mobile header

ଜାଗ୍ରତ ଭାରତ ଏକ ଅପରାଜେୟ ଶକ୍ତି ଭାବେ ଉଭା ହୋଇଛି : ଦୀପକ ଭୋରା

ଭୁବନେଶ୍ୱର, ୧୩ /୦୧: ଆତ୍ମବିଶ୍ୱାସ ଓ ଅସୀମ ଶକ୍ତି ସମ୍ମିଳିତ ନୂତନ ଭାରତ ବର୍ତମାନ ବିଶ୍ୱର ୫ମ ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଥିବା ବେଳେ ଏହାର ଜିଡିପି ୩.୫ ଟ୍ରିଲିଅନ୍ ଡଲାର ହୋଇଛି । ଏହା ଦ୍ୱାରା ବିଶ୍ୱରେ ଭାରତ ଆଜି ଏକ ଅପରାଜେୟ ଶକ୍ତି ଭାବେ ଉଭା ହୋଇଛି ବୋଲି ବରିଷ୍ଠ କୁଟନୀତିଜ୍ଞ ତଥା ପ୍ର୍ରଧାନମନ୍ତ୍ରୀଙ୍କର ସ୍ୱତନ୍ତ୍ର ଉପଦେଷ୍ଟା ଡକ୍ଟର ଦୀପକ ଭୋରା କହିଛନ୍ତି ।

ତ୍ପୁଞ୍ଜି ନିବେଶ ନିମନ୍ତେ ଭାରତ ବର୍ତମାନ ସବୁଠାରୁ ଉତ୍କୃଷ୍ଟ ସ୍ଥାନ ଏବଂ ଯୁବପିଢ଼ି ଏହି ସମୟର ସଦୁପୋଯୋଗ କରି ନିଜର ଭବିଷ୍ୟତ ଗଢ଼ିବା ଉଚିତ୍ ବୋଲି ଡକ୍ଟର ଭୋରା କହିଛନ୍ତି ।

ଦୁଇଟି ଆଫ୍ରିକୀୟ ଦେଶ ଏବଂ ଲଦାଖ ଅଟୋନମସ୍ ହିଲ୍ ଡେଭଲପ୍‌ମେଂଟ କାଉନ୍‌ସିଲ୍ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କର ଉପଦେଷ୍ଟା ଭାବେ କାର୍ଯ୍ୟରତ ଡକ୍ଟର ଭୋରା ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ବକ୍ତୃତା ପ୍ରଦାନ କରିବା ଅବସରରେ ଏହା କହିଛନ୍ତି ।

ଅନେକ ଘାତ ପ୍ରତିଘାତ ଦେଇ ଦୀର୍ଘ ପଥ ଅତିକ୍ରମ କରିଥିବା ଭାରତ ବର୍ତମାନ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଦ୍ୱିତୀୟ ବୃହତମ ରାଷ୍ଟ୍ରଭାବେ ପରିଗଣିତ ହୋଇଥିବା ବେଳେ ଜ୍ଞାନ କୌଶଳ କ୍ଷେତ୍ରରେ ମଧ୍ୟ ସାରା ବିଶ୍ୱରେ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ସେ କହିଛନ୍ତି । ଆମକୁ ଆଗକୁ ଯିବା ପାଇଁ ବିଶ୍ୱାସ ଏବଂ ଆତ୍ମବିଶ୍ୱାସର ଆବଶ୍ୟକତା ରହିଛି । ନୈରାଶ୍ୟବାଦ ଆମକୁ ସଶକ୍ତ କରେ ନାହିଁ ବରଂ ପଙ୍ଗୁ କରିଦିଏ ବୋଲି ସେ କହିଛନ୍ତି ।

ସୋଆ ଏବଂ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଫ୍ଲେମିଙ୍ଗୋର ମିଳିତ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମତିଥି ପାଳନ ଅବସରରେ ଆୟୋଜିତ ଏହି ବକ୍ତୃତା କାର୍ଯ୍ୟକ୍ରମ ରଖାଯାଇଥିଲା । କାର୍ଯ୍ୟକ୍ରମରେ ସୋଆର ଉପକୁଳାଧିପତି ପ୍ରଫେସର ଅମିତ ବାନାର୍ଜୀ , କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଏବଂ ଭୁବନେଶ୍ୱର ରୋଟାରୀ କ୍ଲବ୍ ଫ୍ଲାମିଙ୍ଗୋର ସଭାପତି ଡକ୍ଟର ସ୍ମିତା ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ ।

ଡକ୍ଟର ଭୋରା କହିଥିଲେ ଯେ ଭାରତ ବର୍ତମାନ ବିମାନ ବନ୍ଦର, ସଡ଼କ, ବନ୍ଦର, ରେଳ ଲାଇନ୍ ଏବଂ ହୋଟେଲ୍ ନିର୍ମାଣ କ୍ଷେତ୍ରରେ ବହୁ ଆଗରେ ଅଛି । ଦେଶରେ ୮୦ଟି ନୂତନ ବିମାନ ବନ୍ଦର ନିର୍ମାଣ ହେଉଥିବା ବେଳେ ପ୍ରତ୍ୟେକ ୧୫ ମିନିଟ୍‌ରେ ୧ କିଲୋମିଟର ରାଜପଥ ଯୋଡି ହେଉଛି ବୋଲି ସେ କହିଛନ୍ତି ।

୧୨୫ ବର୍ଷ ପୂର୍ବେ ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ଭବିଷ୍ୟତର ଭାରତ ପୁରାତନ ଭାରତ ଠାରୁ ବହୁୁ ଉନ୍ନତ ହେବ । ଏହା ଆଜି ସାକାର ହେବାକୁ ଯାଉଛି ବୋଲି ସେ କହିଥିଲେ ।

ବିଶ୍ୱର ଜନସଂଖ୍ୟାର ୧୫ ପ୍ରତିଶତ ଦିନେ ବାକୀ ୮୫ ପ୍ରତିଶତଙ୍କୁ ଶାସନ କରୁଥିଲେ । ବର୍ତମାନ ଏହି ଲୋକମାନେ ମାନସିକ ଚାପ ଏବଂ ଏକାକୀପଣ ଦେଇ ଗତି କରୁଥିବା ବେଳେ ଭାରତ ଆତ୍ମବିଶ୍ୱାସ ଓ ନୂତନ ଶକ୍ତିରେ ସଶକ୍ତ ହୋଇ ଉଭା ହୋଇଛି ବୋଲି ସେ କହିଥିଲେ ।

ସ୍ୱାସ୍ଥ୍ୟ ସେବା, ଜଳବାୟୁ ସ୍ଥିରତା ଏବଂ ନୂତନ ବୈଷୟିକ ଜ୍ଞାନ କୌଶଳରେ ଉତ୍କର୍ଷ ବର୍ତମାନ ଭାରତର ଲକ୍ଷ୍ୟ ବୋଲି ସେ କହି ବହୁ ଜଳବାୟୁ ପରିବର୍ତନ ବିରୁଦ୍ଧରେ ସଂଗ୍ରାମରେ ଆମ ଦେଶ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।

ଭୁବନେଶ୍ୱର ରୋଟାରୀ କ୍ଳବ୍ ଫ୍ଲେମିଙ୍ଗୋର ସମ୍ପାଦକ କର୍ଣ୍ଣେଲ୍ ଦେବବ୍ରତ କର ଅତିଥିଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସୋଆ କର୍ପୋରେଟ୍ କମ୍ୟୁନିକେସନ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.