mobile header

ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଏବଂ ପ୍ରମୁଖ ଶାସନ ସଚିବଙ୍କ ଦିନିକିଆ ମାଲକାନଗିରି ଗସ୍ତ

ନିର୍ମାଣଧିନ ଏୟାରଷ୍ଟ୍ରିପ କାର୍ଯ୍ୟ ଅଗ୍ରଗତି ନେଇ କଲେ ସମୀକ୍ଷା

ମାଲକାନଗିରି, ୨୫/୦୨/୨୩: ଆଜି ଜଳ ସଂପଦ ଓ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଦିନିକିଆ ମାଲକାନଗିରି ଗସ୍ତରେ ଆସି ନିଜ ବିଭାଗର ବିଭିନ୍ନ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ବାଣିଜ୍ୟ ଓ ପରିବହନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ମଧ୍ୟ ଆଜି ଜିଲ୍ଲା ପରିଦର୍ଶନରେ ଆସି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଓ ପରିବହନ ବିଭାଗର ବିଭିନ୍ନ ବିଷୟ ନେଇ ସମୀକ୍ଷା ଆଲୋଚନା କରିଛନ୍ତି। ମାଲକାନଗିରିରେ ନିର୍ମାଣାଧୀନ ଏୟାରଷ୍ଟ୍ରିପ କାର୍ଯ୍ୟର ଅଗ୍ରଗତି ନେଇ ଏହି ଗସ୍ତ କାର୍ଯ୍ୟକ୍ରମ କରଯାଇଛି ।

ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କୁ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ ସ୍ବାଗତ ଜଣାଇବା ସହ ଏୟାରଷ୍ଟ୍ରିପ କାର୍ଯ୍ୟର ଅଗ୍ରଗତି ବିଷୟରେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି। ପ୍ରମୁଖ ଶାସନ ସଚିବ, ଶ୍ରୀମତୀ ପାଢୀ ଗଉଡଗୁଡା ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଓ ସରକାରୀ ପଲିଟେକନିକ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି । ସେଠାରେ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରି ନିଜର ଖୁସି ବ୍ୟକ୍ତ କରିଥିଲେ ।

ବର୍ତ୍ତମାନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଁ ଅଭିଯାନ ଚାଲିଛି। ଏହି ଅଭିଯାନରେ ମାଲକାନାଗିରି ଜିଲ୍ଲା ପାଇଁ ଶ୍ରୀମତି ପାଢୀ ନୋଡାଲ ଅଧିକାରୀ ଅଛନ୍ତି। ଆଜି ସରକାରୀ ଆଇଟିଆଇକୁ ଚିତ୍ରକୋଣ୍ଡା ଏସଏସଡି ହାଇସ୍କୁଲ ଏବଂ ସରକାରୀ ପଲିଟେକନିକ୍କୁ କରୁକୁଣ୍ଡା ହାଇସ୍କୁଲର ଛାତ୍ରୀମାନେ ପରିଦର୍ଶନରେ ଆସିଥିଲେ। ଶ୍ରୀମତୀ ପାଢୀ ଆଇଟିଆଇରେ ସିଟିଟିସି ମିନି ଟୁଲରୁମ୍ ମଧ୍ୟ ବୁଲି ଦେଖିଛନ୍ତି। କିଭଳି ଅଧିକରୁ ଅଧିକ ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷାରେ ଯୋଗଦାନ କରିବେ, ସେଥି ପ୍ରତି ପ୍ରଯତ୍ନ ହେବା ପାଇଁ ସେ ଆହ୍ୱାନ କରିଛନ୍ତି। ସେହିପରି ପରିବହନ ବିଭାଗ ସମୀକ୍ଷାରେ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତକୁ କିଭଳି ବିଜୁ ଗାଁ ଗାଡି ଚାଲିବ ସେ ନେଇ ଶ୍ରୀମତି ପାଢୀ ଗୁରୁତ୍ୱାରୋପ କରିଛନ୍ତି। ଏହି ଗସ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀ, ଉପ ଜିଲ୍ଲପାଳ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ନିୟୋଜନ ଅଧିକାରୀ, ଶ୍ରୀ ମନସ୍ୱୀ ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ, ଶ୍ରୀ ମାନସ ରଞ୍ଜନ ମିଶ୍ର, ଆଇଟିଆଇ ଅଧ୍ୟକ୍ଷ , ଶ୍ରୀ ସମୀର ରଞ୍ଜନ ବେହେରା ଓ ପଲିଟେକନିକ୍ ଅଧ୍ୟକ୍ଷ, ଶ୍ରୀ ଜେ ଆର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.