ବଜାରରୁ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବ ରିଜର୍ଭ ବ୍ୟାଙ୍କ, ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ବଦଳାଇ ହେବ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାରଦିନ ଏକ ବଡ଼ ଘୋଷଣା କରାଯାଇଛି । ବଜାରରୁ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଏବେ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଲୋକମାନେ ଆସନ୍ତା  ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ବଦଳାଇ ହେବ । ଏହି ନୋଟ ବଦଳାଇବାକୁ ବ୍ୟାଙ୍କ ଶାଖା ଓ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ଶାଖା ଗୁଡ଼ିକରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯିବ । ଏଣୁ ଲୋକମାନେ ବ୍ୟସ୍ତ ନହୋଇ ସୁବିଧା ଅନୁସାରେ ଏହି ତାରିଖ ମଧ୍ୟରେ ୨ ବଜାର ଟଙ୍କିଆ ନୋଟ ବଦଳାଇ ୫ ଶହ କିମ୍ବା ଅନ୍ୟ ନୋଟ ନେଇପାରିବେ । ଗୋଟିଏ ଥରରେ ୨୦ ହଜାର ଟଙ୍କା ମୂଲ୍ୟର ୨ ବଜାର ଟଙ୍କିଆ ନୋଟ ବଦଳାଇ ହେବ ।

କେନ୍ଦ୍ର ସରକାର ନଭେମ୍ବର ୮, ୨୦୧୬ରେ ବିମୁଦ୍ରିକରଣ ଘୋଷଣା କରି ୫୦୦ ଟଙ୍କିଆ ଓ ୧ ହଜାର ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିଦେଇଥିଲେ ଓ ନୂଆ ୨ ବଜାର ଟଙ୍କିଆ ନୋଟ ଓ ୫୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲେ । ସେତେବେଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨ ହଜାର ଟଙ୍କିଆ ନୋଟ ବଜାରକୁ ଛଡ଼ାଯାଇଥିଲା । କିନ୍ତୁ ଏବେ ବଜାରରେ ଅନ୍ୟ ନୋଟ ଯଥେଷ୍ଟ ପରିମାଣରେ ଥିବାରୁ ଏହାର ଆବଶ୍ୟକତା ଶେଷ ହୋଇଯାଇଛି । ଏଣୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରୁ ହିଁ ଏହି ନୋଟର ମୁଦ୍ରଣ ବନ୍ଦ ହୋଇଯାଇଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି ।

ସୂଚନା ଥାଉକି, ୨୦୧୬ ନୋଟ୍‌ବନ୍ଦି ପରେ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୂଆ ନୋଟ୍ ଜାରି କରିଥିଲା। ତେବେ ୨୦୧୮-୧୯ରୁ ୨ ହଜାର ଟଙ୍କିଆ ଛାପା ବନ୍ଦ କରାଯାଇଥିଲା। ଏବେ ହଠାତ୍ ସରକାର ୨ ହଜାର ଟଙ୍କିଆ ଅଚଳ କରିବା ନିଷ୍ପତ୍ତି ଅଲୋଚନାର ବିଷୟ ହୋଇଛି। 

Leave A Reply

Your email address will not be published.