୫-ଟି ସଚିବ ଭି କେ ପାଣ୍ଡିଆନ୍‌ଙ୍କ ଗସ୍ତକୁ ବିଜେପିର ବିରୋଧ: କଣ୍ଟାମାଳରେ ଶୁଭିଲା ‘ପାଣ୍ଡିଆନ ଗୋ ବ୍ୟାକ୍‌’ ନାରା

କଣ୍ଟାମାଳ: ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଆମ୍ବଗାଁରେ ବୁଧବାର ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିଛି ବିଜେପି। ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି କଣ୍ଟାମାଳ ବିଜେପି କର୍ମୀମାନେ। କହ୍ନେଇ ଚରଣ ଡାଙ୍ଗଙ୍କ ନେତୃତ୍ୱରେ ଇଞ୍ଜିନିୟର୍‌ ରାକେଶ ତ୍ରିପାଠୀ ଓ ଅନ୍ୟମାନେ ମିଶି ଏହି ବିରୋଧ ପ୍ରଦର୍ଶନ କରିଛନ୍ତି।

ଆମ୍ବଗାଁ ପଡିଆରେ ସଚିବଙ୍କ ସଭା ଏବଂ ୫-ଟି ସ୍କୁଲ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି । ଏଣୁ ବିଜେପିର ନେତା ଓ କର୍ମୀ ପାଣ୍ଡିଆନଙ୍କ ଏହି ଗସ୍ତକୁ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି। ସଭାସ୍ଥଳକୁ ଯିବାପାଇଁ ଥିବା ମୁଖ୍ୟ ଗେଟ ସମ୍ମୁଖରେ ବିଜେପିର ନେତା ଓ କର୍ମୀମାନେ କଳା ପତାକା ପ୍ରଦର୍ଶନ କରିବା ସହ ‘ପାଣ୍ଡିଆନ ଗୋ ବ୍ୟାକ୍‌’ ନାରା ଦେଇଛନ୍ତି। ଏମିତକି କର୍ମୀମାନେ ସଭାସ୍ଥଳକୁ ଯିବା ପାଇଁ ଧସେଇ ପଶୁଥିବା ବେଳେ ପୁଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ବିଭିନ୍ନ ଅଞ୍ଚଳକୁ ୫-ଟି ସଚିବ ଗସ୍ତ କରିଥିବା ବେଳେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ ଆମ ଆଦମୀ ପାର୍ଟି ପକ୍ଷରୁ ୫-ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼ କରାଯାଇଥିଲା। ଏହା ସରକାରୀ ଗସ୍ତ ନୁହେଁ, ବରଂ ଏହା ବିଜେଡି ଦଳର ଗସ୍ତ ବୋଲି ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଥିଲା। ପୂର୍ବରୁ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ବିଜେପି ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି।

ଗତ ୨୯ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଜଗତସିଂହପୁର ଗସ୍ତ କାର୍ଯ୍ୟକ୍ରମକୁ ପାରାଦୀପ ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ବିଜେପି ନେତା ସମ୍ପଦ ସ୍ୱାଇଁଙ୍କ ନେତୃତ୍ବରେ ବିଜେପି ମହିଳା ମୋର୍ଚ୍ଚା ଓ ଯୁବମୋର୍ଚ୍ଚା ପକ୍ଷରୁ ରାହାମା, କୁଜଙ୍ଗ ଏବଂ ପାରାଦୀପର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୁଜଙ୍ଗରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମହିଳା ସରକାରଙ୍କ ମହିଳା ବିରୋଧୀ ମନୋଭାବ ବିରୋଧରେ କଳା ଶାଢ଼ି ପିନ୍ଧି ପ୍ରତିବାଦ କରିଥିଲେ। ୫-ଟି ସଚିବ ହେଲିକପ୍ଟର୍‌ରେ ପାରାଦୀପ ଆସିଥିବାରୁ ଆକାଶରେ କଳା ବେଲୁନ୍‌ ଉଡ଼ାଇ ବିରୋଧ କରିଥିଲେ। କର୍ମୀମାନେ ‘ପାଣ୍ଡିଆନ୍ ଗୋ ବ୍ୟାକ୍’ ସ୍ଲୋଗାନ୍ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.