ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା’

ସମଲିଙ୍ଗୀ ସମ୍ପର୍କ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସିଜେଆଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀ: ସମଲିଙ୍ଗୀ ଯୋଡିକୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା। ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ସଫା ସଫା ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ସମଲିଙ୍ଗୀ ବିବାହର ବୈଧୀକରଣକୁ ନେଇ ସୁପ୍ରିମ୍‌କୋର୍ଟ ସଂରକ୍ଷିତ ରଖିଥିବା ରାୟ ଆଜି ପ୍ରକାଶ ପାଇଛି। ସର୍ବୋଚ୍ଚ ଅଦାଲତ  ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେଇ ପାରିବେ ନାହିଁ ବୋଲି କହିଛନ୍ତି। କୋର୍ଟ ଆଇନ୍‌ ତିଆରି କରିପାରିବନି, କେବଳ ଆଇନ୍‌କୁ ବ୍ୟାଖ୍ୟା କରିପାରିବେ। ନୂତନ ଆଇନ ପ୍ରଣୟନ କରିବା ସଂସଦ ବା ବ୍ୟବସ୍ଥାପନା ସଭାର ଅଧିକାର। ତେଣୁ ଏ ସଂକ୍ରାନ୍ତୀୟ ଆଇନ ପ୍ରଣୟନ ସଂସଦର ଅଧିକାର କ୍ଷେତ୍ର ବୋଲି ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମଲିଙ୍ଗୀଙ୍କ ଲାଗି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଳ୍ଲେଖଯୋଗ୍ୟ, ଅନେକ ଦେଶରେ ସମଲିଙ୍ଗୀ ବିବାହ ସ୍ୱୀକୃତିପ୍ରାପ୍ତ ହୋଇଥିବା ବେଳେ ଅନେକ ଦେଶରେ ଏହାକୁ ଅପରାଧ ବର୍ଗରେ ରଖାଯାଉଛି। ସମଲିଙ୍ଗୀ ସମ୍ପର୍କ ଭାରତରେ ଅପରାଧ ନୁହେଁ। ୨୦୧୮ ମସିହାରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ବୋଲି ରାୟ ଦେଇଥିଲେ।

ସିଜେଆଇ ଡି ୟାଇ ଚନ୍ଦ୍ରଚୁଡ, ସମଲିଙ୍ଗୀ ବିବାହକୁ ଅନୁମତି ଦେଇ ନାହାନ୍ତି। ଏହା ସଂସଦର ଅଧିକାର ଅଧୀନରେ ଅଛି। ତେବେ ସିମଲିଙ୍ଗୀ ଯୋଡିକୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ସିଜେଆଇ ଅନୁମତି ଦେଇଛନ୍ତି। ସିଜେଆଇ ଆହୁରି କହିଛନ୍ତି, ସମଲିଙ୍ଗୀ ବିବାହ ଚିନ୍ତାଧାରା କେବଳ ସହରରେ ସୀମିତ ନାହିଁ। ଗାଁରେ ଚାଷ କାମ କରୁଥିବା ମହିଳା ମଧ୍ୟ ସମଲିଙ୍ଗୀ ବିବାହକୁ ଅନୁମତି ଦେବାକୁ ଦାବି କରୁଛନ୍ତି। ତେଣୁ ସମଲିଙ୍ଗୀ ସମ୍ପର୍କ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସିଜେଆଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପ୍ରସଙ୍ଗରେ ୪ଟି ନିଷ୍କର୍ସ ରହିଛି। ଏଥିରେ କିଛି ଅନୁମତି ଦେବା ସପକ୍ଷରେ ରହିଥିବା ବେଳେ ଆଉ କିଛି ବପକ୍ଷରେ ରହିଛି। ଜୀବନସାଥୀ ବାଛିବାରେ ସମସ୍ତଙ୍କ ଅଧିକାର ରହିଛି। କୁଇର୍ ବର୍ଗଙ୍କୁ ଲିଙ୍ଗଗତ କାରଣରୁ ଅଧିକାରରୁ ବଞ୍ଚିତ କରାଯାଇ ପାରିବନି। କୌଣସି ବ୍ୟକ୍ତିକୁ ହରମୋନ ଥେରାପି ପାଇଁ ବାଧ୍ୟ କରାଯାଇ ପାରିବନି। ତେଣୁ କେନ୍ଦ୍ର ସରକାର ଏଥିପାଇଁ ଶୀଘ୍ର କମିଟି ଗଠନ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଗତ ଏପ୍ରିଲ ୧୧ ତାରିଖରେ ସାମ୍ବିଧାନିକ ବେଞ୍ଚ ଏହା ଉପରେ ହୋଇଥିବା ଆବେଦନର ଶୁଣାଣି ଆରମ୍ଭ କରିଥିଲେ ଏବଂ ଗତ ମେ ୧୧ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟ ଏନେଇ ଆଗତ ପ୍ରାୟ ୨୧ ଟି ପିଟିସନର ଏକାଠି ଶୁଣାଣି କରିଥିଲେ।

୧୮ ଯୋଡ଼ା ସମଲିଙ୍ଗୀ ଦମ୍ପତି ସେମାନଙ୍କ ସମ୍ପର୍କକୁ ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ଆବେଦନ କରିଥିଲେ। ସେମାନେ ସମଲିଙ୍ଗୀ ବିବାହକୁ ସାମାଜିକ ଓ ଆଇନଗତ ମାନ୍ୟତା ପାଇଁ  ଅନୁରୋଧ କରିଥିଲେ। ଦେଶରେ ପ୍ରଚଳିତ ସ୍ୱତନ୍ତ୍ର ବିବାହ ଆଇନରେ ସମଲିଙ୍ଗୀ ବିବାହକୁ ମଧ୍ୟ ସାମିଲ କରିବାକୁ ସେମାନେ କହିଥିଲେ। 

ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।  ଜଷ୍ଟିସ୍ ଏସ୍‌କେ କୌଲ, ଏସ୍‌ଆର୍ ଭଟ୍ଟ, ହିମା କୋହଲି ଓ ପିଏସ୍‌ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ସମଲିଙ୍ଗୀ ବିବାହର ବୈଧୀକରଣ ମାମଲାର ୧୦ ଦିନ ଧରି ଶୁଣାଣି କରିବା ପରେ ଏହାର ରାୟ ସଂରକ୍ଷିତ ରଖିଥିଲେ। ଆବେଦନକାରୀମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି, ରାଜୁ ରାମଚନ୍ଦ୍ରନ, କେଭି ବିଶ୍ବନାଥନ, ଆନନ୍ଦ ଗ୍ରୋଭର ଓ ସୌରଭ କିରପାଲ ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ସାମ୍ବିଧାନିକ ଖଣ୍ଡପୀଠ ୨୦ଟି ପିଟିସନର ଶୁଣାଣି ପରେ ମେ ମାସରେ  ରାୟ ସଂରକ୍ଷିତ ରଖିଥିଲେ।

ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେଇ ନଥିଲେ ହେଁ କେନ୍ଦ୍ର ସରକାରଙ୍କୁ ଏଥିଲାଗି  ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ  ସମାଜରେ ଥିବା ସମଲିଙ୍ଗୀମାନେ ନିଜର ବ୍ୟକ୍ତିଗତ ନିଷ୍ପତ୍ତି ଓ ମାର୍ଗଚୟନ ଲାଗି ଯେଭଳି ଭେଦଭାବର ଶିକାର ନହୁଅନ୍ତି, ସେଥିପ୍ରତି ଯତ୍ନବାନ୍ ହେବାକୁ କହିଛନ୍ତି। ମାମଲାର ରାୟ ପ୍ରକାଶ କରି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ କହିଛନ୍ତି ଯେ ଆମେ ସ୍ବତନ୍ତ୍ର ବିବାହ ଆଇନକୁ ଉଚ୍ଛେଦ କରିପାରିବୁ ନାହିଁ। ଏହା ସଂସଦର ଅଧିକାର। ଅନ୍ୟପକ୍ଷରେ  ବିବାହ ନିଷ୍ପତ୍ତି ଜଣଙ୍କର ବ୍ୟକ୍ତିଗତ ବ୍ୟାପାର ଏଥିରେ ହସ୍ତକ୍ଷେପ କରିବା ଦ୍ବାରା ସମ୍ବିଧାନ ପ୍ରଦତ୍ତ ଧାରା ୨୧ ଅଧିନସ୍ଥ ମୌଳିକ ଅଧିକାରର ଉଲ୍ଲଂଘନ ହେବ। ତେଣୁ ସମଲିଙ୍ଗୀ ବିବାହକୁ ବେଆଇନ ବୋଲି କହିହେବନାହିଁ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି।

ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭କୁ ସୁପ୍ରିମକୋର୍ଟ ଖଣ୍ଡନ କରିବାର ପାଞ୍ଚ ବର୍ଷ ପରେ, ସମଲିଙ୍ଗୀ ବିବାହକୁ ଭାରତରେ ଆଇନଗତ ମାନ୍ୟତା ଦିଆଯିବା ଉଚିତ କି ନାହିଁ ତାହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ  ରାୟ ଦେଇଛନ୍ତି। ଶୁଣାଣିରେ ଅଦାଲତ କହିଛନ୍ତି ଯେ ‘‘ନିଜ ପାଇଁ ଜୀବନସାଥୀ ଚୟନ କରିବାର ଅଧିକାର ସମସ୍ତଙ୍କ ନିକଟରେ ରହିଛି। ଜୀବନସାଥୀ ବାଛିବା ଆମ ଜୀବନର ଏକ ପ୍ରମୁଖ ଅଂଶ। ସମଲିଙ୍ଗୀ ବିବାହ ମୌଳିକ ଅଧିକାର ନୁହେଁ। କୋର୍ଟ ଆଇନ୍‌ ତିଆରି କରିପାରିବନି, କେବଳ ଆଇନ୍‌କୁ ବ୍ୟାଖ୍ୟା କରିପାରିବ।’’

ଅନ୍ୟପକ୍ଷରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ରଖି କହିଥିଲେ ଯେ କୋର୍ଟ ଏକ ଅତି ଜଟିଳ ପ୍ରସଙ୍ଗ ଉପରେ ଶୁଣାଣି କରୁଛନ୍ତି ଏବଂ ଏହାର ବ୍ୟାପକ ସମାଜିକ ପ୍ରଭାବ ରହିଛି। ସମଲିଙ୍ଗୀ ବିବାହକୁ ମାନ୍ୟତା ଦେଲେ ତାହା ଅନ୍ୟ କ୍ଷେତ୍ରକୁ ପ୍ରଭାବିତ କରିବ ଯାହା ଉପରେ ସମାଜରେ ତଥା ପାର୍ଲାମେଣ୍ଟରେ ବିତର୍କ ହେବା ଉଚିତ। ସମାଜରେ ଅନେକ ପ୍ରକାର ସମ୍ପର୍କ ଅଛି କିନ୍ତୁ ସବୁ ସମ୍ପର୍କକୁ ମାନ୍ୟତା ଦେବା ସମ୍ଭବ ନୁହେଁ ବୋଲି ମେହଟ୍ଟା କହିଥିଲେ।

Leave A Reply

Your email address will not be published.