୨୦୨୪ ପାଇଁ ଜୋରଦାର ହେଲା କସରତ: ରାଜ୍ୟସଭା ସାଂସଦ ସୁଜିତ କୁମାର କହିଲେ, ବିଜେଡି ଜିତିବ ୧୨୦ରୁ ଅଧିକ ସିଟ୍; ୨୦୧୯ରେ ମିସନ୍ ୧୨୦ ଥିଲା ବିଜେପିର ସ୍ଳୋଗାନ୍

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସବୁ ଦଳ । ବିଜେଡିରେ ଚାଲିଛି ମାରାଥନ ବୈଠକ । ନବୀନ ନିବାସରେ ଟିକେଟ କସରତ ହେଉଛି । ଆଉ ଆଜି ବିଜେଡିର ରାଜ୍ୟସଭା ସାଂସଦ ସୁଜିତ୍ କୁମାର ବଡ଼ ବୟାନ ରାଜନୀତିକୁ ସରଗରମ କରିଛି । ସେ କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡି ୧୨୦+ ସିଟରେ ଜିତିବ । ତେବେ ପୂର୍ବରୁ ବିଜେପି ୨୦୧୯ରେ ୧୨୦ ନାରା ଦେଇ ନିର୍ବାଚନ ଲଢିଥିଲା । ଆଉ ଏବେ ବିଜେଡିର ଏହି ନାରା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।

୨୦୧୯ ନିର୍ବାଚନ ପୂର୍ବରୁ ୧୨୦ ନାରା ଦେଇ ନିର୍ବାଚନ ଲଢ଼ିଥିଲା ରାଜ୍ୟ ବିଜେପି । ବିଭିନ୍ନ ଦଳୀୟ ସଭା, ସମିତି, ପ୍ରଚାର ଓ ବ୍ୟାନରରେ ୧୨୦ର ସିଟର ନାରା ଦେଇ ପ୍ରଚାର କରୁଥିଲା ବିଜେପି । ଆଉ ଏହି ଗଣିତର ନାରା ଦେଇଥିଲେ ବିଜେପିର ଚାଣକ୍ୟ ଅମିତ୍ ଶାହ ।

  • ମିଶନ-୨୪, ଟାର୍ଗେଟ୍- ୧୨୦
  • ୧୨୦ ସିଟର ନାରା ଦେଲା ବିଜେଡି

ଆଗାମୀ ନିର୍ବାଚନ ପାଇଁ ଚାଲିଛି ମାରାଥନ ବୈଠକ ସାଙ୍ଗକୁ ଟିକେଟ୍ କସରତ । କାହାକୁ କେଉଁ ଜାଗାରୁ ପ୍ରାର୍ଥୀ କରାଯିବ, ସେନେଇ ଚାଲିଛି ଅଙ୍କକଷା । ଖୋଦ୍ ବିଜେଡିର ରାଜ୍ୟସଭା ସାଂସଦ ସୁଜିତ୍ କୁମାର ବଡ଼ ବୟାନ ଦେଇ ରାଜ୍ୟ ରାଜନୀତିକୁ ସରଗରମ କରିଛନ୍ତି । କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡି ୧୨୦ ପ୍ଲସ ସିଟରେ ବିଜୟ ହେବ । ପଞ୍ଚାୟତ, ପୌର ନିର୍ବାଚନ ଓ ବର୍ତମାନର ସ୍ଥିତିକୁ ଦେଖି ସୁଜିତ କୁମାର ଏହି ଆକଳନ କରିଥିବା କଥା ଟ୍ୱିଟ୍ କରିସାରିଲା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ।

ଗୋଟିଏ ପଟେ ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ଚର୍ଚ୍ଚା । ସେପଟେ ନେତାଙ୍କ ଏହି ଭବିଷ୍ୟବାଣୀ ରାଜନୀତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ବିଜେଡି ନେତାଙ୍କ ଏହି ବୟାନ ପରେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କାଉଣ୍ଟର କରିଛନ୍ତି । କହିଛନ୍ତି, ସମୟକୁ ଅପେକ୍ଷା କରାଯାଉ । ସୂଚନାଯୋଗ୍ୟ ଯେ, ୨୦୨୪ ନିର୍ବାଚନକୁ ଆହୁରି ୮ମାସ ବାକି ଥିଲା ବେଳେ ଏବେଠାରୁ ରାଜ୍ୟରେ ନିର୍ବାଚନୀ ମାହୋଲ ଆରମ୍ଭ ହୋଇଗଲାଣି । ଆଉ ତିନି ଦଳର ନିର୍ବାଚନୀ ପ୍ରସ୍ତୁତି ଦେଖିଲେ ଲାଗୁଛି, ଆଗାମୀ ନିର୍ବାଚନରେ ଦେଖିବାକୁ ମିଳିବ ଜୋରଦାର ଟକ୍କର ।

Leave A Reply

Your email address will not be published.