mobile header

ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ

କଟକ: ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ । କଟକ ଚଣ୍ଡୀ ଛକ ସ୍ଥିତ ବାସଭବନରେ ତାଙ୍କର୦ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ତେବେ ବିଳମ୍ୱିତ ରାତିରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁ ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ସେପଟେ ତାଙ୍କର ଶେଷ ଦର୍ଶନ କରୁଛନ୍ତି ବହୁ କଳାକାର ।

୧୯୪୫ ମସିହାରେ କଟକର ଚାନ୍ଦିନି ଚୌକରେ ଝରଣା ଦାସଙ୍କ ଜନ୍ମ । ସମେସ୍ତ ତାଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ଝୁମୁ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ । ଝରଣା ଦାସ ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ ।

ଝରଣାଙ୍କ ବଡ଼ ଭାଇଙ୍କ ଅନ୍ତରଙ୍ଗ ବନ୍ଧୁ ଅଭିନେତା ତଥା ସଂଗୀତଜ୍ଞ ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ । କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ । ସେ ଅନେକ ସମୟରେ ବାପାଙ୍କ ଗୀଟାର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ।

ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଫଟୋଗ୍ରାଫର ଦୀପକ ଦାସଙ୍କୁ ବିବାହ କରିଥିଲେ ଝରଣା । ୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ ଝରଣା । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ମଲାଜହ୍ନରେ ସତୀ ଭୂମିକାରେ ଅଭିନୟ କରି, ସେ ହାସଲ କରିଥିଲେ ଲୋକପ୍ରିୟତା ।

ଚଳଚ୍ଚିତ୍ର ବ୍ୟତୀତ, ସେ ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ଥିଲେ । ହରେକୃଷ୍ଣ ମହତାବଙ୍କ ଉପରେ ନିର୍ମିତ ଏକ ବୃତ୍ତଚିତ୍ରରେ ସେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ସେ ସେଠାରେ ଥିବା ବେଳେ ସେ “ଘର ଭଡ଼ା ଦିଆ ଯିବ” ଓ “ମଣିଷ” ଆଦି କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ । ଏଥିସହିତ ସେ ନିଜର ଫିଲ୍ମରେ ଅଭିନୟ ଚାଲୁ ରଖିଥିଲେ ।

Leave A Reply

Your email address will not be published.