କିଏ କେମିତି ସ୍ଥିର କରିବ ଅଶାଳୀନ ପୋଷାକ କ’ଣ?

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଉପଯୁକ୍ତ ପୋଷାକ ବା ଅଶୀ ଭାଗ ଶରୀରକୁ ଆବୃତ୍ତ କରିଥିବା ବସ୍ତ୍ର ପରିଧାନ କରିବା ପାଇଁ ନିଆ ଯାଇଥିବା ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ଏକ ସାତ୍ତ୍ୱିକ ଭାବନାର ସହିତ ପ୍ରଭୁଙ୍କୁ ଦର୍ଶନ କରିବା। ଏହି ନିୟମ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଲାଗୁ ହେବ। କିନ୍ତୁ ଏଠାରେ ମନରେ ପ୍ରଶ୍ନ ଆସୁଛି କେମିତି, ଆଉ କିଏ ସ୍ଥିର କରିବ ଏହି ପୋଷାକର ପ୍ରକାର ଭେଦ।

ପୁରୀ: ଶ୍ରୀମନ୍ଦିରରେ ଯୁଗୋପଯୋଗୀ ସଂସ୍କାର ଆଣିବା ଲକ୍ଷ୍ୟ ନେଇ ବର୍ତ୍ତମାନର ସରକାରଙ୍କ ତରଫରୁ ଅଶ୍ଳୀଳ ପୋଷାକ ପିନ୍ଧି ମନ୍ଦିର ପ୍ରବେଶ ମନା କରାଯିବା ଖୁବ ଭଲ ନିଷ୍ପତ୍ତି। ସ୍କୁଲ କଲେଜ ପରି ବିଦ୍ୟା ମନ୍ଦିରକୁ ଯିବା ସମୟରେ ଯେପରି ସ୍ଵତନ୍ତ୍ର ଡ୍ରେସ କୋଡର ବ୍ୟବସ୍ଥା ଅଛି ସେମିତି ଦେବାଳୟକୁ ଯିବା ପାଇଁ ଉପଯୁକ୍ତ ବେଶ ନିର୍ଦ୍ଦିଷ୍ଟ ପୋଷାକ ପରିଧାନ କରିବାର ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ।

ଦକ୍ଷିଣ ଭାରତର ତିରୁପତି ସମେତ ଅନ୍ୟାନ୍ୟ ମନ୍ଦିର, ମହାରାଷ୍ଟ୍ରର ଶନି ଶିଂଗଣାପୁର ମନ୍ଦିର, ହରିଦ୍ଵାରର ଦକ୍ଷ ପ୍ରଜାପତି ମନ୍ଦିର, ଋଷିକେଶର ନୀଳକଣ୍ଠ ମହାଦେବ ମନ୍ଦିର ଇତ୍ୟାଦି ମନ୍ଦିରଗୁଡ଼ିକର ପୋଷାକ ପରିଧାନ ଉପରେ କଡ଼ା କଟକଣା ରହିଛି।

ସେହିପରି ଆମ ବଡ଼ ଠାକୁର ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଉପଯୁକ୍ତ ପୋଷାକ ବା ଅଶୀ ଭାଗ ଶରୀରକୁ ଆବୃତ୍ତ କରିଥିବା ବସ୍ତ୍ର ପରିଧାନ କରିବା ପାଇଁ ନିଆ ଯାଇଥିବା ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ଏକ ସାତ୍ତ୍ୱିକ ଭାବନାର ସହିତ ପ୍ରଭୁଙ୍କୁ ଦର୍ଶନ କରିବା। ଏହି ନିୟମ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଲାଗୁ ହେବ।

କିନ୍ତୁ ଏଠାରେ ମନରେ ପ୍ରଶ୍ନ ଆସୁଛି କେମିତି, ଆଉ କିଏ ସ୍ଥିର କରିବ ଏହି ପୋଷାକର ପ୍ରକାର ଭେଦ।

ଏଇ ଯେମିତି ମନରେ ବେଳେବେଳେ ଏକ ଦ୍ଵନ୍ଦ ଉପୁଜେ, ଆମ ସଂସ୍କୃତିରେ ମହିଳାଟିଏ ଶାଢ଼ୀ ପରିଧାନ କଲେ ଖୁବ୍ ଶାଳୀନ ଓ ସଂସ୍କାରୀ ବୋଲି ଧରାଯାଏ ବା ଆମେ ସେହି ଭାବନାରେ ବଢ଼ି ଆସିଛୁ। କିନ୍ତୁ ଆଜିକାଲି ଅନେକ ମହିଳାଙ୍କୁ ଲକ୍ଷ୍ୟ କଲେ ଦେଖାଯାଏ ସେମାନଙ୍କ ଶାଢୀ ପରିଧାନ କରିବାର ଶୈଳୀରେ ବୋଧହୁଏ ଅଶୀ ଭାଗ ଅନାବୃତ୍ତ ହୋଇ ରହିଥାଏ ବରଂ ତାଙ୍କ ଅପେକ୍ଷା କଲେଜ ପଢୁଥିବା ତରୁଣୀଟିଏ ଟି ସାର୍ଟ ଓ ଜିନସ୍‌ରେ ଅଧିକ ଆବୃତ୍ତ ଓ ଶାଳୀନ ମନେ ହୁଅନ୍ତି। ଏହି କ୍ଷେତ୍ରରେ ବାଛ ବିଚାର କେମିତି କରି ପାରିବା?

ଜର୍ମାନୀ ପରି ଅନେକ ପାଶ୍ଚାତ୍ୟ ଦେଶରେ ଶାଢ଼ୀକୁ ସବୁଠାରୁ ଅଧିକ ଯୌନ ଉତ୍ତେଜକ ପୋଷାକ ଭାବରେ ବିବେଚିତ କରାଯାଇ ଥାଏ। ପୋଷାକକୁ ନେଇ ଭିନ୍ନ ଭିନ୍ନ ଅଞ୍ଚଳର ବିଭିନ୍ନ ମତାମତ। ସେ ଏକ ଅଲଗା ବିଷୟ ବସ୍ତୁ।

ଏବେ ଆସିବା ପୁରୁଷଙ୍କ ପୋଷାକ ପରିଧାନ କରିବାର ଶୈଳୀ।

ଯଦିଓ ଆମ ଚଳଣୀରେ ପୁରୁଷମାନେ ଘରେ ଲୁଙ୍ଗି ବା ଗାମୁଛା ପରିଧାନ କରି ଆରାମଦାୟକ ଅବସ୍ଥାରେ ବସା ଉଠା କରିବାକୁ ଭଲ ପାଆନ୍ତି, କିନ୍ତୁ ବାହାରକୁ ଯିବା ସମୟରେ ଏହାକୁ ଶାଳୀନତା ପୂର୍ଣ୍ଣ ପୋଷାକ ଭାବରେ ବିବେଚିତ କରା ଯାଏ ନାହିଁ। ତେଣୁ ସେମାନେ ପ୍ୟାଣ୍ଟ ସାର୍ଟ ପିନ୍ଧି ବାହାରକୁ ଯାଆନ୍ତି।

ଏପରିକି, ଶ୍ରୀ ମନ୍ଦିର ଭିତରକୁ ଗାମୁଛା ପିନ୍ଧି ଅନାବରଣ ଶରୀର ନେଇ ପୂଜାପଣ୍ଡାମାନଙ୍କ ପ୍ରବେଶକୁ ମଧ୍ୟ ନିଷେଧ କରାଯାଉ।

ମଠା ଚାଦର ବା ଗାମୁଛାରେ ଶରୀରର ଉପର ଭାଗକୁ ଆବୃତ୍ତ କରି ମନ୍ଦିର ଭିତରକୁ ଗଲେ ତାହା ଭକ୍ତମାନଙ୍କ ପାଇଁ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ସହିତ ମନ୍ଦିରର ଗାରିମା ବୃଦ୍ଧି ହେବ।

ଏହି ପରିପ୍ରକ୍ଷୀରେ ବୟସ୍କ ବୃଦ୍ଧବୃଦ୍ଧାମାନଙ୍କ ଶାରୀରିକ ଅକ୍ଷମତା ଯୋଗୁ ପିନ୍ଧିଥିବା ଛୋଟ ଲୁଗା ଓ ଗାମୁଛାରେ ମନ୍ଦିର ପ୍ରବେଶକୁ ଖୁବ ସମ୍ବେଦନଶୀଳ ଭାବରେ ଗ୍ରହଣ କରାଯିବା ଉଚିତ୍।

ଆମ ସଂସ୍କୃତି ପରମ୍ପରା ଅନୁଯାୟୀ ଯେ କୌଣସି ମନ୍ଦିରକୁ ପ୍ରବେଶ କରିବା ମାତ୍ରେ ଆପେ ଆପେ ଶାଢ଼ୀ ବା ଓଢ଼ଣୀ କାନିରେ ମୁଣ୍ଡ ଘୋଡ଼ାଇ ନେଉ ଯାହା ସ୍ଵତଃ ପ୍ରବୃତ୍ତ ଅନ୍ତରରୁ ହୃଦୟରୁ ସମର୍ପିତ ହୋଇ ଠାକୁରଙ୍କ ସମ୍ମାନାର୍ଥେ ମନ ହୃଦୟ ଓ ଶରୀରରେ ସଂଭ୍ରମ ଭାବ ସୃଷ୍ଟି ହୁଏ।

ସମର୍ପଣ ଭାବନାରେ ବିକାର ନ ଥାଏ। ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଅନେକ ତର୍ଜମା କରା ଯାଇ ପାରେ, କିନ୍ତୁ ସର୍ବୋପରି ଆମ ବଡ଼ ଠାକୁରଙ୍କ ସମ୍ମାନାର୍ଥେ ପୋଷାକ ପରିଧାନ ଉପରେ କଟକଣା ରହୁ ମନା ନାହିଁ, କିନ୍ତୁ ତା ସହିତ ମନ୍ଦିର ଭିତରେ, ବାହାରେ, ରଥ ସମୟର ଅଶ୍ଳୀଳ ବ୍ୟବହାର, ଭାଷା ଓ ଡାହୁକ ଡାକର ଭାଷା ଉପରେ ମଧ୍ୟ କଟକଣା ଲାଗୁ ହେଉ। ମନ୍ଦିର ଭିତରେ ପାନ, ଗୁଟକା, ନିଶା ଦ୍ରବ୍ୟ ସେବନ ଉପରେ କଟକଣା ଲାଗୁ ହେଉ।

ବାକି ରହିଲା ଅଶ୍ଳୀଳତାର କଥା। ଅଶ୍ଳୀଳତା ଏକ ମାନସିକତା। ଯାହା ମନରେ ଥାଏ, ପୋଷାକରେ ନୁହେଁ। ଯେଉଁଠି ଯୁବତୀ ଝିଅଟିଏ ଛୋଟ ଛୋଟ ପୋଷାକ ପିନ୍ଧି ଘରେ ବୁଲଚାଲ କଲେ ବାପା ମନରେ ଖରାପ ଭାବନା ଆସେ ନାହିଁ, ସେଇଠି ରାସ୍ତାରେ ଆଉ କାହାର ଝିଅଟିଏ ଛୋଟ ପୋଷାକ ପିନ୍ଧିଲେ ମନରେ ଅଶ୍ଳୀଳ ଚିନ୍ତା ଜାଗ୍ରତ ହୁଏ। ଏହା ଏକ ମାନସିକତା ନୁହେଁ ଆଉ କ’ଣ?

ଏତଦ୍ ବ୍ୟତୀତ ଶ୍ରୀଜଗନ୍ନାଥ ମନ୍ଦିର ସହିତ ପୁରୀ ସମୁଦ୍ର କୂଳ ଏକ ପର୍ଯ୍ୟଟନ ସ୍ଥଳୀ ମଧ୍ୟ। ପିତାମାତାଙ୍କ ସହିତ କମ୍ ବୟସର ପିଲାମାନେ ସମୁଦ୍ର କୂଳ ବୁଲିଯିବା ପାଇଁ ଆସିଥାନ୍ତି। ପ୍ରାୟ ଯୁବ ପିଢ଼ି ଯୁଗ ଅନୁଯାୟୀ ଫେସନେବଲ ପୋଷାକ ପରିଧାନ କରିଥାନ୍ତି। ସେହି ପୋଷାକ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିବା ନେଇ କଟକଣା ରହିଲେ ହୁଏତ ଧୀରେ ଧୀରେ ଭକ୍ତମାନେ ମହାପ୍ରଭୁଙ୍କଠାରୁ ଦୂରେଇ ଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ତେଣୁ ଏହି କ୍ଷେତ୍ରର ବିଶେଷତାକୁ ମଧ୍ୟ ଗୁରୁତ୍ଵ ଦିଆଯିବା ଉଚିତ।

ଅନ୍ୟ ରାଜ୍ୟକୁ ଅନୁକରଣ ହେଉ କିନ୍ତୁ ସବୁ ଦୃଷ୍ଟି କୋଣରୁ ସେମାନେ ଯେ ସବୁବେଳେ ଠିକ୍ ଏହା ମଧ୍ୟ ସତ୍ୟ ନୁହେଁ। ଯେଉଁଠି ମହିଳାଙ୍କୁ କଟକଣା ଅଥଚ ପୁରୁଷମାନେ ଅନାବୃତ୍ତ ଶରୀରରେ ମନ୍ଦିର ପ୍ରବେଶ କରିବେ ଏହା କେତେ ଦୂର ଠିକ୍?

ତେଣୁ ଆମ ବଡ଼ ଠାକୁରଙ୍କ ପାଖରେ ପୁରୁଷ ମହିଳା ନିର୍ବିଶେଷରେ, ପୋଷାକର ପ୍ରକାର ଭେଦରୁ ଉର୍ଦ୍ଧ୍ୱରେ, ଅନାବୃତ୍ତ ଶରୀରରେ ମନ୍ଦିର ପ୍ରବେଶ ନିଷେଧର ନିଷ୍ପତ୍ତିକୁ ଶୃଙ୍ଖଳିତ ଭାବରେ ପାଳନ କରାଯାଉ।

ସନାତନ ଧର୍ମର ମୂଳମନ୍ତ୍ର ହେଲା ସର୍ବେ ହୋଇବେ ଏକାକାର, ନଥାଇ ଭେଦାଭେଦ ବିଚାର ଅର୍ଥାତ୍ ସମସ୍ତେ ସମାନ।

ସାହାଣ ମେଲା, ମହାପ୍ରସାଦ, ଅବଢ଼ା ଅନ୍ନ, ପରି ଅନେକ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ସାରା ବିଶ୍ଵରେ ପୁରୀ ଶ୍ରୀମନ୍ଦିରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହି ସ୍ୱତନ୍ତ୍ରତା ସେମିତି ଥାଉ, ଏହି ଐତିହ୍ୟ ବଞ୍ଚି ରହୁ।

Leave A Reply

Your email address will not be published.