ବିଜେଡିରେ ‘ପାଣ୍ଡିଆନ’ ତୁଷ୍ଟୀକରଣ ପ୍ରତିଯୋଗିତା, ଏବେ ଭର୍ତ୍ତୃହରି ବି ସମର୍ଥନରେ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଚିଠି ଓ ବିରୋଧୀଙ୍କ କଡ଼ା ବିରୋଧ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଜିଲ୍ଲା ଗସ୍ତ ଜାରି ରଖିଥିବାବେଳେ ଏବେ ତାଙ୍କ ସମର୍ଥନରେ ଜଣକ ପରେ ଜଣେ ବିଜେଡି ନେତା ଆଗକୁ ଆସିଛନ୍ତି । ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ କ୍ରମାଗତ ଶାଣିତ ସମାଲୋଚନା ମଧ୍ୟରେ ବିଜେଡିର ବରିଷ୍ଠ ନେତାମାନେ ଏବେ ଆଗକୁ ଆସି ପାଣ୍ଡିଆନ ତୁଷ୍ଟୀକରଣ ନୀତି ଆପଣାଇଛନ୍ତି । ଅତନୁ ସବ୍ୟସାଚୀ ନାୟକ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ଉମାକାନ୍ତ ସାମନ୍ତରାୟଙ୍କ ପରେ ଭର୍ତ୍ତୃହରି ମହତାବ ମଧ୍ୟ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ସମର୍ଥନ କରିବା ଭଳି ବୟାନ ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେଡି ଓ ରାଜ୍ୟ ପ୍ରଶାସନରେ ଶ୍ରୀ ପାଣ୍ଡିଆନ ‘ ଦ୍ୱିତୀୟ କ୍ଷମତାକେନ୍ଦ୍ର’ ବୋଲି ହେଉଥିବା ଚର୍ଚ୍ଚା ଉପରେ ଏବେ ବିଜେଡିର ଏହି ବରିଷ୍ଠ ନେତାମାନେ ମୋହର ଲଗାଇଛନ୍ତି । ଆଉ ପାଣ୍ଡିଆନଙ୍କ ବିନା ଅନୁମୋଦନରେ ବିଜେଡିରେ ତିଷ୍ଠିବା ସମ୍ଭବପର ନୁହେଁ ବୋଲି ମଧ୍ୟ ସନ୍ଦେଶ ଦେବାକୁ ପଛାଇ ନାହାନ୍ତି ।

ସୂଚନା ଅନୁସାରେ ବିଜେଡିର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପାଣ୍ଡିଆନଙ୍କ ଗସ୍ତ ଭଳି ପ୍ରସଙ୍ଗକୁ ‘ଅବ୍ୟପାରରେ ବ୍ୟାପାର’ ବୋଲି କହିବା ସହ ଏ ବିଷୟରେ ଅଧିକ ଚର୍ଚ୍ଚା କରି ସମୟ ଅପଚୟ କରିବା ଠିକ୍ ନୁହେଁ ବୋଲି ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଛନ୍ତି । ଶ୍ରୀ ମହତାବ କହିଛନ୍ତି ଯେ ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ‘ପୁଲ୍ ଆଣ୍ଡ ପୁସିଂଙ୍ଗ୍‌’ କାର୍ଯ୍ୟକ୍ରମ ସ୍ୱାଭାବିକ କଥା । ଆମେରିକାରେ ମଧ୍ୟ କାର୍ଯ୍ୟପାଳିକା(ଏକଜ୍ୟୁକିଟିଭ) ବେଶୀ ପାୱାରଫୁଲ । ସେଠାରେ ମଧ୍ୟ କଂଗ୍ରେସର ସାଂସଦମାନେ ଏନେଇ ଆପତ୍ତି କରୁଛନ୍ତି । ବିଭିନ୍ନ ସମୟରେ ନ୍ୟାୟପାଳିକା, କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକା ଭିତରୁ କେହି ନା କେହି ଅଧିକ ପାୱାରଫୁଲ୍ ହୋଇଥାଏ । ଏହା ସ୍ୱାଭାବିକ କଥା । ଚାରିଆଡ଼େ କାର୍ଯ୍ୟପାଳିକା ଏବେ ସବୁଠୁ ବେଶୀ ପାୱାରଫୁଲ୍ ହୋଇଛନ୍ତି । ତାମିଲନାଡୁରେ ହେଉନି ନା ଅନ୍ୟ କେଉଁଠି ହେଉନି । ତେଣୁ ୟାକୁ ନେଇ ବେଶୀ ଚର୍ଚ୍ଚା କରିବା ଗଣମାଧ୍ୟମର ଖବରର ଶୀର୍ଷକ ହୋଇପାରେ, କିନ୍ତୁ ଏହା ଏକ ଅବ୍ୟାପାରରେ ବ୍ୟାପାର ବୋଲି ଶ୍ରୀ ମହତାବ କହିଛନ୍ତି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘଦିନ ଧରି ଦଳରେ ଅଣଦେଖା ହୋଇ ରହିଥିବା ଶ୍ରୀ ମହତାବ ଆଜି ଗଣମାଧ୍ୟମ ଆଗରେ ପାଣ୍ଡିଆନଙ୍କୁ ପରୋକ୍ଷରେ ବି ବିରୋଧ କଲାଭଳି କୌଣସି ଜବାବ ରଖିବାକୁ କୁଣ୍ଠାବୋଧ କରିଥିଲେ । ସେହିପରି ଆଜି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ମଧ୍ୟ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସପକ୍ଷରେ ମତ ରଖିଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଥିବା ପାଣ୍ଡିଆନଙ୍କୁ ରାଜକୀୟ ସମ୍ବର୍ଦ୍ଧନା, ସାଧାରଣ ସଭାକୁ ସେ ସମ୍ବୋଧିତ କରିବା ଓ ବିଭିନ୍ନ ପ୍ରକଳ୍ପ ଘୋଷଣାକୁ ଦୁଇ ବିରୋଧ ଦଳ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରୁଛନ୍ତି । ତେବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ ଆଧାରରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପାଣ୍ଡିଆନଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିବା ପରେ ବିଜେଡିର ବରିଷ୍ଠ ନେତାମାନେ ଆଗକୁ ଆସିଛନ୍ତି । ମନ୍ତ୍ରୀ ତଥା ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ପ୍ରଥମେ ଆଗକୁ ଆସି ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ସମର୍ଥନ କରିବା ସହ ପ୍ରଶାସନ ଲୋକଙ୍କ ପାଖକୁ ଯାଉଛି ଓ ଲୋକେ ସ୍ୱାଗତ କରୁଛନ୍ତି ବୋଲି କହିଥିଲେ । ତାଙ୍କ ପରେ ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀପ୍ରସାଦ ମିଶ୍ର ଏବଂ ଆଜି ଉମା ସାମନ୍ତରାୟ ଓ ଭର୍ତ୍ତୃହରି ମହତାବଙ୍କ ବୟାନ ପାଣ୍ଡିଆନଙ୍କୁ ସୁହାଇବା ଭଳି ହୋଇଛି । ବିରୋଧୀଙ୍କ ଆକ୍ରମଣ ଯେତିକି ବଢ଼ୁଛି, ବିଜେଡି ନିଜର ସେହି ପରିମାଣରେ ବରିଷ୍ଠ ନେତାମାନଙ୍କୁ ଆଗକୁ ଆଣି ପାଣ୍ଡିଆନଙ୍କ ଗସ୍ତକୁ ଯଥାର୍ଥ ବୋଲି ଦର୍ଶାଇବାକୁ ପ୍ରୟାସ କରୁଛି । ଏବେ ପାଣ୍ଡିଆନଙ୍କ ସମର୍ଥନରେ ଓ ତାଙ୍କୁ ତୁଷ୍ଟୀକରଣ ପାଇଁ ଗଣମାଧ୍ୟମକୁ ଆସି ବୟାନ ଦେବାକୁ ବିଜେଡି ନେତାମାନଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଥିବା ଭଳି ଜଣାପଡ଼ିଛି ।

ଅନ୍ୟପକ୍ଷରେ ବିଜେପି ଆଜି ପୁଣିଥରେ ପାଣ୍ଡିଆନଙ୍କୁ ଶାଣିତ ସମାଲୋଚନା କରିଛି । ମୁଖ୍ୟମନ୍ତ୍ରୀଙ୍କ ସଚିବ ଯାଇ ବିଭିନ୍ନ ଜାଗାରେ ସଭାସମିତି କରିବା ଓ ଘୋଷଣା ଆଦି କରିବା ଏହା ଦୁର୍ଭାଗ୍ୟଜନକ କଥା । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହାର ସ୍ଥାନ ନାହିଁ କି ବିଧିରେ ବ୍ୟବସ୍ଥା ନାହିଁ । ଯଦି ବିଜେଡି ନେତାମାନଙ୍କର ସାମାନ୍ୟ ସ୍ୱାଭିମାନ ଥାନ୍ତା ତା’ହେଲେ ଏକଥାକୁ ସମର୍ଥନ କରନ୍ତେ ନାହିଁ କି ସହୁନଥାନ୍ତୋ । ଫାଭଇ-ଟି ଗସ୍ତକୁ ବିରୋଧ କରାଯାଉନି, ଯେଉଁ ଢଙ୍ଗରେ କାର୍ଯ୍ୟକ୍ରମ ହେଉଛି ତାହା ଗଣତନ୍ତ୍ରକୁ ହତ୍ୟା କରିବା ଭଳି । ଓଡ଼ିଶା ସରକାର ଏବେ ମୁଣ୍ଡବିହୀନ ହୋଇଛି । ସରକାର ମୁଣ୍ଡବିହୀନ ହେଲେ ଏଭଳି ବିଲକ୍ଷଣ ଦେଖିବାକୁ ମିଳେ ବୋଲି ବିଜେପି କହିଛି ।

ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଅନୁରୂପ ଭାବେ ଶାଣିତ ଆକ୍ରମଣ କରି ଫାଇଭ-ଟି ସଚିବ ଚାକିରି ଛାଡ଼ି ରାଜନୀତିରେ ସାମିଲ ହୋଇ ଏସବୁ କରନ୍ତୁ । କେହି ମନା କରିବେ ନାହିଁ । ତାଙ୍କର ଗସ୍ତକୁ କଂଗ୍ରେସ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସବୁଠୁ ବିରୋଧ କରିବ । ବିଜେଡି ନେତା,ମନ୍ତ୍ରୀ ଓ ବିଧାୟକମାନେ ତାଙ୍କର ଗସ୍ତକୁ ସମର୍ଥନ କରି ପରୋକ୍ଷରେ ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି । ଯାହା ନିନ୍ଦନୀୟ ଓ ସମ୍ବିଧାନ ବିରୋଧୀ । ଓଡ଼ିଶାବାସୀ ଏହାକୁ କେବେ ବରଦାସ୍ତ କରିବେ ନାହିଁ ।

Leave A Reply

Your email address will not be published.