ଚୌଦ୍ବାର କଲେଜରେ ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ

କଟକ: ଚୌଦ୍ବାର କଲେଜରେ ଯୁକ୍ତ ଦୁଇର ଛାତ୍ରୀମାନଙ୍କୁ ନେଇ ଏକ ଆତ୍ମରକ୍ଷା ଶିବିର ଉଦଘାଟିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚୌଦ୍ବାର କଲେଜର ଅଧକ୍ଷ ଡକ୍ଟର ଉମେଶଚନ୍ଦ୍ର ଦେବତା ଯୋଗ ଦେଇଥିଲେ। ନିଜ ବକ୍ତବ୍ଯ ମାଧ୍ୟମରେ ସେ ବିଭିନ୍ନ ଉପଦେଶ ଦେଇ ଛାତ୍ରୀମାନଙ୍କ ମନୋବଳ ବୃଦ୍ଧି କରିବା ସହିତ କିଭଳି ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟକୁ ସୁରକ୍ଷା ଯୋଗାଇ ଦିଆଯାଇ ପାରିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ। ୮ ଦିନ ବ୍ୟାପି ହେବାକୁ ଥିବା ଏହି କାର୍ଯ୍ୟକ୍ରମଟିରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ସଂଜୟ କୁମାର ଧଳ, ପ୍ରାଧ୍ୟାପକ ପ୍ରଭାକର ମିଶ୍ର , ସଂଯୋଜିକା ପ୍ରଭାବତୀ ପଢିୟାରୀ, ଅଧ୍ୟାପିକା ଡକ୍ଟର ମମତା ସାହୁ ଓ ଅଧ୍ୟାପକ ପ୍ରତାପ କୁମାର ଘଡାଇ ପ୍ରମୁଖ ଯୋଗଦେଇ ସହଯୋଗ ପ୍ରଦାନ କରିଥିଲେ। +୨ର ପ୍ରଥମ ବର୍ଷରେ( ଏକାଦଶ ଶ୍ରେଣୀରେ) ଅଧ୍ୟୟନ କରୁଥିବା ଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମର ଆରମ୍ଭରେ ନିର୍ଭୟା ଘଟଣାର ଉଦାହରଣ ଦେଇ ପ୍ରଧ୍ୟାପକ ସଂଜୟ କୁମାର ଧଳ ସମସ୍ତ ପ୍ରକାର ଅଶୋଭନୀୟ ଘଟଣାର ଦୃଢ ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ। ମଣିଷ ସ୍ୱାଧୀନ ହୋଇ ଜନ୍ମଗ୍ରହଣ କରିଛି; କିନ୍ତୁ ପ୍ରତି କ୍ଷେତ୍ରରେ ସେ ଶୃଙ୍ଖଳରେ ବନ୍ଧା ହୋଇରହିଛି। ମଣିଷର ମାନବିକ ଅଧିକାରକୁ ପ୍ରତି କ୍ଷେତ୍ରରେ ତା’ଠୁ ଅପହରଣ କରି ନିଆ ଯାଉଛି।ମାନବାଧିକାରର ସୁରକ୍ଷା ପାଇଁ ଆତ୍ମରକ୍ଷା କୌଶଳ ଜାଣିବା ଦରକାର ବୋଲି ଉତ୍ସବର ଅନ୍ୟତମ ଅତିଥି ପ୍ରଭାକର ମିଶ୍ର କହିଥିବା ବେଳେ ସମାଜରେ ଘଟୁଥିବା ବିଭିନ୍ନ ଘଟଣାର ଉଦାହରଣ ଦେଇଥିଲେ ଉତ୍ସବର ସଂଯୋଜିକା ପ୍ରାଧ୍ୟାପିକା ପ୍ରଭାବତୀ ପଢିୟାରୀ। ଛାତ୍ରୀ ମାନଙ୍କୁ ସାହସୀ ଓ ପରାକ୍ରମୀ ହେବାକୁ ସେ ପରାମର୍ଶ ଦେଇଥିଲେ। ଅଧ୍ୟାପିକା ମମତା ସାହୁ ଶୃଙ୍ଖଳିତ ଜୀବନ ଯାପନ ପାଇଁ ପ୍ରତ୍ୟେକ ଝିଅ ପ୍ରଥମେ ପ୍ରଶିକ୍ଷିତ ହେବା ଜରୁରୀ ବୋଲି ନିଜ ବକ୍ତବ୍ଯରେ କହିଥିଲେ। ଅଧ୍ୟାପକ ପ୍ରତାପ ଘଡାଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ମାଷ୍ଟର ଟ୍ରେନର (ପ୍ରଶିକ୍ଷକ)ଭାବେ ନିଯୁକ୍ତ ଲତିକା ସ୍ଵାଇଁ ଏବଂ ଅନୀଶା ଦାସ ଉପସ୍ଥିତ ଛାତ୍ରୀ ମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୈଶଳର ଶିକ୍ଷା ପ୍ରଦାନ କରିବାକୁ ଅଙ୍ଗୀକାର ବଦ୍ଧ ବୋଲି ନିଜ ବକ୍ତବ୍ଯରେ ସୁଚାଇଥିଲେ। ପ୍ରାଧ୍ୟାପିକା କ୍ଷିରାବ୍ଧୀ ଚୌଧରୀ, ରଶ୍ମୀ ରାଉତରାଏ, ହରପ୍ରିୟା ମହାପାତ୍ର, ଅଧ୍ୟାପିକା ଅନୁପମା ତ୍ରିପାଠୀ, ପ୍ରାଧ୍ୟାପକ ମୋହିତ କର, ଦୀପକ କୁମାର ମହାନ୍ତି, ଯୁକ୍ତେଶ୍ୱର ଦାସ, ସୁମନ୍ତ କୁମାର ସାହୁ, ବସନ୍ତ କୁମାର ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟରେ ସହଯୋଗ କରିଥିଲେ।

Leave A Reply

Your email address will not be published.