ପଡିଆ ବ୍ଲକରେ କୁକୁଡ଼ା ଗାଲି ଓ ଜୁଆ ଖେଳ ବନ୍ଦ ପାଇଁ ଏକଜୁଟ ହେଲେ ସମସ୍ତ ସରପଞ୍ଚ

ପଡିଆ,୧୫।୧୧ : ପ୍ରତ୍ୟକ ବର୍ଷ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ବିଭିନ୍ନ ପଞ୍ଚାୟତରେ ତୁହାକୁ ତୁହା କୁକୁଡ଼ା ଗାଲି ସହ ଜୁଆ ଖେଳ ହେଉଥିବାରୁ ଆଦିବାସୀ ପରିବାରର ଆର୍ଥିକ ସ୍ଥିତି ବିଗିଡି ଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କୋୟା ସମାଜ ପକ୍ଷରୁ ଜିଲ୍ଲା ବ୍ୟାପୀ କୁକୁଡ଼ା ଲଢେଇ ସହ ଜୁଆ ଖେଳକୁ ବନ୍ଦ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ, ଏସପି, ବିଭିନ୍ନ ବ୍ଲକର ବିଡିଓ, ଥାନା ଅଧିକାରୀ ଓ ସରପଞ୍ଚଙ୍କୁ ପତ୍ର ମାଧ୍ୟମରେ ଜଣାଇ ଥିଲା। ଯାହା ଫଳରେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ କୁକୁଡା ଗାଲି ଓ ଜୁଆ ଖେଳ କରୁଥିବା ଗୋଷ୍ଠୀଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି। ଏପରି ସ୍ଥିତିରେ ପଡିଆ ବ୍ଲକର ସମସ୍ତ ସରପଞ୍ଚ ଆଜି ଏକାଠି ହୋଇ ପଡିଆ ବ୍ଲକ ସମସ୍ତ ସାପ୍ତାହିକ ହାଟରୁ ଏହି କୁକୁଡ଼ା ଗାଲି ଓ ଜୁଆ ଖେଳକୁ ମୂଳପୋଛ କରିବା ପାଇଁ ନିଷ୍ପତ୍ତି ନେବା ସହ ଆଜି ଏକ ଲିଖିତ ପତ୍ର ପଡିଆ ଥାନା ଭାରପ୍ରାପ୍ତ ଅଧିକାରୀ ଲିମାଇ ଚରଣ ପଣ୍ଡାଙ୍କୁ ଦେଇଛନ୍ତି। ପଡିଆ, ମାଟେରୁ, କାଲଦାପଲ୍ଲୀ, ନିଲିଗୁଡା ଓ ବାପନପଲ୍ଲୀ ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ହେଉଥିବା ସାପ୍ତାହିକ ହାଟରେ ଏହି ଖେଳକୁ ସମୁର୍ଣ୍ଣ ବନ୍ଦ କରିବା ପାଇଁ ଏହି ପତ୍ର ମାଧ୍ୟମରେ ଦାବି କରିଛନ୍ତି । ପ୍ରତ୍ୟେକ ବର୍ଷ ନଭେମ୍ବର ପହିଲାରୁ ଧାନ ଅମଳ ପରେ ଲୋକେ ଉପାର୍ଜନ କରିଥିବା ଅର୍ଥକୁ ଜୁଆ ଖେଳି ସର୍ବନାଶ ହେଉଥିବାରୁ ଏ ଦିଗରେ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଆାଦିବାସୀ ପରମ୍ପରା ବଞ୍ଚାଇ ରଖିବାକୁ କେବଳ ହାତ ଗଣତି କେତେକ ସ୍ଥାନରେ ପାରମ୍ପରିକ କୁକୁଡା ଲଢେଇ କରିବା ମଧ୍ୟ ସରପଞ୍ଚ ମାନେ ଆଲୋଚନା କରିଥିଲେ। ଏଥି ପାଇଁ ଜୁଆ ଖେଳକୁ ସମ୍ପୂର୍ଣ୍ଣ ବନ୍ଦ କରାଇ ପ୍ରତ୍ୟେକ ପଞ୍ଚାୟତରେ ମାତ୍ର ଗୋଟିଏ ସ୍ଥାନରେ ପାରମ୍ପାରିକ କୁକୁଡ଼ା ଗାଲି କରିବାକୁ ସରପଞ୍ଚ ମାନେ ପ୍ରସ୍ତାବ ରଖିଥିବା କହିଛନ୍ତି। ଏହି ସମୟରେ ପଡିଆ ବ୍ଲକ ଅଧକ୍ଷା ଯମୁନା ମୂଷାକୀ, ମାଟେରୁ ସରପଞ୍ଚ ଲଛମନ ମାଡକାମି, ପଡିଆ ଗଙ୍ଗା କାରାମ, କାଲଦାପଲ୍ଲୀ ସରପଞ୍ଚ ସରିତା କୁଞ୍ଜାମୀ, ଶିମିଳିବାଞ୍ଛା ସରପଞ୍ଚ ଶିଙ୍ଗା ମାଡକାମି, ବାପ଼ନପଲ୍ଲୀ ସରପଞ୍ଚ ମେଧା ବଗାମ, ଦେବେ ମାଡକାମି ଓ ବିଜୟ କୁମାର ମାଡକାମି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.