mobile header

ଡାକ୍ତରୀ ପଢିବାକୁ ଟଙ୍କା ନାହିଁ: କାମ କରି ଅର୍ଥ ସଂଗ୍ରହ କରୁଛନ୍ତି ଇଫୁ

ଫୁଲବାଣୀ, ୦୭/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡ଼ିଆକିଆ ପଞ୍ଚାୟତର ବାଗରା ମିଲା ଗ୍ରାମର ଦିନ ମଜୁରିଆର ପୁଅ ଇଫୁ ମଲିକ ପିଲା ବେଳୁ ଡାକ୍ତର ହେବାର ସ୍ବପ୍ନ ଦେଖିଥିଲେ ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବେ ବୋଲି ଭାବିଥିଲେ l ଆଉ ନିଜର ଆଗ୍ରହ, କଠିନ ପରିଶ୍ରମ, ନିଷ୍ଠା ବଳରେ ସେ ଆଜି ନିଟ ପରିକ୍ଷାରେ କୃତ କାର୍ଯ୍ୟ ଲାଭ କରିପାରିଛନ୍ତି l ଇଫୁ ଦ୍ୱିତୀୟ ଥର ନିଟ ପରିକ୍ଷାରେ କୃତ କାର୍ଯ୍ୟ ହୋଇଥିଲେ l ଇଫୁ ସହିଦ ଲଖଣ ନାୟକ ମେଡିକାଲ କଲେଜ କୋରାପୁଟରେ ପାଠ ପଢିବେ l ଏଣୁ କ୍ଲାସ ଆରମ୍ଭ ପୂର୍ବରୁ ମୋତେ କାମ କରି ଅର୍ଥ ସଂଗ୍ରହ କରିବାକୁ ପଡିବ ବୋଲି ଦୁଃଖ ଭରା କଣ୍ଠରେ କହିଛନ୍ତି ଇଫୁ l ଗଲା ଦଶ ଦିନରେ ସେ ମାତ୍ର ୨ ହଜାର ଟଙ୍କା ହିଁ ଯୋଗାଡ଼ କରିଛନ୍ତି ଇଫୁ l ତେବେ ବାପା ମୁଲ ଲାଗି ପରିବାର ଚଳାଉଥିବାରୁ ତାଙ୍କ ପାଖରେ ପୁଅକୁ ପାଠ ପଢ଼ିବା ଲାଗି ଅର୍ଥ ନାହିଁ l ଫଳରେ ଇଫୁ ବେଳେ ବେଳେ ନିଜେ କାମ କରି ଟଙ୍କା ଯୋଗାଡ଼ କରୁଥିବା ଜଣାପଡିଛି l ତେବେ ବଳକା ଅର୍ଥ କେମିତି ସଂଗ୍ରହ ହେବ ତାକୁ ନେଇ ଚିନ୍ତାରେ ଅଛନ୍ତି ଇଫୁ l ବର୍ତ୍ତମାନ ଇଫୁ ଜଣେ ସାଙ୍ଗର ବାପାଙ୍କ ଠାରୁ ଆଡ଼ମିସନ ପାଇଁ ପାଖା ପାଖି ଚାଳିଶ ହଜାର ଟଙ୍କା ଧାର କରିସାରିଛନ୍ତି l ହଷ୍ଟେଲ ଫି ପାଇଁ ପନ୍ଦର ହଜାର ଟଙ୍କା ଆହୁରି ବାନ୍ଧି ପାରିନାହାନ୍ତି l ସେହିପରି ମାସକୁ ଚାରି ପାଞ୍ଚ ହଜାର ହଷ୍ଟେଲ ଫି ଦେବାକୁ ପଡିବ ମୋତେ, ଏଣୁ ଅର୍ଥ ସଂଗ୍ରହ ପାଇଁ ସଂଘର୍ଷ କରୁଛି ବୋଲି ଇଫୁ କହିଛନ୍ତି l ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ, ସ୍ବେଛାସେବୀ ସଂଗଠନ, ସହୃଦୟ ବ୍ୟକ୍ତି ବିଶେଷ ଆର୍ଥିକ ସହଯୋଗର ହାତ ବଢ଼ାଇଲେ ଇଫୁ ଜଣେ ଭଲ ଡାକ୍ତର ହୋଇପାରନ୍ତେ ଆଉ ନିଜ ଗାଁର ଗରିବ ଲୋକଙ୍କ ସେବା କରନ୍ତେ l ପ୍ରେସ କ୍ଲବ, ଫୁଲବାଣୀ ପକ୍ଷରୁ ଇଫୁଙ୍କ ପାଠ ପଢିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦିଆଯାଇଛି l ସେହିପରି ପଞ୍ଜାବ ନେସନାଲ ବ୍ୟାଙ୍କ,ଫୁଲବାଣୀ ଶାଖା ପକ୍ଷରୁ ମଧ୍ୟ ଇଫୁଙ୍କ ପାଠ ପଢିବା ଲାଗି ସୁବିଧାରେ ଶିକ୍ଷା ଋଣ ଯୋଗାଇ ଦେବା ଲାଗି ବ୍ୟାଙ୍କ ଶାଖା ପରିଚାଳକ କହିଛନ୍ତି l

Leave A Reply

Your email address will not be published.