mobile header

ଆରେ ଢମଣା, ବୁଲି ବୁଲି କରି ସେଇ ଅଗଣା

ବିଜେଡ଼ି ନେତାଙ୍କ “ଜୟ ଜଗନ୍ନାଥ” ଧ୍ୱନୀ ଉପରେ ପ୍ରଦେଶ କଂଗ୍ରେସର ପ୍ରତିକ୍ରୀୟା

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ବିଜେଡ଼ି ନେତୃବୃନ୍ଦ ତଥା ମୁଖ୍ୟମନ୍ତ୍ରୀଙ୍କ “ଜୟ ଜଗନ୍ନାଥ” ଧ୍ୱନୀ ଉପରେ ପ୍ରଦେଶ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ତଥା ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରତିକ୍ରୀୟାରେ କହିଛନ୍ତି ଯେ ଗତ କିଛିଦିନ ତଳେ ରାଜ୍ୟ ବିଜେଡ଼ି ଦଳ ନିଜ ନେତାଙ୍କ ଉପରୁ ଭରଷା ତୁଟାଇ ଦଳର ନିର୍ବାଚନ ସଂକେତ ତାଙ୍କର ଗର୍ବ ବୋଲି ଧ୍ୱନି ଦେଇ ଗଣମାଧ୍ୟମକୁ ପ୍ରକମ୍ପିତ କଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ ହୋଇଛି ଜୟ ଜଗନ୍ନାଥ ଧ୍ୱନି, ଭଲ କଥା ଆମେ ସ୍ୱାଗତ କରୁଛୁ । କିନ୍ତୁ ୨୩ ବର୍ଷ ଶାସନପରେ ଓଡ଼ିଆ ଜାତିର ଆରାଧ୍ୟ ଦେବତାଙ୍କ କଥା ମୁଖ୍ୟମନ୍ତ୍ରୀଙ୍କ ମନେ ପଡ଼ିଲା ?

ଓଡ଼ିଶା କଂଗ୍ରେସ ଦଳର ସଭାପତି ମନୋନୟନ ପରେ ଶ୍ରୀ ଶରତ ପଟ୍ଟନାୟକ ତାଙ୍କର ପ୍ରଥମ ନବସଂକଳ୍ପ ସମାବେଶରେ ଆହ୍ୱାନ ଦେଇ କଂଗ୍ରେସ କର୍ମୀ ଓ କର୍ମକର୍ତାଙ୍କୁ ବାର୍ତା ଦେଇଥିଲେ ଯେ ଆମେ ସର୍ବଧର୍ମ ସମନ୍ୱୟରେ ବିଶ୍ୱାସ କରୁ । କିନ୍ତୁ ଓଡ଼ିଆ ଜାତିର ଠାକୁର ଆମର ନେତା ପଣ୍ଡିତ ଗୋପବନ୍ଧୁଙ୍କ ଭାଷାରେ “ଉତ୍କଳେ ନେତାର ନାହିଁ ପ୍ରୟୋଜନ ଉତ୍କଳର ନେତା ସ୍ୱୟଂ ନାରାୟଣ” ଏଣୁ ସମସ୍ତ କଂଗ୍ରେସ କର୍ମକର୍ତା ସଭାର ଆରମ୍ଭରେ ଜୟ ଜଗନ୍ନାଥ ଧ୍ୱନି ଦେବାକୁ ଆହ୍ୱାନ ଦେଇଥିଲେ । ସେହି ପଥକୁ ଆଜି ମୁଖ୍ୟମନ୍ତ୍ରୀ ବାଛି ନେଇଛନ୍ତି ।

ବିଗତ ଦିନମାନଙ୍କରେ ଯେଉଁମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ତା ସହ ସଂଲଗ୍ନ ମଠ ମନ୍ଦିର ସଂସ୍କୃତିକୁ ଧ୍ୱଂସ କରିଦେଇଛନ୍ତି ସେହି ମାନଙ୍କ ମୁହଁରେ ଆଜି ଜୟ ଜଗନ୍ନାଥ ଧ୍ୱନି ସଇତାନର ବେଦପାଠ ଭଳି ଲାଗୁଛି । ଓଡ଼ିଶାବାସୀଙ୍କ ଆରାଧ୍ୟ ଦେବତାଙ୍କ ରତ୍ନଭଣ୍ଡାର ଚାବି ମିଳିଲା ନାହିଁ, ତା ଉପରେ ଯେଭଳି ପ୍ରହେଳିକା ସୃଷ୍ଟି କରାଗଲା ଏବେ ମଧ୍ୟ ସାଢ଼େ ଚାରିକୋଟି ଓଡ଼ିଆ ସଂଦେହ ଘେରରେ ଅଛନ୍ତି । ରତ୍ନଭଣ୍ଡାର ଖୋଲାଯାଇ ରତ୍ନର ହିସାବ ସମସ୍ତ ଦାବି ସତ୍ୱେ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ ।

ପର୍ଯ୍ୟଟନର ବିକାଶ ନାମରେ ଆଧ୍ୟାତ୍ମ୍ୟ ଭାବନାପ୍ରତି କୁଠାରଘାତ କରୁଥିବା ସରକାର ସୌନ୍ଦର୍ଯ୍ୟକରଣ ନାମରେ ଗତ ଦୁଇବର୍ଷ ହେବ ଶହ ଶହ କୋଟି ଟଙ୍କାରେ କ୍ରଂଟାକ୍ଟରଙ୍କୁ ପୋଷାଚାଲିଛି । ପ୍ରଭୁ ସବୁ ଦେଖୁଛନ୍ତି, ମଣିଷର ମୃତ୍ୟୁ ପାଖେଇ ଆସିଲେ, ମଣିଷ ପ୍ରଭୁଙ୍କ ଶରଣାପନ୍ନ ହୁଏ । ବିଜେଡ଼ିର ସର୍ବସ୍ୱଙ୍କର ସେହି ଅବସ୍ଥା ଆସିଯାଇଛି । ପ୍ରଭୁ ତାଙ୍କ ସହାୟ ହୁଅନ୍ତୁ । ବିମଳ ପ୍ରଶନ୍ନ ଦାସ କମିଶନଙ୍କ ନାମରେ ଦ୍ୱାହି ଦେଇ କାର୍ଯ୍ୟ କରୁଥିବା ସରକାର କମିଶନଙ୍କ ପ୍ରକୃତ ରିପୋର୍ଟକୁ ଯଥା ଶୀଘ୍ର ସାର୍ବଜନୀନ କରିବା ସହ ପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟଟି ତୁରନ୍ତ କରନ୍ତୁ ବୋଲି କଂଗ୍ରେସ ଦଳ ଦୃଢ଼ ଦାବି କରୁଛି ।

ଆଜିର ଏହି ସାମ୍ବଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ସର୍ବଶ୍ରୀ ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.