ପେଶାରେ ଡାକ୍ତର, ନିଶା ଗୀତ ଗାଇବା: ଇଣ୍ଡିଆନ୍ ଆଇଡଲରେ ଓଡିଆ ପୁଅ ରୋହନ ବିଶ୍ୱାଳ

ଭୁବନେଶ୍ୱର: ପେଶା ଡାକ୍ତର କିନ୍ତୁ ନିଶା ହେଉଛି ସଙ୍ଗୀତ । ରିଏଲିଟି ଟିଭି ସୋ ଇଣ୍ଡିଆନ ଆଇଡଲରେ ଓଡିଆ ପୁଅ ଡାକ୍ତର ରୋହନ ବିଶ୍ୱାଳ । କହିଲେ , ମ୍ୟୁଜିକ୍ ହେଉଛି ମୋ ଜୀବନ , ପେଶା ହେଉଛି ଡାକ୍ତର । କୁନି କୁନି ପିଲାଙ୍କୁ ଟ୍ରିଟମେଣ୍ଟ୍ କଲା ବେଳେ ଗୀତ ଗାଇ ସେମାନଙ୍କୁ ମନୋରଞ୍ଜନ କରେ ।

‘ଇଣ୍ଡିଆନ୍ ଆଇଡଲ୍-୧୪’ରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ । ଗୋଲ୍ଡେନ୍ ଟିକଟ୍ ସହ ଶୋ’ରେ ଥିଏଟର୍ ରାଉଣ୍ଡ୍‌କୁ ଉନ୍ନୀତ ହୋଇ ଟପ୍୨୭ରେ ରହିଛନ୍ତି । ଫଳରେ ଏବେ ତାଙ୍କୁ ଓ ତାଙ୍କ ଗୀତକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗି ରହିଛି । ଶୋ’ ପରେ ସେ ଜାତୀୟସ୍ତରରେ ବି ଚର୍ଚ୍ଚା ସାଉଁଟିଛନ୍ତି ।

ସବୁଠୁ ବଡ଼ ଜାତୀୟସ୍ତରୀୟ ଏହି ସଙ୍ଗୀତ ପ୍ରତିଯୋଗିତାଭିତ୍ତିକ ଶୋ’ର ଏକ ଏପିସୋଡ୍ ରବିବାର ରାତି ୮ଟା ସୋନି ଟିଭିରେ ପ୍ରସାରିତ ହୋଇଥିଲା । ସେଥିରେ ରୋହନ ‘କବିର ସିଂ’ ସିନେମାର ଗୀତ ‘କୈସା ହୁଆ’ ଗାଇ ସମସ୍ତଙ୍କ ମନ ଜିଣି ନେଇଥିଲେ । ଉପସ୍ଥିତ ବଲିଉଡର ୩ ଲୋକପ୍ରିୟ ସଙ୍ଗୀତ ବିଚାରକ ବିଶା ଦଦଲାନି, କୁମାର ସାନୁ ଓ ଶ୍ରେୟା ଘୋଷାଲ ଗୀତର ତାଳେ ତାଳେ ଝୁମିବା ସହ ଛିଡ଼ା ହୋଇ ଅଭିବାଦନ ଜଣାଇଥିଲେ ।

ରୋହନଙ୍କୁ ବହୁତ ପ୍ରଶଂସା କରିଥିଲେ । ରୋହନ ଡାକ୍ତର ଥିବା ଶୁଣି କୁମାର ସାନୁ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ । ପରେ କହିଥିଲେ, ଯଦି ଗୀତ ଗାଇ ପୂରା ଇଣ୍ଡିଆ ବୁଲିବ, ତେବେ ତୁମେ ‘ଡା. ସିଙ୍ଗର୍’ ନାମରେ ପ୍ରସିଦ୍ଧ ହୋଇଯିବ । ବହୁତ ସୁନ୍ଦର ଗାଉଛ । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ୨୩ ବର୍ଷୀୟ ରୋହନ ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍‌ରେ ଶିଶୁ ରୋଗ ବିଭାଗରେ ହାଉସ୍ ସର୍ଜନ୍ ଭାବେ କାର୍ଯ୍ୟ କରୁଛନ୍ତି । ସେ କାମ କରିବା ସମୟରେ ବି ଗୀତ ଗାଇ ଶିଶୁମାନଙ୍କ ଚିକିତ୍ସା କରିଥାନ୍ତି । ଏକଥା ସେ ଶୋ’ରେ କହିଥିଲେ ।

ବିଶେଷ କରି କୁମାର ସାନୁଙ୍କ ଗୀତ ହିଁ ପିଲାଙ୍କୁ ଶୁଣାଇଥାନ୍ତି । ଶୋ’ରେ କୁମାର ସାନୁ ଉପସ୍ଥିତ ଥିବାରୁ ତାଙ୍କ ସହିତ ଭିଡିଓ କଲ୍ରେ ଲାଇଭ୍ ଯୋଡ଼ି ହୋଇଥିବା ହସ୍ପିଟାଲ୍ରେ ଚିକିତ୍ସାଧୀନ ଶିଶୁମାନେ ତାଙ୍କୁ ଗୀତ ଗାଇବାକୁ ଅନୁରୋଧ କରିଥିଲେ । ପରେ ପିଲାମାନଙ୍କ ଅନୁରୋଧ ରକ୍ଷା କରି କୁମାର ସାନୁ ମଞ୍ଚ ଉପରକୁ ଆସି ଗାଇଥିଲେ ‘ହମ୍କୋ ସିର୍ଫ୍ ତୁମ୍ ସେ ପ୍ୟାର୍ ହୈ’ । ପରେ ଶ୍ରେୟା ଘୋଷାଲ କହିଥିଲେ, ‘ପିଲେ ଆଜି ତୁମ ଡାକ୍ତର ଭାଇ ଯାହା ଗାଇଲେ, ତାହା ହିଟ୍ ସେ ଭି ଜ୍ୟାଦା ହିଟ୍ ହୈ’ ।

ସେବା ଓ ସୁରର ଏକ ସମ୍ମିଶ୍ରଣ ରୋହନ, ବୃତ୍ତିରେ ଜଣେ ଡାକ୍ତର ହୋଇ ବି ସଙ୍ଗୀତକୁ ସୁନ୍ଦର ଭାବେ ଆୟତ୍ତ କରିଛନ୍ତି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୪ ବର୍ଷ ବୟସରୁ କ୍ୟାରିୟର ଆରମ୍ଭ କରିଥିବା ରୋହନ ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କ ଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଜାରି ରଖିଛନ୍ତି । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ବିଶାରଦ ମଧ୍ୟ ହୋଇଛନ୍ତି ।

ପିଲାବେଳେ କିଛି ଓଡ଼ିଆ ଭଜନ କ୍ୟାସେଟ୍‌ରେ ଏବେ ଗୀତିକାର ସ୍ଥିତ ପଟ୍ଟନାୟକଙ୍କ ରଚନାରେ ମ୍ୟୁଜିକ୍ ଭିଡିଓରେ କଣ୍ଠଦାନ କରିଛନ୍ତି । ଏହାସହ ଓଡ଼ିଶା ଏବଂ ଓଡ଼ିଶା ବାହାରେ ବହୁ ମଞ୍ଚ, ବିଭିନ୍ନ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଦାନ କରିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ର ବିଭିନ୍ନ ମଞ୍ଚରେ ସଙ୍ଗୀତ ପରିବେଷଣ କରି ପ୍ରଶଂସା ଓ ପୁରସ୍କାର ସାଉଁଟିଛନ୍ତି । କ୍ଲାସିକାଲ୍, ସେମି କ୍ଲାସିକାଲ୍, ମଡର୍ଣ୍ଣ ସବୁ ଗୀତ ଗାଇବାରେ ବେଶ୍ ଦକ୍ଷ ରୋହନ । ତାଙ୍କର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ରହିଛି । ସେ ‘ଅର୍ପଣ ବ୍ୟାଣ୍ଡ୍’ ସହ ବି ଯୋଡ଼ି ହୋଇ ରହିଛନ୍ତି ।

୨୦୧୪ ମସିହାରେ ଏମ୍ବିସି ଟିଭି ପକ୍ଷରୁ ‘ସନ୍ତୁର ସିଙ୍ଗିଙ୍ଗ୍ ସୁପର୍ଷ୍ଟାର୍ ଜୁନିଅର’ ହେବା ସହ ୨୦୧୫ରେ ‘ଇଣ୍ଡିଆନ୍ ଆଇଡଲ୍ ଜୁନିଅର’ ଟପ୍-୨୦ରେ ସ୍ଥାନ ପାଇଥିଲେ । ଏବେ ପୁଣି ସୁଯୋଗ ଆସିଲା ବେଳେ ସେ ତାହାକୁ ହାତଛଡ଼ା କରିନଥିଲେ । ପ୍ରଥମେ ଭୁବନେଶ୍ୱର ପରେ କୋଲକାତା, ମୁମ୍ବାଇରେ ଅଡିସନ୍ ସହ ବିଭିନ୍ନ ପର୍ଯ୍ୟାୟ ଦେଇ ସର୍ବଭାରତୀୟସ୍ତରରେ ୬୦ ଜଣଙ୍କ ମଧ୍ୟରେ ରହିଥିଲେ । ଏବେ ସେଥିରୁ ଉନ୍ନୀତ ହୋଇ ଟପ୍-୨୭ରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.