କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା: ଓଡ଼ିଶାରୁ କାହାକୁ ମିଳିବ ମନ୍ତ୍ରୀ ପଦ?

ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ସରକାରଙ୍କ ଦ୍ବିତୀୟ ପାଳିର ଦ୍ବିତୀୟ କ୍ୟାବିନେଟ ସଂପ୍ରସାରଣ ଚଳିତ ମାସ ୯ରୁ ୧୪ ତାରିଖ ମଧ୍ୟରେ ହେବା ଚର୍ଚ୍ଚା ଜୋର ଧରିଛି। ଚଳିତ ବର୍ଷ ଶେଷରେ ହେବାକୁ ଥିବା ୫ଟି ବିଧାନସଭା ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବଡ଼ ଧରଣର କ୍ୟାବିନେଟ ଅଦଳବଦଳ କରାଯିବ ବୋଲି ଜଣାପଡିଛି। ଜାତିଗତ, ବୃତ୍ତିଗତ ଓ ସାମାଜିକ ସମୀକରଣକୁ ମନ୍ତ୍ରିମଣ୍ଡଳ ଅଦଳବଦଳରେ ପ୍ରଧାନ୍ୟ ଦିଆଯିବା ସମ୍ଭାବନା ରହିଛି।

ଏଭଳି ସ୍ଥିତିରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳରେ ଓଡ଼ିଶାର କାହାକୁ ସାମିଲ କରାଯିବ, କାହାକୁ ବିଦା କରାଯିବ ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ମୋଦୀ ସରକାରଙ୍କ ପ୍ରଥମ ପାଳିରେ (୨୦୧୪-୨୦୧୯) ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ କ୍ୟାବିନେଟ ମନ୍ତ୍ରୀରୂପେ ସାମିଲ ହୋଇଥିଲେ। ଦ୍ବିତୀୟ ପାଳିରେ ଜୁଏଲ ଓରାମଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରି ନଥିଲା। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ତିନିଜଣ-ଧର୍ମେନ୍ଦ୍ର ପ୍ରଧାନ,ଅଶ୍ବିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ଓ ବିଶ୍ବେଶ୍ବର ଟୁଡୁ ରାଷ୍ଟ୍ରମନ୍ତ୍ରୀ ରୂପେ ପ୍ରତିନିଧିତ୍ବ କରୁଛନ୍ତି। ୨୦୧୯ର ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୮ଟି ଲୋକସଭା ଆସନରେ ବିଜୟ ହାସଲ କରିଥିଲା। ଏଥିରୁ ପଶ୍ଚିମ ଓଡ଼ିଶାର ସମସ୍ତ ୫ଟି ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ ଓ ସୁନ୍ଦରଗଡ଼ ଆସନ ରହିଛି। ପଶ୍ଚିମ ଓଡ଼ିଶା ବିଜେପିର ଗଡ଼ ରୂପେ ପରିଚିତ ହୋଇଥିଲା। ଏହା ସତ୍ତ୍ବେ ମୋଦୀ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାର କୌଣସି ସାଂସଦଙ୍କୁ ସାମିଲ କରାଯାଇ ନଥିଲା।

ଦ୍ବିତୀୟ ପାଳିରେ ୨୦୧୯ରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ହେଲେ ଦ୍ବିତୀୟ ପାଳିର ପ୍ରଥମ ସଂପ୍ରସାରଣରେ ପ୍ରତାପ ଷଡ଼ଙ୍ଗୀଙ୍କୁ ହଟାଇ ଦିଆଯାଇଥିଲା। ସେତେବେଳେ ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ ଏବଂ ବରିଷ୍ଠ ନେତା ସୁରେଶ ପୁଜାରୀଙ୍କୁ ମନ୍ତ୍ରୀପଦ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ପୂର୍ବତନ ଆଇଏଏସ୍‌ ଅଧିକାରୀ ଅଶ୍ବିନୀ ବୈଷ୍ଣବ ଏବଂ ମୟୂରଭଂଜ ସାଂସଦ ବିଶ୍ବେଶ୍ବର ଟୁଡୁଙ୍କୁ ମନ୍ତ୍ରୀ କରାଯାଇଥିଲା। ଓଡ଼ିଶାକୁ ଗୁରତ୍ବପୁର୍ଣ୍ଣ ରେଳ ବିଭାଗ ମିଳିଥିଲା। ହେଲେ ପଶ୍ଚିମ ଓଡ଼ିଶାକୁ ମୋଦୀ ମନ୍ତ୍ରିମଣ୍ଡଳରେ ଅଣଦେଖା କରାଯାଇଥିଲା ବୋଲି ବିଭିନ୍ନ ମହଲରେ ଆଲୋଚନା ହୋଇଥିଲା। ଏଥର ମୋଦୀ ମନ୍ତ୍ରିମଣ୍ଡଳର ଦ୍ବିତୀୟ ପାଳିର ଅନ୍ତିମ ଅଦଳବଦଳ ପ୍ରକ୍ରିୟା ହେବାକୁ ଯାଉଛି। ଏଥିରେ ପଶ୍ଚିମ ଓଡ଼ିଶାକୁ ବିଶେ‌ଷ ଗୁରୁତ୍ବ ମିଳିବ ବୋଲି ଅନୁମାନ କରାଯାଉଛି। ବିଜେପି ଓଡ଼ିଶାକୁ ଫୋକସ ରାଜ୍ୟ ରୂପେ ବିବେଚନା କରୁଥିବାରୁ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାର ଜଣେ ସାଂସଦଙ୍କୁ ସାମିଲ କରପାରେ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି। ମୋଦୀ ସରକାରଙ୍କ ଦ୍ବିତୀୟ ପାଳିରେ ଓଡ଼ିଶାରୁ ନିର୍ବାଚିତ ୮ ବିଜେପି ସାଂସଦଙ୍କ ମଧ୍ୟରୁ ଦୁଇଜଣ ମହିଳା ସାଂସଦ। ସେମାନେ ହେଲେ ସଙ୍ଗୀତା କୁମାରୀ ସିଂହଦେଓ ଓ ଅପରାଜିତା ଷଡ଼ଙ୍ଗୀ। ମନ୍ତ୍ରିମଣ୍ଡଳରେ ମହିଳା ସାଂସଦଙ୍କୁ ସାମିଲ କରିବା ପ୍ରକ୍ରିୟାରେ ଓଡ଼ିଶାର ଜଣେ ମହିଳା ସାଂସଦଙ୍କ ନାମକୁ ମଧ୍ୟ ବିଚାରକୁ ନିଆଯାଇପାରେ।

Leave A Reply

Your email address will not be published.