ଖଞ୍ଜଣି ଏକ ପାରମ୍ପାରିକ ଓଡ଼ିଆ ବାଦ୍ୟଯନ୍ତ୍ର। ଭଜନ ଓ ଲୋକଗୀତ ପରିବେଷଣ ବେଳେ ଏହି ବାଦ୍ୟଯନ୍ତ୍ରଟିର ଆବଶ୍ୟକ ହୋଇଥାଏ। ତିନି-ଚାରି ଆଙ୍ଗୁଳି ଚଉଡା ଗୋଲାକାର କାଠ ବା ମାଟିରେ ଗୋଟିଏ ପାଖରେ ଚମଡା ଛାଉଣି ଏହି ବାଦ୍ୟଯନ୍ତ୍ରରୁ ବାହାରି ଆସିଥାଏ ଅଦ୍ଭୁତ ସ୍ୱର ଆଉ କରିଦିଏ ମନ୍ତ୍ରମୁଗ୍ଧ।
ଆଧୁନିକତାର ଛାଟରେ ଏବେ ଏହି ପାରମ୍ପାରିକ ବାଦ୍ୟଯନ୍ତ୍ରର ପ୍ରଭାବ ଧିରେ ଧିରେ କମୁଥିବା ବେଳେ ଓଡିଆ ମାଟିର କେତେକ କଳାକାର ଏହାକୁ ବଞ୍ଚେଇଛନ୍ତି। ଗାଁ ଗହଳୀର ଅନେକ ସାଧାରଣ କଳାକାର ଏହି ବାଦ୍ୟର ସ୍ୱରକୁ ଜନସମାଜରେ ଲୋକପ୍ରିୟ କରି ରଖିଛନ୍ତି। ସେମିତି ଜଣେ ନିଆରା କଳାକାର ଥିଲେ ବନମାଳୀ ମିଶ୍ର, ଯିଏ ଏହି କଳାର ଥିଲେ ଜଣେ ଅନନ୍ୟ ଶିଳ୍ପୀ। ସେ ଆଉ ଆମ ଗହଣରେ ନାହାନ୍ତି।
ପୁରାତନ ଭଜନ ଓ ଜଣାଣକୁ ଖଞ୍ଜଣି ବାଦ୍ୟ ମାଧ୍ୟମରେ ଲୋକପ୍ରିୟ କରାଇଥିବା ଏହି କଳାକାରଙ୍କର ମୃତ୍ୟୁ ହୋଇଛି। ଗତ ୨୯ ତାରିଖରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଚଳିତ ମାସ ୨ ତାରିଖରେ ସେଠାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।
ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ କମଳା ସାଗର ପାଟଣା ଗାଁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମିଶ୍ର ପିଲାଟି ଦିନରୁ ହିଁ ସମାଜସେବା ସହ ଭଜନ ଓ ଜଣାଣରେ ରୁଚି ରଖିଥିଲେ। ଭାରତୀୟ ଜାତୀୟ କଂଗ୍ରେସର ଜଣେ ଆଜୀବନ କର୍ମୀ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଜଣେ ପୁରୁଖା କଂଗ୍ରେସ କର୍ମୀଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଓ ସମ୍ମାନ ମଧ୍ୟ ଥିଲା।
ଖଞ୍ଜଣି ବଜେଇ ଭଜନ ଗାଇବା ମୁହୂର୍ତ୍ତରେ ବନମାଳୀ ମିଶ୍ର
ଗାଁ ପାଇଁ ତାଙ୍କର ଅନେକ ଅବଦାନ ଥିଲା। ସେ ଗାଁରେ ବିଦ୍ୟାଳୟ ପ୍ରତିଷ୍ଠା କରିବା ଓ ଖଣ୍ଡିମଙ୍ଗଳପୁର ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଥିଲେ। କୃଷି ହିଁ ଥିଲା ତାଙ୍କ ଜୀବନ। ଏହାକୁ ସେ ପେଷା କରି ପେଟ ପୋଷୁଥିଲେ। ସେ ଜଣେ ସଫଳ କୃଷକ ଭାବେ ବିଭିନ୍ନ ସଂସ୍ଥା ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇଥିଲେ।
କୃଷି ସିନା ଥିଲା ପେଷା ହେଲେ କଳା ଥିଲା ତାଙ୍କ ନିଶା। ସ୍ଥାନୀୟ ମେଳା ଓ ମହୋତ୍ସବରେ ସେ ପୁରାତନ ଭଜନ ଓ ଜଣାଣଗୁଡିକୁ ଖଞ୍ଜଣି ବାଦ୍ୟ ମାଧ୍ୟମରେ ଉପସ୍ଥାପନ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। କୋଭିଡ୍ ସମୟରେ ସେ ବୋଲୁଥିବା ଗୀତଗୁଡିକୁ ରେକର୍ଡିଂ କରାଯାଇ ବିଭିନ୍ନ ସୋସିଆଲ୍ ମିଡିଆରେ ଶେୟାର୍ ହେବା ପରେ ଲକ୍ଷାଧିକ ଦର୍ଶକ ଏହାକୁ ଦେଖିଥିଲେ ଓ ଏହା ଦିନକୁ ଦିଅନ ଭାଇରାଲ୍ ହେବାରେ ଲାଗିଥିଲା।
ସେ ଗାଇଥିବା ‘ନ ଚାହାଁ ମାୟା ଦର୍ପଣେ’, ‘ରାମ ନ ଭଜିଲୁ ତୁଣ୍ଡରେ’, ‘ନୀଳାଚଳେ ଲାଗିଛି ଲୀଳା’, ‘ଉଡୁରେ ଲୋଟଣି ପାରା’, ‘ଛଟକ ନ ଦେଖା କାହାକୁ’, ‘ଆରେ ଭୁଲାମନ ଦିନେ ସରିଯିବ ସୁଖ ସମ୍ପଦ’, ‘ଲଭରେ ଲହକା ମନ’, ‘ଟିକେ ଭଜରେ ଶ୍ୟାମସୁନ୍ଦର’, ‘ତେଜ ମନ ବାବାଜୀ ମାୟା ମଠକୁ’ ଆଦି ପୁରାତନ ଭଜନଗୁଡିକ ଦର୍ଶକଙ୍କ ମନକୁ ଖୁବ୍ ଛୁଇଁ ପାରିଥିଲା।
ତେବେ ହସ୍ପିଟାଲ୍ରୁ ତାଙ୍କ ମୃତ ଶରୀର ଗାଁକୁ ଆସିବା ପରେ ଆଖପାଖର ଶହ ଶହ ଲୋକ ତାଙ୍କ ଦର୍ଶନ ପାଇଁ ରୁଣ୍ଡ ହୋଇଥିଲେ। ଶେଷକୃତ୍ୟ ଗାଁ ଶଶ୍ମାନରେ କରାଯାଇଥିବା ବେଳେ ବଡପୁଅ ବିଭୂତି ଭୂଷଣ ମିଶ୍ର ମୁଖାଗ୍ନି ଦେଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ ବିଭୂତି ଭୂଷଣ ମିଶ୍ର, ଶଶୀ ଭୂଷଣ ମିଶ୍ର, ଆଡଭୋକେଟ୍ ନିଶିକାନ୍ତ ମିଶ୍ର, ଇଂ. ଚନ୍ଦ୍ରକାନ୍ତ ମିଶ୍ର, ଅଖଣ୍ଡ ଓ ଦୁଇ ଝିଅ ଓ ସାନ ଜ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।