xmas

‘ଇଣ୍ଡିଆନ୍ ଆଇଡଲ୍‌’ରେ ସମ୍ ଡାକ୍ତର ରୋହନ

ଭୁବନେଶ୍ୱର, ୧୭/୧୦: ‘ଇଣ୍ଡିଆନ୍ ଆଇଡଲ୍‌-୧୪’ରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ ଗୋଲ୍ଡେନ୍ ଟିକଟ ସହ ଶୋ’ରେ ଥିଏଟର ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ବର୍ତମାନ ସେ ସାରା ଓଡ଼ିଶା ତଥା ଦେଶରେ ଏକ ଚର୍ଚ୍ଚିତ ଚେହେରା ।

ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସୋନି ଲାଇଭ୍‌ରେ ଦେଶର ପ୍ରମୁଖ ରିଆଲିଟି ପ୍ରୋଗ୍ରାମ୍ ‘ଇଣ୍ଡିଆନ୍ ଆଇଡଲ୍‌- ସିଜନ୍‌-୧୪’ ପ୍ରସାରିତ ହୋଇଆସୁଛି । ଏଥିରେ ଡାକ୍ତର ରୋହନ ଲୋକପ୍ରିୟ ଚଳଚ୍ଚିତ୍ର ‘କବିର ସିଂ’ ର ଗୀତ ‘କୈସା ହୁଆ’ ଗାଇ ସମସ୍ତଙ୍କ ମନକୁ ଜିଣିବା ସହ ଆଚମ୍ବିତ କରି ଦେଇଥିଲେ । ଉପସ୍ଥିତ ବଲିଉଡର ୩ ଲୋକପ୍ରିୟ ସଂଗୀତ ବିଚାରକ ବିଶାଲ ଦଦଲାନି, କୁମାର ସାନୁ ଓ ଶ୍ରେୟା ଘୋଷାଲଙ୍କୁ ରୋହନଙ୍କର ପ୍ରଦର୍ଶନ ଏତେ ପ୍ରଭାବିତ କରିଥିଲା ଯେ ସେମାନେ ତାଙ୍କୁ ‘ଡାକ୍ତର ସିଙ୍ଗର’ ନାମରେ ନାମିତ କରିଥିଲେ କାରଣ ସେ ଜଣେ ଶିଶୁ ରୋଗ ଡାକ୍ତର ।

ରୋହନ ଜଣେ ଡାକ୍ତର ଥିବା ଶୁଣି ବିଚାରକ କୁମାର ସାନୁ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ କହିଥିଲେ ଡାକ୍ତର ହୋଇ ଗୀତ ଗାଇବା ସହଜ ନୁହେଁ । ଯଦି ଗୀତ ଗାଇ ପୁରା ଦେଶରେ ବୁଲିବ, ତେବେ ତୁମେ ‘ଡା. ସିଙ୍ଗର’ ନାମରେ ପ୍ରସିଦ୍ଧ ହୋଇଯିବ ।

ଭୁବନେଶ୍ୱର ଖଣ୍ଡଗିରି ଅଂଚଳର ୨୩ ବର୍ଷୀୟ ଡାକ୍ତର ରୋହନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଶିଶୁ ରୋଗ ବିଭାଗରେ ହାଉସ୍ ସର୍ଜନ ଭାବେ କାର୍ଯ୍ୟ କରୁଛନ୍ତି । ସେ କାମ କରିବା ସମୟରେ ବି ଗୀତ ଗାଇ ଶିଶୁମାନଙ୍କ ଚିକିତ୍ସା କରିଥାନ୍ତି ବୋଲି ଶୋ’ରେ କହିଥିଲେ । ବିଶେଷ କରି ପିଲାମାନଙ୍କୁ ସେ କୁମାର ସାନୁଙ୍କ ଗୀତ ଶୁଣାଇଥାନ୍ତି ।

ଶୋ’ରେ କୁମାର ସାନୁ ଉପସ୍ଥିତ ଥିବାରୁ ତାଙ୍କ ସହିତ ଭିଡିଓ କଲ୍‌ରେ ଲାଇଭ୍ ଯୋଡ଼ି ହୋଇଥିବା ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଶିଶୁମାନେ ତାଙ୍କୁ ଗୀତ ଗାଇବାକୁ ଅନୁରୋଧ କରିଥିଲେ । ପରେ ପିଲାମାନଙ୍କ ଅନୁରୋଧ ରକ୍ଷା କରି କୁମାର ସାନୁ ମଂଚ ଉପରକୁ ଆସି ଗାଇଥିଲେ ‘ହମ୍‌କୋ ସିର୍ଫ୍ ତୁମ୍ ସେ ପ୍ୟାର ହୈ’ । ପରେ ଶ୍ରେୟା ଘୋଷାଲ କହିଥିଲେ ‘ପିଲେ ଆଜି ତୁମ ଡାକ୍ତର ଭାଇ ଯାହା ଗାଇଲେ, ତାହା ‘ହିଟ୍ ସେ ଭି ଜ୍ୟାଦା ହିଟ୍ ହୈ’ ।

ସେବା ଓ ସୁରର ଏକ ସମ୍ମିଶ୍ରଣ ରୋହନ, ବୃତିରେ ଜଣେ ଡାକ୍ତର ହୋଇ ବି ସଂଗୀତକୁ ସୁନ୍ଦର ଭାବେ ଆୟତ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୪ ବର୍ଷ ବୟସରୁ କ୍ୟାରିୟର ଆରମ୍ଭ କରିଥିବା ରୋହନ୍ ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କ ଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ତାଲିମ ନେଇଥିଲେ । ପିଲାବେଳେ କିଛି ଓଡ଼ିଆ ଭଜନ କ୍ୟାସେଟ୍‌ରେ ଏବେ ଗୀତିକାର ସ୍ମିତ ପଟ୍ଟନାୟକଙ୍କ ରଚନାରେ ମ୍ୟୁଜିକ୍ ଭିଡ଼ିଓରେ କଣ୍ଠଦାନ କରିଛନ୍ତି । ଏହା ସହ ଓଡ଼ିଶା ଏବଂ ଓଡ଼ିଶା ବାହାରେ ବହୁ ମଂଚ, ବିଭିନ୍ନ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ କରିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ବିଭିନ୍ନ ମଂଚରେ ସଂଗୀତ ପରିବେଷଣ କରି ମଧ୍ୟ ସେ ପ୍ରଶଂସା ଓ ପୁରସ୍କାର ସାଉଁଟିଛନ୍ତି ।

ସଂଗୀତ ପ୍ରତି ତାଙ୍କର ଆଗ୍ରହ ଦେଖି ରୋହନଙ୍କ ପିତାମାତା, ଗୁରୁଜୀ ଓ ମେଡିକାଲ୍ କଲେଜର ଅଧ୍ୟାପକ-ଅଧ୍ୟାପିକାମାନେ ତାଙ୍କୁ ଉତ୍ସାହିତ କରିଥିଲେ । ଡାକ୍ତର ରୋହନ୍‌ଙ୍କର କ୍ଲାସିକାଲ୍‌, ସେମି କ୍ଲାସିକାଲ ଓ ମଡର୍ଣ୍ଣ ସବୁ ଗୀତ ଗାଇବାରେ ଦକ୍ଷତା ରହିଛି । ତାଙ୍କର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ରହିଛି । ସେ ‘ଅର୍ପଣ ବ୍ୟାଣ୍ଡ’ ସହ ବି ଯୋଡ଼ି ହୋଇ ରହିଛନ୍ତି । ୨୦୧୪ରେ ଏମ୍‌ବିସି ଟିଭି ପକ୍ଷରୁ ‘ସନ୍ତୁର ସିଙ୍ଗିଙ୍ଗ୍ ସୁପର୍‌ଷ୍ଟାର ଜୁନିଅର’ର ଶ୍ରେଷ୍ଠ ଗାୟକ ଭାବେ ସେ ସମ୍ମାନିତ ହୋଇଥିବା ବେଳେ ୨୦୧୫ରେ ‘ଇଣ୍ଡିଆନ୍ ଆଇଡଲ୍ ଜୁନିୟର’ ସିଜନ-୨ରେ ଟପ୍‌-୨୦ରେ ସ୍ଥାନ ପାଇଥିଲେ ।

ଡାକ୍ତର ରୋହନ କହିଛନ୍ତି ଡାକ୍ତରୀ ଶିକ୍ଷା ଏବଂ ସଂଗୀତ ଶିକ୍ଷା ଦୁଇଟି ଭିନ୍ନ ବିଷୟ । ଡାକ୍ତର ରୋହନ ଛୋଟ ପିଲାମାନଙ୍କର ଚିକିତ୍ସା କରିବା ସମୟରେ ଉଭୟର ମିଶ୍ରଣ କରିବାକୁ ଇଚ୍ଛା କରିଥାନ୍ତି । ସମ୍ ହସ୍ପିଟାଲ୍‌ରେ ଗୀତ ଗାଇ ସେ ରୋଗୀମାନଙ୍କ ଯନ୍ତ୍ରଣାକୁ ହ୍ରାସ କରିବାକୁ ଚେଷ୍ଟା କରନ୍ତି । ଯେତେବେଳେ ସେ ଛୋଟ ପିଲାମାନଙ୍କୁ ଇଞ୍ଜେକ୍ସନ୍ ବା ସାଲାଇନ୍ ବା ଗ୍ଲୁକୋଜ ଦେବା ପାଇଁ ଛୁଂଚି ଫୋଡନ୍ତି ସେତେବେଳେ ସେ ପିଲାମାନଙ୍କ ଆଖିରେ ଭୟ ଏବଂ ଯନ୍ତ୍ରଣା ଅନୁଭବ କରିଥାନ୍ତି । ତେଣୁ ସେମାନଙ୍କ ଚିକିତ୍ସା ପୂର୍ବରୁ ସେ ଗୀତ ଗାଆନ୍ତି ଯାହା ଫଳରେ ସେମାନଙ୍କର ଯନ୍ତ୍ରଣା ହ୍ରାସ ହେବା ସହ ଭୟ ଦୂର ହୋଇଥାଏ ।

ଇଣ୍ଡିଆନ ଅଇଡଲ୍ ସିଜନ – ୧୪ରେ ଆସିଥିବା ସୁଯୋଗକୁ ହାତଛଡା କରି ନଥିଲେ ଡାକ୍ତର ରୋହନ । ପ୍ରଥମେ ଭୁବନେଶ୍ୱର ପରେ କୋଲ୍‌କାତା ଓ ମୁମ୍ବାଇରେ ଅଡିସନ୍ ଦେବା ସହ ବିଭିନ୍ନ ପର୍ଯ୍ୟାୟ ଦେଇ ସର୍ବଭାରତୀୟ ସ୍ତରରେ ୬୦ ଜଣଙ୍କ ମଧ୍ୟରେ ସେ ରହିଥିଲେ ।

Leave A Reply

Your email address will not be published.