
ଫୁଲବାଣୀ, ୦୧/୧୨: ସରକାର ଶିକ୍ଷାର ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ କରିବା ଲାଗି ବହି ପତ୍ରଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ ସ୍କୁଲ ରହିଛି ଯେଉଁଠି କି ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନଥିବା ଫଳରେ ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗୁମାଗଡ଼ ପଞ୍ଚାୟତର ଟେଙ୍ଗେରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ । ଏହି ସ୍କୁଲଟି ୧୯୫୪ରେ ସ୍ଥାପିତ ହୋଇଛି । ଏଠାରେ ପ୍ରଥମରୁ ଅଷ୍ଟମ ଯାଏଁ ଶ୍ରେଣୀ ରହିଛି ଆଉ ମାତ୍ର ୪୨ଜଣ ଛାତ୍ରଛାତ୍ରୀ ରହିଛନ୍ତି । ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ୩ଟି ଶ୍ରେଣୀଗୃହ ରହିଛି ଯାହାକି ଯଥେଷ୍ଟ ନୁହେଁ । ଗୋଟିଏ କୋଠରୀରେ ଦୁଇଟି ଶ୍ରେଣୀର ଜିଲାମାନେ ପାଠ ପଢୁଛନ୍ତି । ଫଳରେ ବର୍ଷ ବର୍ଷ ଧରି ପିଲାମାନେ ବାରଣ୍ଡାରେ ରହି ପାଠ ପଢୁଥିବା ଦେଖିବାକୁ ମିଳିଛି । ଏନେଇ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ ଫଳଶୁନ ବୋଲି ସ୍କୁଲ ଶିକ୍ଷା କମିଟି ସଦସ୍ୟ ଓ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା କହିଛନ୍ତି । ଏପରି ସ୍ଥଳେ ପିଲାମାନେ କିପରି ପଢିବେ ଓ କିପରି ବଢିବେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକମାନେ । ଏନେଇ ଫୁଲବାଣୀ ବିଇଓ ରଂଜନ କହଁରଙ୍କୁ ପଚାରିବାରେ ସେ ଏ ନେଇ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି । ତେବେ ପ୍ରଶାସନ କେବେ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାର କଥା।