ମାଲକାନଗିରି,୨୩/୧୧ ନିଲା ମିସ୍ତ୍ରୀ। ବୟସ ୭୫। ନିଜର ବୋଲି କେହି ନାହାନ୍ତି। ମାଲକାନଗିରି ସଦର ମହକୁମାରେ ଏକ ଛୋଟିଆ ଜାଗାରେ ରହି ନିଜର ଜୀବନ ଅତିବାହିତ କରୁଛନ୍ତି। ଜୀବନର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ସେ ଭିକ ମାଗି ଚଳୁନାହାନ୍ତି। ସ୍ବାଭିମାନ ସହ ସେ ବଞ୍ଚୁଛନ୍ତି। କିଛି ପରିବା ଧରି ସେ ଡିଏନକେ ଠାରେ ପରିବା ବିକ୍ରି କରି ଯାହା ମିଳୁଛି ସେତିକିରେ ସେ ଚଳୁଥିବା କହନ୍ତି। ପିଲା ଛୁଆ କିମ୍ବା ସ୍ବାମୀ ନଥିବାରୁ ସେ ଭଗବାନଙ୍କ ଭରସାରେ ପଡି ରହିଛନ୍ତି। ପ୍ରତି ମିନଟରେ ସେ ଭଗବାନଙ୍କୁ ସ୍ମରକ କରି ନିଜର ବାକି ଜୀବନ କଟାଉଥିବା କହନ୍ତି। ପରିବା ବିକ୍ରି କରିବା ସମୟରେ ମଧ୍ୟ ସେ ମନ ଭିତରେ ଭଗବାନଙ୍କୁ ହିଁ ସ୍ମରଣ କରୁଥାନ୍ତି। କେହି ଗ୍ରାହକ ଆସିଲେ ସେ ଭଗବାନ ଭାବେ। ଗ୍ରାହକମାନେ ତାଙ୍କୁ ମୂଲଚାଲ କରୁଥିଲେ ମଧ୍ୟ ସେଥିରେ ସେ ରାଗନ୍ତି ନାହିଁ। ଗ୍ରାହକ ଯାହା କହନ୍ତି ସେତିକିରେ ସେ ପରିବା ଦେଇଦିଅନ୍ତି। ତେବେ ବୃଦ୍ଧାଙ୍କ ନିକଟରେ ପରିବାର ଶସ୍ତା ରହିଥିବାରୁ ଲୋକେ ତାଙ୍କ ନିକଟରୁ ପରିବା କିଣିବାକୁ ଭଲ ପାଆନ୍ତି। ଏବେ ସେ ଘରେ ବସି ନାତି ନାତୁଣିଙ୍କୁ ଖେଳାଇବା କଥା ,କିନ୍ତୁ ଭଗବାନ ତାଙ୍କର ସେହି ଆଶାକୁ ପୂରଣ କରିପାରିଲେ ନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରନ୍ତି। ସେ ସରକାରଙ୍କ ତରଫରୁ ୫ ଶହ ଟଙ୍କା ଭତ୍ତା ପାଆନ୍ତି। ସେହି ଭତ୍ତା ଟଙ୍କାରେ ପରିବା ଖରିଦ କରି ବଜାରରେ ଦିନସାରା ଖରାରେ ବସି ବିକ୍ରି କରିଥାନ୍ତି। ଏହି ବୟସରେ ଗରିବ ବୃଦ୍ଧ ଓ ବୃଦ୍ଧା ଯାହାର କେହି ନାହାନ୍ତି ସେମାନେ ସହରର ବିଭିନ୍ନ ସ୍ଥାନରେ ଭିକ ମାଗି ଚଳୁଥିବା ଦେଖିବାକୁ ମିଳିଛି। କିନ୍ତୁ ନୀଲା ଅତି ସ୍ବାଭିମାନୀ, ସେ ମରିଯିବେ ପଛେ ଭିକ ମାଗିବେ ନାହିଁ ବୋଲି କହନ୍ତି। ସରକାରଙ୍କ ତରଫରୁ ତାଙ୍କୁ ରହିବାକୁ ଘର ଖଣ୍ଡିଏ ନିର୍ମାଣ କରିଦେଲେ ହୁଏତ ସେ ବାକି ଜୀବନ ଖୁସିରେ କଟାଇବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ଏବେ ଶୀତରେ ମାଲକାନଗିରି ଥରୁଥିବା ବେଳେ ବୃଦ୍ଧା ଜଣକ କିନ୍ତୁ ଶୀତକୁ ମଧ୍ୟ ଖାତିରି ନକରି ନିଜ ଦୈନନ୍ଦିନ ଜୀବନ ପୂର୍ବ ଭଳି ଚଳାଇ ଆସୁଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post