ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ପୋଲିସ, ପାପରମେଟେଲା ପୋଲିସ, ଅବକାରୀ ବିଭାଗ ମିଳିତ ଆନୁକୂଲ୍ୟରେ ଡିଭିଏଫ୍ ସହଯୋଗରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡ଼ା ପଞ୍ଚାୟତ ସାକୃବନ୍ଧା ଏବଂ ପଲଙ୍କରାଇ ଗ୍ରାମ ଅଞ୍ଚଳରେ ମିଳିତ ଭାବରେ ଚଢାଉ କରି ୩୮ ଏକର ଜମିରେ ପ୍ରାୟ ୪୫୦୦୦ ଗଞ୍ଜେଇ ଗଛ କାଟି ନଷ୍ଟ କରିଛନ୍ତି। ଯାହାକି ପୋଲିସ ଦ୍ୱାରା ସ୍ୱାଭିମାନ ଅଞ୍ଚଳରେ ପ୍ରଥମ ଥର ପାଇଁ ଗଞ୍ଜେଇ ଗଛ କାଟି ନଷ୍ଟ କରିବା ପ୍ରୟାସ ଆରମ୍ଭ ହୋଇଛି। ଦୀଘ ଦିନ ଧରି ସ୍ୱାଭିମାନ ଅଞ୍ଚଳରୁ ଗଞ୍ଜେଇ ଚାଷ ରୋକିବା ଏକ ଚ୍ୟାଲେଞ୍ଜ ଥିଲା ମାତ୍ର ଆଜି ତାହା ଧୀରେ ଧୀରେ ସଫଳ ହେବ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି। ଆଉ କିଛି ଦିନ ଗଲେ ଗଞ୍ଜେଇ ଅମଳ ହେବ। ଏହା ପୂର୍ବରୁ ଏହି ଗଞ୍ଜେଇ ଗଛକୁ ମୂଳପୋଛ କରିବାକୁ ଅଣ୍ଟା ଭିଡ଼ିଲେନି ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ, ଅବକାରୀ ବିଭାଗ । ଚିତ୍ରକୋଣ୍ଡା ଏସଡିପି ଓ ଆଲୋକସିଅସ କିସପୋଟାଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଥାନାଧିକାରୀ ଅନିଲ ପରିଡା, ପାପରମେଟେଲା ଥାନାଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି, ଅବକାରୀ ବିଭାଗ, ଡିଭିଏଫ୍ ମିଳିତ ଭାବେ ଅପେରସନ କରି ରାଲେଗଡ଼ା ପଞ୍ଚାୟତ ଅଞ୍ଚଳରେ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏପରି ଚଢାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଚଢାଉ ସମୟରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟେ ଭାବରେ ଚିତ୍ରକୋଣ୍ଡା ଆଡିଶନାଲ ତହସିଲଦାର ଅଶୋକ କୁମାର ମୁଦୁଲି ଉପସ୍ଥିତ ଥିଲେ ।
