏଭଳି କାର୍ଯ୍ୟକୁ ସାଧରଣରେ ପ୍ରଶଂସାର ସୁଅ ଛୁଟିଛି l ଏହି ସବୁ ସାମାଜିକ ଓ ବିକାଶ ମୂଳକ କାର୍ଯ୍ୟ ଗୁଡ଼ିକର ତ୍ୱରିତ ସମାଧାନ ଏବଂ ସହଯୋଗ ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ମୋ ସରକାର ୫-ଟି ସଚିବ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ଆଗକୁ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଏହି ସାମାଜିକ ଓ ବିକାଶ ମୂଳକ କାର୍ଯ୍ୟଧାରା ଜାରି ରଖିବେ ବୋଲି ରାଜେଶ ମତ ପ୍ରକାଶ କରିଛନ୍ତିl

Leave A Reply

Your email address will not be published.