ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କ୍ଲାସ୍‌ରୁମ୍, ଇ-ଲାଇବ୍ରେରି ଓ ଅନ୍ୟ ସୁବିଧା: ୫-ଟି ସଚିବ

ବେଲଖଣ୍ଡି ଶିବ ମନ୍ଦିର, ଜୁନାଗଡ ଲଙ୍କେଶ୍ଵରୀ ମନ୍ଦିର ଓ ଆଶାସାଗରର ଉନ୍ନତିକରଣ ପାଇଁ ଡିପିଆର ପ୍ରସ୍ତୁତି ନିର୍ଦ୍ଦେଶ

ଭୁବନେଶ୍ବର: କଳାହାଣ୍ଡି ବିଶ୍ବବିଦ୍ୟାଳୟର କ୍ଲାସରୁମ୍‌, ଇ-ଲାଇବ୍ରେରି, ପରୀକ୍ଷାଗାର ଓ ଅନ୍ୟ ସୁବିଧା ସ୍ମାର୍ଟ ହେବ। ଉତ୍‌କେଲା ଏୟାରଷ୍ଟ୍ରିପ୍‌ର ରନ୍‌ୱେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ସଂପ୍ରସାରଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଠାରୁ ଦୁଇ ଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତରେ ଯାଇ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଏହା କହିଛନ୍ତି। ଭବାନୀପାଟଣା ବସ୍‌ ଟର୍ମିନାଲକୁ ଯାଇ କାମ ର ଅଗ୍ରଗତି ସମୀକ୍ଷା କରି ନିର୍ଦ୍ଧାରିତ ସମୟ ରେ କାମ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍ କଳାହାଣ୍ଡି ମେଡିକାଲ କଲେଜ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଯାଇ ବୁଲି ଦେଖିଥିଲେ ଓ ଛାତ୍ରଛାତ୍ରୀମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ବିକାଶ ବିଷୟରେ ଆଲୋଚନା କରିଥିଲେ। କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରି ଓ ପରୀକ୍ଷାଗାରର ବିକାଶ କରାଯିବ ବୋଲି ୫-ଟି ସଚିବ ସୂଚନା ଦେଇଥିଲେ।

କଳାହାଣ୍ଡି ଟାଉନ ହଲ୍‌ରେ ୫-ଟି ସଚିବ ମିସନ ଶକ୍ତିମାନଙ୍କୁ ଭେଟିଥିଲେ। ଜୁନାଗଡ ଠାରେ ପ୍ରସିଦ୍ଧ ଲଙ୍କେଶ୍ଵରୀ ମନ୍ଦିରର ବିକାଶ ସମ୍ପର୍କରେ ମନ୍ଦିର କମିଟି ସହ ଆଲୋଚନା କରିଥିଲେ ଓ ଶୀଘ୍ର ଉନ୍ନୟନମୂଳକ କାମ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ଜୁନାଗଡର ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ କାମ ଅଗ୍ରଗତିର ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ସମୀକ୍ଷା ମଧ୍ୟ କରିଥିଲେ।

ଏହା ପୂର୍ବରୁ ଶ୍ରୀ ପାଣ୍ଡିଆନ୍ଉ ତ୍‌କେଲା, ମଦନପୁର ଓ ଭବାନୀପାଟଣାରେ ବିଭିନ୍ନ ବିକାଶ କାମ ବୁଲିଦେଖିବା ସହ ଛାତ୍ରଛାତ୍ରୀ, ମହିଳା,
କ୍ରୀଡାବିତ୍ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ପାଣ୍ଡିଆନ୍ ପ୍ରଥମେ ଉତ୍‌କେଲା ବିମାନଘାଟିର ବିକାଶ କାମ ଅନୁଧ୍ୟାନ କରିଥିଲେ। କଳାହାଣ୍ଡିକୁ ଏୟାର କନେକ୍ଟିଭିଟିର ବିକାଶ ପାଇଁ ଉତ୍‌କେଲା ବିମାନ୍‌ଘାଟି ରନ୍‌ୱେର ସମ୍ପ୍ରସାରଣ କାମ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ୫-ଟି ସଚିବ ପରାମର୍ଶ ଦେଇଥିଲେ।

ପରେ ଶ୍ରୀ ପାଣ୍ଡିଆନ୍ ବେଲଖଣ୍ଡିର ପ୍ରସିଦ୍ଧ ଉମାମହେଶ୍ବର ଧବଳେଶ୍ଵର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରର ବିକାଶ ସମ୍ପର୍କରେ ସେବାୟତ ଓ କମିଟି ସଭ୍ଯ ମାନଙ୍କ ସହ ଆଲୋଚନା କରି ମନ୍ଦିର ବିକାଶ ପାଇଁ ୧୫ଦିନ ଭିତରେ ଡିପିଆର ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତର କାମ ୫-ଟି ସଚିବ ବୁଲି ଦେଖିବା ସହ ଆମ ହସ୍ପିଟାଲ କାମ ଆଗାମୀ ଛଅ ମାସ ମଧ୍ୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ନିରାମୟ କେନ୍ଦ୍ରରେ ମାଗଣା ଔଷଧ ବଣ୍ଟନ କାମ ଅନୁଧ୍ୟାନ କରିଥିଲେ।

ତେଲ ନଦୀ ଉପରେ ନିର୍ମାଣ ହେଉଥିବା ସାନ୍ଦୁଲ ବ୍ୟାରେଜ କାମର ଅଗ୍ରଗତି ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିବା ସହ କାମ ଶୀଘ୍ର ଶେଷ କରିବାକୁ ପରାମର୍ଶ ଦେଇଥିଲେ। ୨୦୨୪ ମସିହା ମାର୍ଚ୍ଚ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ଥିବା ବିଷୟ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ଅବଗତ କରିଥିଲେ।

ଏହି ବ୍ୟାରେଜ କାମ ଶେଷ ହେଲେ ନର୍ଲା, କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ୨୯ଟି ଗାଆଁର ଚାଷ ଜମିକୁ ଅଣ୍ଡରଗ୍ରାଉଣ୍ଡ ପାଇପ୍‌ ଦ୍ଵାରା ପାଣି ମିଳିପାରିବ। ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ନର୍ଲା ଷ୍ଟାଡିୟମ୍ ଓ ମିସନ ଶକ୍ତି କାଫେ ଯାଇ ଖେଳାଳି ଓ ମିଶନ ଶକ୍ତି ମା’ମାନଙ୍କ ସହ ଆଲୋଚନା କରିଥିଲେ।

ଭବାନୀପାଟଣାରେ ୫-ଟି ସଚିବ ପୁଲିସ ହାଇସ୍କୁଲ ଯାଇ ଶିକ୍ଷକ ଓ ପିଲାମାନଙ୍କ ସହ ସ୍କୁଲ ରୂପାନ୍ତର ସୁବିଧା ବିଷୟରେ ଆଲୋଚନା କରିଥିଲେ।

ଏହି ହାଇସ୍କୁଲ ତୃତୀୟ ପର୍ଯ୍ୟାୟ ରୂପାନ୍ତର କାର୍ଯ୍ୟକ୍ରମ ରେ ସାମିଲ ହୋଉଛି। ପରେ ଶ୍ରୀ ପାଣ୍ଡିଆନ୍ ଆଶା ସାଗର ବୁଲି ଦେଖିଥିଲେ ଏବଂ ଏହାର ଉନ୍ନତି ପାଇଁ ୩୦ ଦିନ ଭିତରେ ଡିପିଆର ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.