ଚୌଦ୍ଵାର ମହାବିଦ୍ୟାଳୟରେ ଯୋଗ ଶିକ୍ଷା

କଟକ: ଚୌଦ୍ବାର କଲେଜର ଅଧ୍ୟକ୍ଷ ଶିଖାଇବେ ଯୋଗ। ପ୍ରତ୍ୟେକ ଦିନ ପ୍ରତ୍ୟୁଷରୁ ଯୋଗ ଶିକ୍ଷକ ଭାବେ ସେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବେ। ଆଜିଠାରୁ (ତା ୧୭-୦୧-୨୩ ରିଖ) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କଲେଜର ଡିଗ୍ରୀ ଛାତ୍ର ଛାତ୍ରୀଙ୍କ ପାଇଁ ଏହି ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଚାଲୁହୋଇଛି। ପ୍ରଥମ ଦିନରେ ଏହି କାର୍ଯକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି କଲେଜର ଅଧ୍ୟକ୍ଷ ଡକ୍ଟର ଉମେଶ ଚନ୍ଦ୍ର ଦେବତା। କଲେଜର ଅଧିକାଂଶ ଅଧ୍ୟାପକ ଅଧ୍ୟାପିକା ଏଥିରେ ଯୋଗଦାନ କରି କାର୍ଯ୍ୟକ୍ରମର ଭରପୁର ଆନନ୍ଦ ନେଇଥିଲେ। ପ୍ରାରମ୍ଭରେ ଯୋଗର ଉପଯୋଗିତାକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଜୀବନର ପ୍ରତିଟି କ୍ଷେତ୍ରରେ ବିଶେଷ କରି ଶିକ୍ଷା ଓ ଚରିତ୍ର ଗଠନରେ ଯୋଗର ଉପକାରିତା ବିଷୟରେ ଉପସ୍ଥିତ ବକ୍ତାମାନେ ଆଲୋକପାତ କରିଥିଲେ। କଲେଜର ବରିଷ୍ଠ ପ୍ରାଧ୍ୟାପିକା କ୍ଷୀରାବ୍ଧି ଚୌଧୁରୀ ତାଙ୍କ ଅଭିଭାଷଣରେ ଯୋଗ ଶରୀର ଓ ମନକୁ ସୁସ୍ଥ ରଖିବା ସହିତ ଆତ୍ମା ଆଉ ପରମାତ୍ମାଙ୍କ ମଧ୍ୟରେ ଏକ ସେତୁ ସଦୃଶ କାମ କରିଥାଏ ବୋଲି କହିଥିଲେ। ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ସଂଜୟ କୁମାର ଧଳ ଯୋଗ ଦ୍ୱାରା ରୋଗ ନିବାରଣ ହୋଇପାରିବ ବୋଲି କହିଥିଲେ। ଖେଳ ଶିକ୍ଷକ ବୈଦ୍ୟନାଥ ନାୟକ ପତଞ୍ଜଳୀ ଯୋଗ ବିଷୟରେ କହିବା ସହିତ ପ୍ରାଚୀନ କାଳରୁ ଯୋଗ ରହିଆସିଛି ଓ ଏହା ଦ୍ୱାରା ମଣିଷ ଚିନ୍ତାମୁକ୍ତ ଜୀବନ ଯାପନ କରିପାରିବ ବୋଲି କହିଥିଲେ। ରସାୟନ ବିଜ୍ଞାନ ବିଭାଗର ମୂଖ୍ଯ ପ୍ରାଧ୍ୟାପକ ମୋହିତ କର ପିଲାମାନଙ୍କ ମନୋଭାବକୁ ଯୋଗ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ଏଭଳି ଉଦ୍ୟମ ଚାଲୁ ରହିବା ଉଚିତ ବୋଲି ମନ୍ତବ୍ଯ ଦେଇଥିଲେ। ଯାବତୀୟ ଦୁଶ୍ଚିନ୍ତା ଓ ରୋଗରୁ ନିସ୍ତାର ପାଇବାକୁ ବୈଜ୍ଞାନିକ ଓ ଚିକିତ୍ସକମାନେ ଯେତେବେଳେ ଥଳକୂଳ ପାଉ ନାହାଁନ୍ତି କିମ୍ବା କୋରନା ପରି ରୋଗ କିପରି ଓ କେଉଁଠୁ ଆସୁଛି, ତାହା ଜାଣି ପାରୁନାହାଁନ୍ତି, ସେତେବେଳେ “ଯୋଗ” ହିଁ ଆମକୁ ଯଥାର୍ଥ ମାର୍ଗ ଦର୍ଶନ କରିପାରିବ ବୋଲି ବାଣିଜ୍ଯ ବିଭାଗର ମୂଖ୍ଯ ପ୍ରାଧ୍ୟାପକ ପ୍ରଭାକର ମିଶ୍ର ନିଜ ମନ୍ତବ୍ଯରେ କହିଥିଲେ। ଅଧ୍ୟାପିକା ସବିତା ମହାନ୍ତି ଦୈନନ୍ଦିନ ଯୋଗାଭ୍ୟାସ ସହ ଯମ, ନିୟମ ଓ ପ୍ରାଣାୟାମ ଉପରେ ଗୁରୁତ୍ବ ଦେଇଥିଲେ। ଶିକ୍ଷା ବିଭାଗର ମୁଖ୍ଯ ହରପ୍ରିୟା ମହାପାତ୍ର ଏବେର କୋରନା ସଂକ୍ରମିତ ବିଶ୍ୱରେ “ଯୋଗ” ଯେମିତି ଏକ ମହୌଷଧି ବୋଲି କହିଥିଲେ। ଯୋଗ, ଯାହା ଭାରତବର୍ଷର ପ୍ରାଚୀନ ପ୍ରଜ୍ଞା ବର୍ତ୍ତମାନ ବାସ୍ତବ ଜୀବନରେ ଶାନ୍ତି , ପ୍ରଗତି, ଏବଂ ସମୃଦ୍ଧି ଆନୟନ ପାଇଁ ପ୍ରକୃତ ଉପାୟ ରୂପେ ସର୍ବତ୍ର ସ୍ବୀକୃତ ହୋଇଛି ବୋଲି ଡକ୍ଟର ଦେବତା କହିଥିବା ବେଳେ ତାଙ୍କ ଦ୍ବାରା ପ୍ରଦର୍ଶିତ ଶିର୍ଷାସନ ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ଶତାଧିକ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଯୋଗ ଶିକ୍ଷା ଦୀର୍ଘ ୧୦ ଦିନ ଧରି ଚାଲିବ ବୋଲି ଚୌଦ୍ବାର କଲେଜ ଅଧ୍ୟକ୍ଷ ଡକ୍ଟର ଦେବତାଙ୍କ ତରଫରୁ କୁହାଯାଇଛି।

Leave A Reply

Your email address will not be published.