mobile header

ସେକ୍‌ ଜିଲାଲିଙ୍କୁ ପଳାତକ ଘୋଷଣା, ଗିରଫ ପରଓ୍ବାନା ଜାରି

ଚିତ୍ରକୋଣ୍ଡା: ବାରମ୍ବାର କୋର୍ଟ ନୋଟିସ୍‌କୁ ଅବମାନନା କରି ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ହେଉ ନ ଥିବାରୁ ମାଲକାନଗିରି ଜିଲା ଦୌରା ତଥା ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଚିତ୍ରକୋଣ୍ଡା ଏସ୍‌ଡିପିଓ ଆର୍ସେଲ କିସପୋଟାଙ୍କ ନେତୃତ୍ୱରେ ସେକ୍‌ ଜିଲାଲି (୨୪)ଙ୍କୁ ପଳାତକ ଘୋଷଣା କରାଯାଇଛି। ତାଙ୍କୁ ଗିରଫ କରିବା ଲାଗି ଗିରଫ ପରଓ୍ବାନା ମଧ୍ୟ ଜାରି କରାଯାଇଛି।

ସୂଚନାନୁଯାୟୀ, ଜିଲାଲ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିଲେ। ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେ ପରବର୍ତ୍ତୀ ସମୟରେ କୋର୍ଟରେ ହାଜର ହେଉ ନ ଥିଲେ। ଫଳରେ ଏନେଇ ଥାନା ଅଧିକାରୀ ଅନିଲ ପରିଡ଼ାଙ୍କ ତତ୍ୱାବଧାନରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଚିତ୍ରକୋଣ୍ଡା ସମିତିସଭ୍ୟ ରାଜକମଲ ପୁରୋହିତ ଏବଂ ମାର୍କେଟ ଲାଇନର ଗ୍ରାମବାସୀଙ୍କ ଉପସ୍ଥିତିରେ ଜିଲାଲିଙ୍କ ଘର କାନ୍ଥରେ ପଳାତକ ନୋଟିସ ମରାଯାଇ ଡାକବାଜି ଯନ୍ତ୍ର ମାଧ୍ୟମରେ ତାଙ୍କୁ ପଳାତକ ଘୋଷଣା କରାଯାଇଥିଲା। ତାଙ୍କୁ ଗିରଫ ପାଇଁ ଗିରଫ ପରୱାନାାର ଜାରି କରାଯାଇଛି l ମଙ୍ଗଳବାରଠାରୁ ଧାର୍ଯ୍ୟ ତାରିଖ ମଧ୍ୟରେ କୋର୍ଟରେ ଜଲାଲି ହାଜର ନ ହେଲେ ତାଙ୍କର ଥିବା ସମସ୍ତ ସମ୍ପତ୍ତିକୁ ଆଇନ ଅନୁଯାୟୀ ବାଜ୍ୟାପ୍ତ କରାଯିବ ବୋଲି କୋର୍ଟ ପ୍ରକାଶ କରିଛନ୍ତି। ଜିଲାଲିଙ୍କ ନାମରେ ଏନ୍‌ଡିପିଏସ୍‌ କେସ ନମ୍ବର ୧୧୮/୨୦୨୦ରେ ଏକ ମାମଲା ରହିଛି। ସେବେଠାରୁ ସେ ଫେରାର ରହି କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ଆସୁଥିଲେ। କେବଳ ଜିଲାଲି ନୁହନ୍ତି ଏନ୍‌ଡିପିଏସ୍‌ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ଚିତ୍ରକୋଣ୍ଡା ଥାନା ଅଞ୍ଚଳର ଅଭିଯୁକ୍ତମାନଙ୍କୁ ପଳାତକ ଘୋଷଣା କରାଯାଇ ଗିରଫ ପରୱାନା ଜାରି କରାଯିବ ବୋଲି ଥାନା ଅଧିକାରୀ ପରିଡ଼ା କହିଛନ୍ତି l

Leave A Reply

Your email address will not be published.