ଶିମିଳିପାଳରେ ବନ୍ଦ ହେଉନି ଶିକାର! ଧାରଣାରେ ବସିବେ ଫିଲ୍ମଷ୍ଟାର, ବୁଦ୍ଧିଜୀବୀ

ଶିମିଳିପାଳ ଅଭୟାରଣ୍ୟର ଗୌରବ ବହନ କରୁଥିବା ବାଘ, କଳାବାଘ, ଭାଲୁ, ହାତୀ, ହରିଣ ପ୍ରମୁଖ ଜୀବ ଯନ୍ତୁଙ୍କ ଶିକାର କରାଯାଉଛି। ଯାହାଫଳରେ ଦିନକୁ ଦିନ ବନ୍ୟ ଜୀବଯନ୍ତୁଙ୍କ ସଂଖ୍ୟା ଲୋପ୍‌ ପାଇବାକୁ ଯାଉଛି।

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟକୁ ଖିନ୍‌ଭିନ୍‌ କରିଦେଲେଣି ଶିକାରୀ। ଶ୍ରୀହୀନ ହେବାକୁ ଯାଉଛି। ଯେଉଁଥିପାଇଁ କାନ୍ଦୁଛି ଶିମିଳିପାଳ। ଏହାର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମୟୂରଭଞ୍ଜବାସୀ। ସରକାରଙ୍କ ପାଖରେ ଦାବି ଉପସ୍ଥାପନ ପାଇଁ ଆସନ୍ତା ୨୬ ତାରିଖରେ ପ୍ରତିବାଦ କରିବେ ପରିବେଶ ପ୍ରେମୀ। ଏଥିରେ ସାମିଲ୍‌ ହେବା ପାଇଁ ସମସ୍ତଙ୍କୁ ଅପିଲ୍‌ କରିଛନ୍ତି ଓଲିଉଡ୍‌ର ଚର୍ଚ୍ଚିତ ସିନେ ଷ୍ଟାର ଓ ମୟୂରଭଞ୍ଜବାସୀ।

ଶିମିଳିପାଳ ଅଭୟାରଣ୍ୟ କେବଳ ଯେ ମୟୂରଭଞ୍ଜର ତାହା ନୁହେଁ, ବରଂ ଏହା ଓଡ଼ିଶାର ସୌନ୍ଦର୍ଯ୍ୟର ମୁକୁଟ। ବନ୍ୟା ଜନ୍ତୁଙ୍କ ନିର୍ଭୟ ଆଶ୍ରୟ ସ୍ଥଳୀ। ଏସିଆ ମହାଦେଶର ବୃହତ୍ତମ ଜୈବମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ହେଲେ ଗତ କିଛି ଦିନ ହେଲା ରକ୍ତ ରଞ୍ଜିତ ହେଉଛି ଶିମିଳିପାଳ। ସକ୍ରିୟ ହୋଇଛନ୍ତି ଶିକାରୀ। ଖୋଲମ୍‌ ଖୋଲା ଶିକାର କରୁଛନ୍ତି।

ଶିମିଳିପାର ଅଭୟାରଣ୍ୟର ଗୌରବ ବହନ କରୁଥିବା ବାଘ, କଳାବାଘ, ଭାଲୁ, ହାତୀ, ହରିଣ ପ୍ରମୁଖ ଜୀବ ଯନ୍ତୁଙ୍କ ଶିକାର କରାଯାଉଛି। ଯାହାଫଳରେ ଦିନକୁ ଦିନ ବନ୍ୟ ଜୀବଯନ୍ତୁଙ୍କ ସଂଖ୍ୟା ଲୋପ୍‌ ପାଇବାକୁ ଯାଉଛି। ଖାଲି ଜୀବଯନ୍ତୁଙ୍କ ଶିକାର କରୁନାହାନ୍ତି, ରାତିରେ ଅଭୟାରଣ୍ୟରେ ନିଆଁ ଲଗାଇ ଦିଆଯାଉଛି। ଯେଉଁଥିପାଇଁ ବହୁ ଔଷଧୀୟ ଗୁଳ୍ମ ଲତା ପୋଡ଼ି ନଷ୍ଟ ହୋଇ ଯାଉଛି। ଏହାଦ୍ୱାରା ପରିବେଶ ସନ୍ତୁଳନ ହରାଉଛି। ଘଞ୍ଚ ଓ ସବୁଜିମା ଜଙ୍ଗଲ ଅସ୍ତିତ୍ୱ ହରାଇବାକୁ ଯାଉଛି।

ଶିମିଳିପାଳ କାହିଁକି ଶ୍ରୀହୀନ ହେବାକୁ ଯାଉଛି? ଏହାର ଅନେକ କାରଣ ଥାଇପାରେ। ହେଲେ ପ୍ରଥମ କାରଣ ହେଉଛି ଶିକାରୀଙ୍କ ପ୍ରାଦୁର୍ଭାବ। ଦିନକୁ ଦିନ ଶିକାରୀଙ୍କ ଉତ୍ପାତ ବଢ଼ୁଥିବାରୁ ଶିମିଳିପାଳ ଶ୍ରୀହୀନ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ଓ ବନ ବିଭାଗର କେତେକ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ସେମାନେ ଅଭିଯୋଗ କରିଛନ୍ତି, ବନ ବିଭାଗର କେତେକ ଅଫିସରଙ୍କ ଛତ୍ରଛାୟା ତଳେ ଶିକାରୀମାନେ କାୟା ବିସ୍ତାର କରୁଛନ୍ତି। ଆଉ ଅନାୟସ୍‌ରେ ଶିକାର କରୁଛନ୍ତି।

ଏସିଆ ମହାଦେଶ ବୃହତ ଜୈବ ମଣ୍ଡଳ ଶିମିଳିପାଳ ସୁରକ୍ଷା ନେଇ ସୋଶାଲ୍‌ ମିଡ଼ିଆରେ ଉଠିଛି ଝଡ଼। ଶିମିଳିପାଳ ବଞ୍ଚିଲେ ଆମେ ବଞ୍ଚିବା ଓ ଶିମିଳିପାଳରେ ପର୍ଯ୍ୟଟନ ଶିଳ୍ପର ବିକାଶ ଭଳି ଅନେକ ଦାବି ଉଠିଛି। ମୟୂରଭଞ୍ଜ ଜିଲ୍ଲାର ଗର୍ବ ଓ ଗୌରବ କୁହାଯାଉଥିବା ଶିମିଳିପାଳ ସୁରକ୍ଷା ପାଇଁ ପ୍ରତିଟି ମୟୂରଭଞ୍ଜିଆ ଆଗେଇ ଆସିବା ପାଇଁ ଡାକରା ଦିଆଯାଇଛି। ଏଥିରେ ସାମିଲ୍‌ ହୋଇଛନ୍ତି ଓଡ଼ିଆ ସିନେ ଜଗତର ସୁପରଷ୍ଟାର ଉତ୍ତମ ମହାନ୍ତି, ସୁନାମଧନ୍ୟ କଳାକାର ଲରେନ୍ସ ବେହେରା, ଅଭିନେତା ସୁକାନ୍ତ ରଥ, ଓଡ଼ିଶାର ହାସ୍ୟ ଅଭିନେତା ପପୁ ପମପମ, ଯୁବ ଅଭିନେତା ସ୍ୱରାଜ ବାରିକ, କଣ୍ଠଶିଳ୍ପୀ ସୁଭାଶିଷ ମହାକୁଡ଼, ଖଳନାୟକ ଅସିତ ପତି, କଣ୍ଠଶିଳ୍ପୀ ଅଙ୍କିତା ପ୍ରମୁଖ।

ଶିମିଳିପାଳ ବଞ୍ଚାଇବା ଆସନ୍ତା ୨୬ ତାରିଖରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଏକଜୁଟ ହେବା ପାଇଁ ମୟୂରଭଞ୍ଜ ଜିଲ୍ଲାର ସବୁ କଳାକାର ଓ ବୁଦ୍ଧିଜୀବୀ କହିଛନ୍ତି। ୮ ଦଫା ଦାବି ପୂରଣ ପାଇଁ ଧାରଣା ଦିଆଯିବ। ଏଥିରେ ସାମିଲ୍‌ ହେବା ପାଇଁ ପରିବେଶବିତ୍ତଙ୍କୁ ଅନୁରୋଧ କରାଯାଇଛି।

ଉତ୍ତମ ମହାନ୍ତି କହିଛନ୍ତି, ଆମେ ବଞ୍ଚିଲେ ଶିମିଳିପାଳ ବଞ୍ଚିବା। ଏହାର ସୁରକ୍ଷା ଆସନ୍ତା ୨୬ ତାରିଖରେ ହେବାକୁ ଧିବା ଧାରଣାରେ ସାମିଲ୍‌ ହେବା ପାଇଁ ଶ୍ରୀ ମହାନ୍ତି ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ପପୁ ପମ୍ ପମ୍ କହିଛନ୍ତି, ଶିମିଳିପାଳ ପାଇଁ ମୟୂରଭଞ୍ଜ ସାରା ପୃଥିବୀରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଜି କିନ୍ତୁ ସେହି ଶିମିଳିପାଳ ନିଜେ ନିଜକୁ ସୁରକ୍ଷା ଦେଉଛି। ତାକୁ ସୁରକ୍ଷା ଦେବା ପାଇଁ କେହି ନାହାଁନ୍ତି। ବରିଷ୍ଠ କର୍ମଚାରୀମାନେ କଳା ଟଙ୍କା ରୋଜଗାର ପାଇଁ ଶିକାରୀମାନଙ୍କୁ ପ୍ରଚ୍ଛଦରେ ସାହାଯ୍ୟ କରୁଛନ୍ତି। କଳାବାଘ, ହାତୀ ପରି ଜୀବଯନ୍ତୁଙ୍କୁ ଶିକାର କରାଯାଉଛି। ଔଷଧୀୟ ବୃକ୍ଷଲତା କାଟି ଦିଆଯାଉଛି। ଶିମିଳିପାର ସୁରକ୍ଷା ପାଇଁ ୨୬ ତାରିଖରେ ଏକତ୍ର ହେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ପପୁ ପମ୍‌ପମ୍‌।

ଅସିତ ପତି କହିଛନ୍ତି, ଅଖଣ୍ଡ ମୟୂରଭଞ୍ଜର ମୁକୁଟି ହେଉଛି ଶିମିଳିପାଳ। ଆଜି ଶିମିଳିପାଳ ମୁକୁଟି ବିହୀନ ଲାଗୁଛି। ଏହାର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନାହିଁ। ଯେଉଁଥିପାଇଁ ବାଘ, ଭାଲୁ, ହାତୀ ପରି ଜୀବଯନ୍ତୁଙ୍କୁ ଶିକାର କରାଯାଉଛି। ଔଷଧୀୟ ଚାରା ନଷ୍ଟ କରିଦିଆଯାଉଛି ବୋଲି ଶ୍ରୀ ପତି କହିଛନ୍ତି।

ଶିମିଳିପାଳ ଅଭୟାରଣ୍ୟରେ ଗତ କିଛି ଦିନ ହେବ ବାରମ୍ବାର ହାତୀ, କଳାବାଘର ଶିକାର ହେଉଛି। ପାଟ୍ରୋଲିଂରେ ଯାଇଥିବା ବନ କର୍ମଚାରୀମାନେ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଉଛନ୍ତି। ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ଏପରି ଘଟିଛି ବୋଲି ଭଞ୍ଜସେନା ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଆଗାମୀ ୨୬ ତାରିଖରେ ଭୁବନେଶ୍ୱର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନ କହିଛନ୍ତି।

Leave A Reply

Your email address will not be published.