ଫେବୃଆରୀ ୧୧ରୁ ଆରମ୍ଭ ହେବ ନବମ ଅନ୍ତର୍ଜାତୀୟ ରେଡ଼ିଓ ମେଳା

କାଶ୍ମୀରର ରେଡ଼ିଓ ପିର ପଞ୍ଜଲ ଓ ଚଣ୍ଡିଗଡର ରେଡ଼ିଓ ପଞ୍ଜାବକୁ ଆଉଟରିଚ ରେଡିଓ ଆୱାର୍ଡ
ଶାନ୍ତିଲତା ବାରିକଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ
ଯୋଗଦେବେ ଓଡିଶା ଓ କଲିକତାର ହାମ ରେଡ଼ିଓ ଅପରେଟର
ଶେଷ ସଂଧ୍ୟାର ଆକର୍ଷଣ ବେତାର ନାଟକ ‘ଦ ଅଣ୍ଡରଗ୍ରାଉଣ୍ଡ ରେଡ଼ିଓ’

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ନବମ ଆଉଟରିଚ ଆନ୍ତର୍ଜାତୀୟ ରେଡ଼ିଓ ମେଳା ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହେବ। ଏହା ଏସିଆ ମହାଦେଶର ଏକମାତ୍ର ରେଡ଼ିଓ ମେଳା। ଏହି ମେଳାରେ ଦେଶର ଅନେକ ରେଡ଼ିଓ ପ୍ରସାରକ ଓ ରେଡ଼ିଓ ଷ୍ଟେସନ ଯୋଗ ଦେବେ। ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷ ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ସମ୍ମାନିତ କରାଯିବ। ଏହି ମେଳାରେ ୩ ହଜାରରୁ ଅଧିକ ପ୍ରକାର ପୁରୁଣା ରେଡ଼ିଓ, ପ୍ରସାରଣ ସାମଗ୍ରୀ, ହାମ୍ ରେଡ଼ିଓ ଓ ଗ୍ରାମଫୋନ ପ୍ରଦର୍ଶନ କରାଯିବ। ଫେବୃଆରୀ ୧୩ ତାରିଖ ବିଶ୍ଵ ରେଡ଼ିଓ ଦିବସକୁ ସ୍ମରଣୀୟ କରିବା ପାଇଁ ଆଉଟରିଚ ପ୍ରତିବର୍ଷ ଏଭଳି ଆୟୋଜନ କରିବାକୁ ଯାଉଛି। କଲିକତାର ହାମ୍ କନଭେନସନ ଓ ଓଡ଼ିଶା ହାମ୍ ମେଳାରେ ଷ୍ଟଲ୍ ଲଗାଇବେ। ଏହାଛଡା ଜରୁରୀକାଳୀନ ପରିସ୍ଥିତିରେ ରେଡିଓର ଭୂମିକାକୁ ପ୍ରଦର୍ଶିତ କରିବା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲିବେ । ଦିଲ୍ଲୀର ବ୍ରଡକାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ ଇଣ୍ଡିଆ ଲିମିଟେଡ(BEC IL) ରେଡ଼ିଓ ଟ୍ରାନ୍ସମିଟର ଏବଂ ରେଡ଼ିଓ ଯନ୍ତ୍ରପାତି ପ୍ରଦର୍ଶନ କରିବେ।

ମେଳାରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେବ। ନୃତ୍ୟ, ଗୀତ ଓ ଫେସନ ସୋ ପ୍ରତିଯୋଗିତାରେ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ। କଲେଜ ଛାତ୍ରଛାତ୍ରୀ ମାନେ ସମ୍ବାଦ ପଠନ ଏବଂ ଆରଜେଇଙ୍ଗରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ। ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀ ମାନେ ଅନଲାଇନ ଏବଂ ସ୍ପଟ୍ ପଞ୍ଜୀକରଣ କରିପାରିବେ।

ଏହି ଅବସରରେ ଓଡ଼ିଶାର ଲୋକପ୍ରିୟ ରେଡ଼ିଓ ଜକି ସଂଗ୍ରାମଙ୍କୁ ଉପେନ୍ଦ୍ର କୁମାର ପାହାଡ଼ସିଂହ ମେମୋରିଆଲ ଆଓ୍ଵାର୍ଡ, ପ୍ରଖ୍ୟାତ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ଵାର୍ଡ ଏବଂ ଅବସରପ୍ରାପ୍ତ ସମ୍ବାଦ ପାଠକ ରବି ଶତପଥୀଙ୍କୁ ନଦିଆ ବିହାରୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ। ଚଣ୍ଡିଗଡ଼ର ରେଡ଼ିଓ ପଞ୍ଜାବକୁ ଚଳିତବର୍ଷ ଶ୍ରେଷ୍ଠ କମ୍ୟୁନିଟି ରେଡ଼ିଓ ଭାବରେ ସମ୍ମାନିତ କରାଯିବ। ଜାମୁ କାଶ୍ମୀରର ରେଡ଼ିଓ ପିର ପଞ୍ଜଲକୁ ଜନ ସେବାରେ ରେଡିଓର ସର୍ବୋତ୍ତମ ବ୍ୟବହାର ପାଇଁ ସମ୍ମାନିତ କରାଯିବ। ରେଡ଼ିଓ ମେଳାରେ କଟକର କାଳୀ ପ୍ରସାଦ ପଣ୍ଡା, ବୋଲଗଡ଼ର ଅକ୍ଷୟ ପଟ୍ଟନାୟକ ଏବଂ ଭୁବନେଶ୍ବରର ରାଜେନ୍ଦ୍ର ସାହୁ ରେଡ଼ିଓ ସଂଗ୍ରାହକ ଭାବେ ଯୋଗ ଦେବେ ବୋଲି ରେଡ଼ିଓ ମେଳାର ଆୟୋଜକ ସୁବ୍ରତ କୁମାର ପତି ଏକ ପ୍ରେସ ମିଟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଓଡିଶା ସରକାରଙ୍କ ସଂସ୍କୃତି ଭିଭାଗ ସହାୟତାରେ ରେଡ଼ିଓ ମେଳାରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ସ୍ୱାଧୀନତା ଆନ୍ଦୋଳନରେ ରେଡିଓର ଯୋଗଦାନ ସମ୍ପର୍କିତ ଏକ ବିଷୟକୁ ନେଇ ରେଡ଼ିଓ ନାଟକ ‘ଦ ଅଣ୍ଡରଗ୍ରାଉଣ୍ଡ ରେଡ଼ିଓ’ ଶେଷ ସନ୍ଧ୍ୟାର ଆକର୍ଷଣ ସାଜିବ ।

Leave A Reply

Your email address will not be published.