xmas

ମୋଦି@୨୦ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ

ନରେନ୍ଦ୍ର ମୋଦି ବିଶ୍ଵର ସର୍ବାଧିକ ଚର୍ଚ୍ଚିତ ରାଜନେତା : ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ୱର,୨୩.୧୧.୨୦୨୨ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମନିର୍ଭର ଓ ସର୍ବ ଶକ୍ତି ସମ୍ପନ୍ନ ବନାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସମଗ୍ର ବିଶ୍ଵରେ ଶ୍ରୀ ମୋଦି ସବୁଠାରୁ ଚର୍ଚ୍ଚିତ ରାଜନେତା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଉଭୟ ଆମେରିକା ଓ ଋଷ୍ ର ଚାପରେ ବଶବର୍ତ୍ତୀ ନହୋଇ ଭାରତ ନିରପେକ୍ଷତା ଅବଲମ୍ବନ କରିବା କେବଳ ମୋଦିଙ୍କ ଯୋଗୁଁ ହିଁ ସମ୍ଭବପର ହୋଇପାରିଛି। ସମ୍ଭାବ୍ୟ ତୃତୀୟ ବିଶ୍ଵ ଯୁଦ୍ଧକୁ ଏଡାଇ ଦେଇ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବିରାମ ଓ ଶାନ୍ତି ପ୍ରତିଷ୍ଠା କରାଇବା ନେଇ ଶ୍ରୀ ମୋଦିଙ୍କର ପ୍ରୟାସ ଖୁବ ପ୍ରଭାବୀ ରହିଥିବା ରାଜ୍ୟପାଳ ଦର୍ଶାଇଛନ୍ତି। ଆଜି ଏଠାରେ ଶ୍ରୀ ମୋଦିଙ୍କର ଜୀବନ ଓ ଦର୍ଶନ ଉପରେ ମୋଦି@୨୦ ଶୀର୍ଷକ ଦୁଇ ଦିନିଆ ଜାତୀୟ ଚିତ୍ରକଳା ପ୍ରଦର୍ଶନୀର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀ ହରିଚନ୍ଦନ, ଚିତ୍ରଶିଳ୍ପୀ ମାନଙ୍କର ନିଖୁଣ ଓ ଜୀବନ୍ତ ଚିତ୍ର କଳାର ଭୂରିଭୂରି ପ୍ରଶଂସା କରିଥିଲେ। ପୂର୍ବ ଭାରତର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରୀ ଦ୍ଵାରା ଭୁବନେଶ୍ୱରସ୍ଥିତ ପ୍ରେସ କ୍ଲବ ଅଫ ଓଡ଼ିଶା ପରିସରରେ ଆୟୋଜିତ ଏହି ପ୍ରଦର୍ଶନୀରେ ୪୫ ଜଣ ପ୍ରବୀଣ ଓ ତରୁଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିବା ଜଣାଯାଇଛି। ସଭାରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀ, ପ୍ରତିଭା ଓ ପାରଦର୍ଶିତା ସମ୍ପନ୍ନ ଚିତ୍ରଶିଳ୍ପୀ ମାନେ ସେମାନଙ୍କର ଅନନ୍ୟ କଳାକୃତି ଜରିଆରେ ମୋଦିଙ୍କର କାରୁକାର୍ଯ୍ୟ ସମ୍ପର୍କରେ ନିଜର ଅନ୍ତର୍ନିହିତ ଚେତନାକୁ ସଫଳତାର ସହିତ ଜାଗ୍ରତ କରିପାରିଥିବା ଉଲ୍ଲେଖ କରିଥିଲେ। ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ କଲିକତାର ସାହିତ୍ୟ ଏକାଡେମୀର ସଚିବ ଡଃ ମିହିର କୁମାର ସାହୁ ସଂଗଠକ ମାନଙ୍କର ମହତ୍ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ। ସୁଭଦ୍ରା ଆର୍ଟ ଗ୍ୟାଲେରୀର ଅଧ୍ୟକ୍ଷ ଡ଼ଃ ସୂର୍ଯ୍ୟ ରଥ ସ୍ୱାଗତ ଭାଷଣ ପ୍ରଦାନ କରି ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ଭାରତର ବିଭିନ୍ନ ସହରରେ ଯୁବ ସମାଜକୁ ମୋଦିଙ୍କର ଆଦର୍ଶରେ ଅନୁପ୍ରାଣିତ କରିବା ପାଇଁ ଏହିଭଳି ପ୍ରଦର୍ଶନୀମାନ ଆୟୋଜନ କରାଯିବ ବୋଲି ସୂଚାଇଥିଲେ। ସ୍ୱାଗତ କମିଟିର ଅଧ୍ୟକ୍ଷ ବିଶିଷ୍ଟ କବି ଶଙ୍କର ପରିଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟାନ୍ଵୟନ କମିଟିର ଅଧ୍ୟକ୍ଷ ଏବଂ ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ ମୋଦି@୨୦ ପ୍ରଦର୍ଶନୀର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସୁଭଦ୍ରା ଆର୍ଟ ଗ୍ୟାଲେରୀର ପ୍ରତିଷ୍ଠାତା ଓ ପ୍ରଖ୍ୟାତ ସ୍ଥପତି ରବିନାରାୟଣ ରଥ, ତାଙ୍କ ଦ୍ଵାରା ଅଙ୍କିତ ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କର ଏକ ଚିତ୍ର ତାଙ୍କୁ ଉପହାର ପ୍ରଦାନ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରଦର୍ଶନୀରେ ସୁନାମଧନ୍ୟ ଚିତ୍ରଶିଳ୍ପୀ ଯଥା ରବିନାରାୟଣ ରଥ, ସୁବୋଧ କୁମାର ସାହୁ, ମୀନକେତନ ପଟ୍ଟନାୟକ, ଚିନ୍ତାମଣି ବିଶ୍ଵାଳ, ପ୍ରିୟଦର୍ଶିନୀ ମହାନ୍ତି, ରଂଜନ ପଟ୍ଟନାୟକ, ଅନନ୍ତ ମହାନ୍ତି, ରଂଜନ ମଲ୍ଲିକ, କୁମୁଦ ଦାଶ, ସୁଜାତା ବେହେରା, ମମତା ସାମନ୍ତରାୟ ଓ ରାଜନନ୍ଦିନୀ ମହାପାତ୍ର ପ୍ରମୁଖଙ୍କର ଚିତ୍ର ଏବଂ ପ୍ରତିମୂର୍ତ୍ତି ସ୍ଥାନ ପାଇଥିବା ଜଣାଯାଇଛି। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସରୋଜା ଚୌଧୁରୀ, ସଞ୍ଜୟ ମହାନ୍ତି, କାବେରୀ ବେହେରା, ଅନୀଲ ମିଶ୍ର, ଦିଲ୍ଲୀପ ମହାନ୍ତି ଓ ଅଜୟ ରାଉତ ପ୍ରମୁଖ ଅନ୍ତର୍ଭୂକ୍ତ ଥିଲେ।

Leave A Reply

Your email address will not be published.