mobile header

କମିସନରେଟ୍‌ ପୁଲିସର ଆତ୍ମହତ୍ୟା ତଦନ୍ତ ଏମିତି: ନା ପଦାକୁ ଆସିଲେ ଅଭିଯୁକ୍ତ ନା ଖୋଲିଲା ରହସ୍ୟ

ଭଣ୍ଡାଇଲେ ତଦନ୍ତକାରୀ ଅଧିକାରୀ, କାହା ଚାପରେ ଚେପା…

ଭୁବନେଶ୍ବର: ରାଜନେତାଙ୍କ ଠାରୁ ଆରମ୍ଭ କରି ଆଗଧାଡ଼ିର କଳାକାର, ଛାତ୍ରୀ, ଯୁବ ବ୍ୟବସାୟୀ, ମଡେଲ୍‌, ଇଂଜିନିୟର, ଡିଜେ ପର୍ଯ୍ୟନ୍ତ, କିଏ ପ୍ରେମ ପାଇଁ ତ କିଏ ଆର୍ଥିକ ସମସ୍ୟା‌ ନେଇ, ପୁଣି କିଏ ଅପବାଦ ଭୟରେ, ପାରିବାରିକ କଳହ ତ କିଏ ମାନସିକ ଚାପ‌ରେ ଆତ୍ମହତ୍ୟା କଲେ। ଆତ୍ମହତ୍ୟା ପଛର କାରଣକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା‌ ବି ହେଲା। କେତେକ ହାଇ ପ୍ରୋଫାଇଲ୍‌ ଆତ୍ମହତ୍ୟା ପଛରେ ରାଜନୈତିକ ଷଡ଼ଯନ୍ତ୍ର ଥିବା କୁହାଗଲା। ଯାହାକୁ ‌ନେଇ ବିଧାନସଭା ଘେରାଉଠାରୁ ରାସ୍ତାରୋକ, ହରତାଳ କରି ବିରୋଧୀ ଘେରିଲେ। ଅପରାଧୀଙ୍କ ମୁଖା ଖୋଲିବା ପାଇଁ ସିବିଆଇ, କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଦାବି କରାଗଲା। ହାତଗଣତି ମାମଲାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ହାତକୁ ଯାଇଥିବା‌ ବେଳେ ଅଧିକାଂଶ ମାମଲା କମିସନରେଟ୍‌ ପୁଲିସ ହାତରେ ରହିଲା। ଆଉ ତଦନ୍ତ ନେଇ ଭୁଆଁ ବୁଲାଇଲେ। କେତେବେଳେ କୁହାଗଲା କେତେକ ନମୁନା ରାଜ୍ୟ ଫରେନ୍‌ସିକ୍‌କୁ ପଠାଯାଇଛି। ହେଲେ କିଛି ନମୁନା ତଥ୍ୟ ରାଜ୍ୟ ଫରେନ୍‌ସିକ୍‌ ପାରିଲା ନାହିଁ। କେନ୍ଦ୍ରୀୟ ଫରେନ୍‌ସିକ୍‌ ରିପୋର୍ଟ ପାଇଁ ବାହାରକୁ ମୋବାଇଲ୍‌ ପଠାଯାଇଛି। ସେଠିବି ହେଲାନି ଯେ, କିଛି ଜବତ ଜିନିଷ ବିଦେଶକୁ ପଠାଗଲା। ରିପୋର୍ଟ କ’ଣ ଆସିଲା? ଆତ୍ମହତ୍ୟା କାହିଁକି କରିଥିଲେ? ଏହାପଛରେ କ’ଣ କାରଣ? ଉଦ୍‌ବେଗର ବିଷୟ ଯେ କେଉଁ ମାମଲାକୁ ବର୍ଷ ବିତିଗଲାଣି ତ ଆଉ କେଇ ଦିନ ପରେ କିଛି ମାମଲାକୁ ବର୍ଷେ ପୁରିବ। ହେଲେ କୌଣସି ଗୋଟିଏ ଘଟଣା ଉପରୁ ପର୍ଦ୍ଦା ହଟିପାରିଲା ନାହିଁ। ‌କେବଳ ପୁଲିସ ଫାଇଲ୍‌ରେ ମାମଲା ଚାପିହୋଇ ରହିଗଲା। ପ୍ରଶ୍ନ ଉଠୁଛି କାହା ଚାପରେ ପୁଲିସ ଚାପି ହୋଇଗଲା? ଅପରାଧୀଙ୍କ ମୁଖା ଖୋଲିବାକୁ ପଛଘୁଞ୍ଚା ଦେଲା। କେଉଁମାନେ ସେହି ଅଦୃଶ୍ୟ ଚାପ, ଯାହାକୁ ନେଇ ମାଳମାଳ ପ୍ରଶ୍ନବାଚୀ ଉଙ୍କିମାରୁଛି।

ରାଜନେତା ଧର୍ମେନ୍ଦ୍ର
୨୦୨୨ ସେପ୍ଟେମ୍ବର ୨୪: ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣାକୁ ଇତି ମଧ୍ୟରେ ବର୍ଷେ ବିତିଗଲାଣି। ଉଦ୍‌ବେଗର ବିଷୟ ଏଳଭି ଏକ ସମ୍ବେଦନଶୀଳ ଘଟଣାରେ ନା ମୃତ୍ୟୁ ପଛର କାରଣ ପଦାକୁ ଆସିପାରିଲା ନା ଏଥିପାଇଁ କିଏ କିଏ ଦାୟୀ, ସେମାନଙ୍କ ପାଖରେ ପୁଲିସ୍‌ ପହଞ୍ଚି ପାରିଲା। ଯଦିଓ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ତାଙ୍କ ମୃତ୍ୟୁ ପାଇଁ ସେ ୫ ଜଣଙ୍କୁ ଦାୟୀ କରିଥିଲେ। ଏଥିରେ ସେ ତତ୍କାଳୀନ ମନ୍ତ୍ରୀ ସୀମର ଦାଶଙ୍କଠାରୁ ଆରମ୍ଭ କରି ତାଙ୍କ ପତ୍ନୀ, ଜଣେ ଯୁବତୀ, ଶ୍ବଶୁର ଆଦିଙ୍କ ସମ୍ପର୍କରେ କହିଥିଲେ। ଏପରିକି ଧର୍ମେନ୍ଦ୍ର ସେଦିନ ନିମାପଡ଼ା ଅଞ୍ଚଳର ଜଣେ ସାମ୍ବାଦିକଙ୍କ ସହ ଫୋନ୍‌ରେ କଥା ହୋଇ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଦେଇଥିଲେ। ସାମ୍ବାଦିକଜଣକ ମଧ୍ୟ ତାଙ୍କ ସହ ହୋଇଥିବା କଥାବାର୍ତ୍ତାର ଅଡିଓ ରେକର୍ଡିଂର କିଛି ଅଂଶ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥି‌ଲେ। ଯାହାକୁ ‌ନେଇ ସାରା ରାଜ୍ୟରେ ଉତ୍ତେଜନା ଦେଖାଦେଇଥିଲା। ବିଭିନ୍ନ ରାଜନୈତିକ ଦଳ ବି ‌ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚାପ ବଢ଼ିବାରୁ ପୁଲିସ ବିନ୍ଦାସ ଚିନୁଙ୍କଠାରୁ ଆରମ୍ଭ କରି ଧର୍ମେନ୍ଦ୍ରଙ୍କ ସଂପର୍କୀୟ, ପାଖ‌ ଲୋକ, ପତ୍ନୀ ଓ ଶ୍ବଶୁରଙ୍କୁ ମଧ୍ୟ ପୁଲିସ ଜେରା କରିଥିଲା। ବ‌ର୍ଷେ ବିତିଯାଇଥିଲେ ମଧ୍ୟ ଘଟଣା ଏବେ ବି ରହସ୍ୟ ହୋଇ ରହିଛି।

ଛାତ୍ରୀ ରୁଚିକା
୨୦୨୨ ଜୁଲାଇ ୨: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ସନ୍ଦେହଜନକ ଆତ୍ମହତ୍ୟାକୁ ନେଇ ରାଜ୍ୟ ଅଶାନ୍ତ ହୋଇପଡ଼ିଥିଲା। ଅପରାଧୀଙ୍କୁ ବାନ୍ଧିବା ପାଇଁ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସବୁଠି ବିକ୍ଷୋଭ ପ୍ରଦର୍ଶନ ହେଲା। ଚାପ ପଡ଼ିବାରୁ ପୁଲିସ ଘଟଣାକୁ ଗୁରୁତ୍ବର ସହ ‌ନେଇ ଶତାଧିକ ଛାତ୍ରଛାତ୍ରୀଙ୍କୁ ଜେରା କଲା। ସୁଇସାଇଡ୍‌ ନୋଟ୍‌ ଓ ତାଙ୍କ ମୋବାଇଲ୍‌ ଯାଞ୍ଚ ପାଇଁ ରାଜ୍ୟ ଫରେନ୍‌ସିକ୍‌ ଲ୍ୟାବ୍‌ ଗଲା। ଏମିତିକି ମୋବାଇଲ୍‌କୁ ସିଙ୍ଗାପୁର ପଠାଗଲା। ଏତେସବୁ ପରେ ମଧ୍ୟ ରୁଚିକା କାହିଁକି ଆତ୍ମହତ୍ୟା କଲେ? ତାଙ୍କ ଆତ୍ମହତ୍ୟା ପଛରେ ୩ ସିନିଅର କିଏ? କେଉଁଆଡ଼େ ଅନ୍ତର୍ଧାନ ହୋଇଗଲେ? ଆତ୍ମହତ୍ୟା ପଛର ପ୍ରକୃତ କାରଣ ପଦାକୁ ଆସିଲା ନାହିଁ।

ଅଭିନେତା ରାଇମୋହନ
୨୦୨୨ ଜୁନ୍‌ ୨୪: ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ାଙ୍କ ମୃତ୍ୟୁ ଏବେ ବି ରହସ୍ୟ ହୋଇ ରହିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ବି ପୁଲିସ ମୃତଦେହକୁ ସନ୍ଦେହଜନକ ସ୍ଥିତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। ପରିବାରର ଲୋକ ନଥିବା ବେଳେ ଘର କବାଟ ଖୋଲା ରହିବା, ରାଇମୋହନଙ୍କ ହ୍ବାଟ୍ସଆପ୍‌ରୁ ପରିବାରବର୍ଗଙ୍କୁ ମେସେଜ୍‌ ଯିବା ଭଳି ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ତାଙ୍କ ସମର୍ଥକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଏହାକୁ କେହି ସହଜରେ ଗ୍ରହଣ କରିପାରିନଥିଲେ। କାହିଁକି ସେ ଏଭଳି ଚରମ ନିଷ୍ପତ୍ତି ନେଲେ? ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ କଥା ଚର୍ଚ୍ଚା ହୋଇଥିଲା। ବ୍ୟବଚ୍ଛେଦ ରିପୋର୍ଟ, ସିସିଟିଭି ଫୁଟେଜ୍‌ ଏବଂ ସିଡିଆର୍‌ ରିପୋର୍ଟ ପୁଲିସ ହାତରେ ଲାଗିଥିଲେ ମଧ୍ୟ ସେ କାହିଁକି ଆତ୍ମହତ୍ୟା କଲେ? ଆତ୍ମହତ୍ୟା ପଛରେ କିଏ? ତାହା ଲୋକଲୋଚନକୁ ଆସିପାରିଲା ନାହିଁ। ଲୋକଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ଏବେ ବି ରହିଛି।

ଯୁବ ମଡେଲ୍‌ ସୌମ୍ୟ
୨୦୨୨ ଜାନୁଆରୀ ୩୦: ଇନ୍‌ଫୋସିଟି ଥାନା ନନ୍ଦନବିହାରର ଯୁବ ବ୍ୟବସାୟୀ ତଥା ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ପଛରେ ପ୍ରେମିକା ଓ ତାଙ୍କ ମାଆ ସମ୍ପୃକ୍ତି କଥା ପଦାକୁ ଆସିଥିଲା। ଉଭୟ ପରସ୍ପରକୁ ଭଲପାଉଥିଲେ। ବିବାହ ପାଇଁ ଉଭୟ ପରିବାର ମଧ୍ୟ କଥାବାର୍ତ୍ତା ହୋଇଥିଲେ। ହେଲେ ଯୁବତୀ ଜଣଙ୍କ ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ସହ ମିଶି ବୁଲିବାକୁ ସୌମ୍ୟ ବାରଣ କରିଥିଲେ। ଯାହାକୁ ନେଇ ଆରମ୍ଭ ‌ହୋଇଥିଲା ତୁ ତୁ ମେ ମେ। ଆଉ ଏହା ପରେ ଯୁବତୀ ସୌମ୍ୟଙ୍କୁ ଅକଥନୀୟ ମାନସିକ ନିର୍ଯାତନା ଦେଇଚାଲିଥିଲେ। ମାନସିକ ଚାପ ସାଙ୍ଗକୁ ଯୁବତୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଶେଷରେ ସୌମ୍ୟ ଆତ୍ମହତ୍ୟା କଲେ। ଆତ୍ମହତ୍ୟା ପୂର୍ବରୁ ଏକ ହାତଲେଖା ଚିଠି ଛାଡିଯାଇଥିଲେ। ଯେଉଁଥିରେ ତାଙ୍କ ଆତ୍ମହତ୍ୟା ପାଇଁ ପ୍ରେମିକା ଦାୟୀ ବୋଲି ଲେଖିଥିଲେ। ଏମିତିକ କେତେକ ଭିଡିଓ, କଲ୍‌ ରେକର୍ଡିଂ ଏବଂ ହ୍ବାଟସ୍‌ଆପ୍‌ ମେସେଜ୍‌ରେ ଆତ୍ମହତ୍ୟା ପଛର କରୁଣକାହାଣୀ ଜଳଜଳ କରି ବାରି ହେଉଥିଲା। ନ୍ୟାୟ ଦାବିରେ ସୌମ୍ୟଙ୍କ ଭଉଣୀ, ମା’ ଡିସିପିଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ। ପୁଲିସ ଆଇପିସି ୩୦୬ରେ ମାମଲା ରୁଜୁ କଲା। ଆଶ୍ଚର୍ଯ୍ୟର କଥା ଯେ ମାମଲାରେ ପୁଲିସ କାହାରିକୁ ଗିରଫ କଲା ନାହିଁ।

ଡିଜେ ଆଜେକ୍ସ
ମାର୍ଚ୍ଚ ୧୮: ଡିଜେ ‘ଆଜେକ୍ସ’ ଓରଫ୍‌ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟାର ୩ମାସ ବିତିଯାଇଥିଲେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ମାଳମାଳ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୃତ୍ୟୁ ପଛରେ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପ୍ରେମିକଙ୍କ ହାତ ଥିବା ଆଜେକ୍ସଙ୍କ ପରିବାର ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଦୁହେଁ ମିଶି ତାଙ୍କୁ ବ୍ଲାକମେଲ୍‌ କରୁଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ ସମୟରେ ଆଜେକ୍ସଙ୍କ ମୋବାଇଲ୍‌ର ଭିଡିଓ, ଅଡିଓରୁ ଅନେକ ତଥ୍ୟ ହାତେଇଥିଲା। ମୃତ୍ୟୁ ପୂର୍ବରୁ ସେ ମୋବାଇଲ୍‌ରେ କାହା କାହା ସହ କଥା ହୋଇଥିଲେ, ଚାଟ୍‌ କରିଥିଲେ। ଏମିତିକି ଇନ୍‌ଷ୍ଟା ପୋଷ୍ଟ ଏବଂ ହ୍ବାଟସ୍‌ଆପ୍‌ରୁ ବି ତଥ୍ୟ ମିଳିଥିଲା। ଦଫା ୩୦୬ ଓ ୩୪ରେ ମାମଲା ରୁଜୁ କରିଥିଲା। ହେଲେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଗଲା ନାହିଁ।

Leave A Reply

Your email address will not be published.