ନୂଆଦିଲ୍ଲୀ: ବରିଷ୍ଠ ଓକିଲ କେ.ଭି ବିଶ୍ୱନାଥନ ଶୁକ୍ରବାର ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଛନ୍ତି। ବାର୍ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିବା ଓକିଲଙ୍କ ମଧ୍ୟରେ ସେ ହେଉଛନ୍ତି ଦଶମ। ତେବେ ଜଷ୍ଟିସ କୁଲଦୀପ ସିଂଙ୍କ ନାମ ପୂର୍ବରୁ ଯେଉଁ ନଅ ଜଣ ଓକିଲଙ୍କ ନାଁ ସାମିଲ ଅଛି ସେଥିରେ ଜଷ୍ଟିସ କୁଲଦୀପ ସିଂ ନାମ ମଧ୍ୟ ରହିଛି। ସେ ୧୪ ଡିସେମ୍ବର ୧୯୮୮ରେ ସୁପ୍ରିମକୋର୍ଟରେ ନିଯୁକ୍ତି ହୋଇଥିଲେ। ସେହି ଦିନ ଜଷ୍ଟିସ ଏ.ଏମ୍ ଅହମ୍ମଦି ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ।
ଜଷ୍ଟିସ କୁଲଦୀପ ସିଂଙ୍କୁ ବାର୍ରୁ ନିଯୁକ୍ତ କରାଯାଇଥିଲା। ଯଦିଓ ତାଙ୍କୁ ପୂର୍ବରୁ ହାଇକୋର୍ଟର ବିଚାରପତି ହେବା ପାଇଁ ଅଫର ମିଳିଥିଲା କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଅନ୍ୟପକ୍ଷରେ ଜଷ୍ଟିସ ଅହମ୍ମଦି ଗୁଜୁରାଟ ହାଇକୋର୍ଟର ବିଚାରପତି ଥିଲେ। ସେହି ସମୟର ପରମ୍ପରା ଅନୁଯାୟୀ, ହାଇକୋର୍ଟ ବିଚାରପତିଙ୍କ ତୁଳନାରେ ବାର୍ରୁ ନିଯୁକ୍ତ ହୋଇଥିବା ବିଚାରପତିଙ୍କୁ ବରିଷ୍ଠ ବୋଲି ବିବେଚନା କରାଯାଉଥିଲା। ଏହା ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ, ଜଷ୍ଟିସ କୁଲଦୀପ ଆନୁଷ୍ଠାନିକ ଭାବେ ଜଷ୍ଟିସ ଅହମ୍ମଦିଙ୍କଠାରୁ ୨ମାସ ବଡ଼ ଥିଲେ।
ସୁପ୍ରିମକୋର୍ଟା ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ପୁଅ ଆଇନଜୀବୀ ଅଭିନଭ ଚନ୍ଦ୍ରଚୂଡ ପେଙ୍ଗୁଇନ ପବ୍ଲିକେସନ୍ସ ଦ୍ୱାରା ପ୍ରକାଶିତ ତାଙ୍କ ପୁସ୍ତକ ‘ସୁପ୍ରିମ ୱିସପର୍ସ’ରେ ଲେଖିଛନ୍ତି ଯେ, ଜଷ୍ଟିସ ଅହମ୍ମଦି ଏବଂ ଜଷ୍ଟିସ କୁଲଦୀପ ସିଂ ଜଷ୍ଟିସ ଭେଙ୍କଟଚଲିୟାଙ୍କ ଠାରୁ ସାନ ଥିଲେ ଯିଏ କି ଅକ୍ଟୋବର ୧୯୯୪ରେ ପ୍ରଧାନ ବିଚାରପତି ପଦରୁ ଅବସର ନେବାକୁ ଯାଉଥିଲେ। ଅଭିନବ ତାଙ୍କ ବହିରେ କହିଛନ୍ତି ଯେ, ଯଦି ଜଷ୍ଟିସ କୁଲଦୀପଙ୍କୁ ଜଷ୍ଟିସ ଅହମ୍ମଦିଙ୍କ ଠାରୁ ବରିଷ୍ଠ ବୋଲି ଗଣା ଯାଉଥିଲା, ତେବେ ସେ ଅକ୍ଟୋବର ୧୯୯୪ରୁ ଡିସେମ୍ବର ୧୯୯୬ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ହୋଇଥାନ୍ତେ। ତାଙ୍କ ଅବସର ପରେ ଜଷ୍ଟିସ ଅହମଦିଙ୍କୁ କିଛି ମାସ ପାଇଁ ପ୍ରଧାନ ବିଚାରପତି ପଦ ମିଳିଥାନ୍ତା
ସେ ଲେଖିଛନ୍ତି ଯେ, ସୁପ୍ରିମକୋର୍ଟରେ ନିଯୁକ୍ତ ହେବାର କିଛି ମାସ ପୂର୍ବରୁ ଅଗଷ୍ଟ ୧୯୮୮ରେ ଜଷ୍ଟିସ କୁଲଦୀପ ସିଂଙ୍କୁ ତତ୍କାଳୀନ ପ୍ରଧାନ ବିଚାରପତି ପାଠକଙ୍କଠାରୁ ଏକ କଲ୍ ଆସିଥିଲା। ଜଷ୍ଟିସ ପାଠକ ତାଙ୍କୁ କହିଥିଲେ ଯେ, ଆମେ ଆପଣଙ୍କୁ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତ କରିବାକୁ ଚାହୁଁଛୁ। ଜଷ୍ଟିସ କୁଲଦୀପଙ୍କୁ ସେ ଆଶ୍ୱସନା ଦେଲେ ଯେ, ଶପଥ ଗ୍ରହଣ ସମାରୋହରେ ତାଙ୍କୁ ପ୍ରଥମେ ଶପଥ ଗ୍ରହଣ କରାଯିବ ଏବଂ ସେ ବରିଷ୍ଠ ରହିବେ। କିନ୍ତୁ ଶେଷ ମୁହୂର୍ତ୍ତରେ ଶପଥ ଗ୍ରହଣ କରିବାର କ୍ରମ ପରିବର୍ତ୍ତନ ହୋଇଥିଲା। ଜଷ୍ଟିସ କୁଲଦୀପଙ୍କ ପୂର୍ବରୁ ଜଷ୍ଟିସ ଅହମ୍ମଦ ଶପଥ ଗ୍ରହଣ କରିଥିଲେ।
ଶପଥ ଗ୍ରହଣ କ୍ରମ ପରିବର୍ତ୍ତନ କରିବାରେ ଗୁଜୁରାଟ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏମ୍ପି ଠାକୁରଙ୍କ ହାତ ଥିଲା ବୋଲି ଜଷ୍ଟିସ ପାଠକ ଏବଂ ଜଷ୍ଟିସ କୁଲଦୀପ ଦୁହେଁ ସନ୍ଦେହ କରିଥିଲେ। ଜଷ୍ଟିସ ଅହମ୍ମଦିଙ୍କ ସୁପ୍ରିମକୋର୍ଟରେ ବରିଷ୍ଠ ବିବେଚନା କରିବା ପାଇଁ ସେ ଏପରି ଯୋଜନା କରିଥିଲେ। ଏହି ଘଟଣାରେ ଜଷ୍ଟିସ କୁଲଦୀପ ଏତେ ରାଗି ଯାଇଥିଲେ ଯେ ସେ ବିଚାରପତି ପଦ ପାଇଁ ଶପଥ ଗ୍ରହଣ କରିବାକୁ ମନା କରି ଦେଇଥିଲେ। କିନ୍ତୁ ପ୍ରଧାନ ବିଚାରପତି ପାଠକ ତାଙ୍କୁ କୌଣସି ପ୍ରକାରେ ବୁଝାଇଥିଲେ।