ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସ୍ଵାଗତ ଓ ଅଭିନନ୍ଦନ

ସମ୍ବଲପୁର ତା-୨୩/୧୧: ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ଲକ୍ଷ ଲକ୍ଷ ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କରିଥିବା ଘୋଷଣାକୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ସ୍ଵାଗତ ତଥା ମୂଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗତକାଲି ସ୍ମଘର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ନେତ୍ରୁତ୍ଵରେ ଏକ ପ୍ରତନିଧି ଦଳ ମୂଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ୧୨ ଦଫା ସମ୍ବଳିତ ଦାବି ପତ୍ର ଦେଇ ବିଭିନ୍ନ ଦାବି ସମ୍ପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ ପୁତ୍ର କନ୍ୟାମାନଙ୍କୁ ଛାତ୍ର ବୃତ୍ତି ଦେବା, ସେମାନଙ୍କୁ ବୋନସ ଓ ପ୍ରୋତ୍ସାହନ ବାବଦରେ ପ୍ରଥମ ପର୍ଯ୍ୟାୟରେ ତୋଳାଳୀ ମାନଙ୍କୁ ୧୦୦୦ଟଙ୍କା ସହାୟତା ଦେବା ଓ ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକମାନଙ୍କୁ ୧୫୦୦ଟଙ୍କା ସହାୟତା ଦେବା ଘୋଷଣା, ସମସ୍ତ ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀ ମାନଙ୍କର ବିଜୁ ସ୍ଵାସ୍ଥ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ସର୍କଲ ଚେକରମାନଙ୍କର ଗ୍ରାଚୁଇଟି ବାବଦକୁ ବର୍ଷକୁ ୭ ଦିନ ପରିବର୍ତ୍ତେ ୧୫ ଦିନ ଗ୍ରାଚୁଇଟି ପ୍ରଦାନ କରିବା ଘୋଷଣା, ସମସ୍ତ ତୋଳାଳୀ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ଘୋଷଣା ଅନ୍ତର୍ଭୁକ୍ତ ହୋଇଅଛି । ଏହି ସବୁ ଘୋଷଣା କେନ୍ଦୁପତ୍ର ସଂସ୍ଥାର ସମସ୍ତ ଶ୍ରମିକ ମାନଙ୍କର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସହାୟକ ହେବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ସବୁଠାରୁ ଉଲ୍ଲେଖନୀୟ ପ୍ରସଙ୍ଗ ହେଲା-କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ଜି ଏସ ଟି ଲାଗୁ ହୋଇଥିବା ସଙ୍ଘ ର ଦାବି ପ୍ରତି ମୂଖ୍ୟମନ୍ତ୍ରୀ ଖୁବ ଗୁରୁତ୍ବ ଦେଇଛନ୍ତି ।

କେନ୍ଦୁପତ୍ର ଉପରେ ଜି ଏସ ଟି ଲାଗୁ ଥିବାରୁ କେନ୍ଦୁପତ୍ରର ବିକ୍ରି ମୂଲ୍ୟ ହ୍ରାସ ହୋଇ ଲାଭର ପରିମାଣ କମିଯାଉଥିବାରୁ ଏଥିରେ କାର୍ଯ୍ୟରତ ଆଦିବାସୀ ମହିଳା ତଥା ଲକ୍ଷ ଲକ୍ଷ ଶ୍ରମିକ କର୍ମଚାରୀ କ୍ଷତିଗ୍ରସ୍ତ ହେଉଥିବା ମୂଖ୍ୟମନ୍ତ୍ରୀ ଉପଲବ୍ଧି କରି କେନ୍ଦ୍ର ସରକାରଙ୍କୁ ପୁନର୍ବାର ଚିଠି ଦେବା ଓ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିବେ ବୋଲି ଘୋଷଣାରେ ସ୍ପଷ୍ଟ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ସଂଘ ପକ୍ଷରୁ ଆହୁରି ସ୍ଵାଗତ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ସଂଘ ଆନ୍ଦୋଳନ କରିଆସୁଛି । ମୁଖ୍ୟମନ୍ତ୍ରୀ ଏଥିପାଇଁ ଚାପ ସୃଷ୍ଟି କରିବା ଏକ ଆଶାର ସଞ୍ଚାର ସୃଷ୍ଟି କରିଛି । ନଚେତ୍ ସଂଘ ମଧ୍ୟ ଆଗାମୀ ଦିନରେ ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

ସର୍ବୋପରି ଆଜିର ଘୋଷଣା ରାଜ୍ୟରେ ଲକ୍ଷ ଲକ୍ଷ ଆଦିବାସୀ ଶ୍ରେଣୀ ମହିଳା ତଥା ଅନ୍ୟାନ୍ୟ ଶ୍ରମିକମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ସୃଷ୍ଟି କରିଛି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆଉ ଯେଉଁ ସବୁ ଦାବି ଅପୂରଣୀୟ ରହିଲା ସେ ସବୁ ଆଗାମୀ ଦିନରେ ଖୁବ ଶୀଘ୍ର ଉପସ୍ଥାପନ କରିବେ ବୋଲି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଛନ୍ତି ।

Leave A Reply

Your email address will not be published.