ଫୁଲବାଣୀ, ୧୨/୧୨: ପାଞ୍ଚ ଦଫା ଦାବି ପୂରଣ ନେଇ ସୋମବାର ଓଡିଶା ରାଜ୍ୟ ବହୁମୁଖୀ ପୁରୁଷ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଙ୍ଘ ପକ୍ଷରୁ ଜିଲ୍ଲା ଶାଖା ସଭାନେତ୍ରୀ ମଧୁସ୍ମିତା ପ୍ରିୟଦର୍ଶିନୀଙ୍କ ବଳିଷ୍ଠ ନେତୃତ୍ବରେ ଶତାଧିକ ସ୍ୱାସ୍ଥ୍ୟକର୍ମୀ ସ୍ଥାନୀୟ ଜଗନାଥ ମନ୍ଦିରରୁ ବାହାରି ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଭେଟି ୫ ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ l ସେମାନଙ୍କ ଦାବି ମଧ୍ୟରେ ରହିଛି ଚାକିରୀ ସମୟ ମଧ୍ୟରେ ଅନ୍ୟ ସରକାରୀ କର୍ମଚାରୀଙ୍କ ପରି ନିୟମ ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ କ୍ୟାଡର ପୁନର୍ଗଠନ କରି ଚାକିରୀ କାଳରେ ଅନ୍ତତଃ ଚାରୋଟି ପଦୋନ୍ନତି ଦେବା, ଗ୍ରେଡ଼ ପେ, ଚାରି ହଜାର ଦୁଇଶହକୁ ବୃଦ୍ଧି କରିବା ସହ ଆରଏସିପି ପ୍ରଦାନ, ୨୦୦୪ରୁ ୨୦୧୩ ମଧ୍ୟରେ ଓ ଆରଭିଆକ୍ଟରେ ଠିକା ଚାକିରି କରିଥିବା ସ୍ଵାସ୍ଥ୍ୟକର୍ମୀଙ୍କ ଠିକା ଚାକିରୀ କାର୍ଯ୍ୟକାଳକୁ ମୂଳ ଚାକିରୀ ଭାବେ ବିବେଚନା କରି ୬ଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା, ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ପୁରୁଷ ମହିଳା ପଦବୀର ନାମ ପରିବର୍ତନ, ପୋଷାକ ଭତା ପ୍ରଦାନ ଆଦି ଦାବି ଅନ୍ତର୍ଭୁକ୍ତ l ସରକାର ତୁରନ୍ତ ସେମାନଙ୍କ ଦାବି ପୂରଣ ନକଲେ ଆସନ୍ତା ଡିସେମ୍ବର ଚଉଦ ତାରିଖରୁ ଅସହଯୋଗ ଆନ୍ଦୋଳନ ଓ ଏକୋଇଶ ତାରିଖରୁ ସଂପୂର୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ଓ ଏଥିରେ ସ୍ୱାସ୍ଥ୍ୟ ସେବା ବ୍ୟାହତ ହେବ ଓ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଭାନେତ୍ରୀ ମଧୁଶ୍ମୀତା ପ୍ରିୟ ଦର୍ଶିନୀ ଓ ସମ୍ପାଦକ ପ୍ରଭାତ ଶତପଥୀ ଚେତାବନୀ ଦେଇଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ପରାମର୍ଶଦାତା ରାଜକିଶୋର ସାହୁ, ମନୋରଞ୍ଜନ ବଡ଼ସେଠ ଓ ସୁକାନ୍ତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲାର ବିଭିନ୍ନ ବ୍ଲକ, ପିଏଚସି, ସିଏଚସିରୁ ଶତାଧିକ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ଯୋଗ ଦେଇଥିଲେ l
